କନକ ବ୍ୟୁରୋ : OTET ପ୍ରଶ୍ନପତ୍ର କେଳେଙ୍କାରୀର ବଡ଼ ଗୁମର ଖୋଲିଲା ଅଭିଯୁକ୍ତ ଜିତନ ମହାରଣା । କଟକରୁ ପ୍ରଶ୍ନପତ୍ର ଚୋରି ହେବା ପରେ ଜଣେ ଡ୍ରାଇଭରଙ୍କ ଜରିଆରେ ନୟାଗଡ଼ ପଠା ଯାଇଥିଲା । ପେନ୍ ଡ୍ରାଇଭ୍ ଓ ହାର୍ଡକପି ନୟାଗଡ ପଠେଇଥିଲା ଅଭିଯୁକ୍ତ ଜିତନ । ଏଥିପାଇଁ ସେ ୧୫୦୦ ଟଙ୍କାରେ ଡ଼୍ରାଇଭରକୁ ନିୟୋଜିତ କରିଥିଲା । ଗିରଫ ହୋଇଥିବା ଅଭିଯୁକ୍ତ ବିଜୟ ମିଶ୍ରଙ୍କ ସମ୍ପର୍କୀୟଙ୍କ ମାଧ୍ୟମରେ ଏହି ପ୍ରଶ୍ନପତ୍ରକୁ ନୟାଗଡ ପଠେଇଥିଲା । ଆଉ ସେଠାରୁ ଅଭିଯୁକ୍ତ ଶିକ୍ଷକ ନେତା ବିଜୟ ମିଶ୍ର OTET ପ୍ରଶ୍ନପତ୍ର ପେନ ଡ୍ରାଇଭ୍ ଓ ହାର୍ଡକପି ସଂଗ୍ରହ କରିଥିଲା । ଏ ବାବଦରେ ସେ ଜିତନକୁ ପଇସା ପୈଠ କରିଥିଲା ।  ଏହି ମାମଲାରେ ଡ଼୍ରାଇଭରକୁ ଜେରା କରିଛି କ୍ରାଇମବ୍ରାଞ୍ଚ୍ । ଏହା ସହିତ ଅଭିଯୁକ୍ତ ବିଜୟଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଜେରା କରିଛି କ୍ରାଇମବ୍ରାଞ୍ଚ୍ । ବର୍ତ୍ତମାନ୍ ସେ କ୍ରାଇମବ୍ରାଞ୍ଚ୍ ସ୍କାନରରେ ଅଛନ୍ତି ।

Advertisment

ସେପଟେ ଜିତନକୁ ଜେରା ସମୟରେ ବୋର୍ଡ଼ରେ ପୂର୍ବରୁ ହୋଇଥିବା ପ୍ରଶ୍ନପତ୍ର ଅନିୟମିତତା ନେଇ ତା ଭୂମିକା ଥିବା ନେଇ ଅନେକ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ । ଅନ୍ୟପଟେ ମହିଳା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଦୁଇ ଦିନ ଧରି ଘନଘନ ଜେରା କରିଛି କ୍ରାଇମବ୍ରାଞ୍ଚ୍ । ଆଗାମୀ ସମୟରେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ବଢିବା ସହ ଆହୁରି କିଛି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା କରୁଛି କ୍ରାଇମବ୍ରାଞ୍ଚ । ଆଗକୁ ନିହାର ରଞ୍ଜନ ମହାନ୍ତିଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣି ପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି । ଏହା ସହିତ ବୋର୍ଡ ସଭାପତିଙ୍କ ସମ୍ପୃକି ଥିବା ନେଇ ତନାଘନା ଜାରି ରଖିଛି କ୍ରାଇମବ୍ରାଞ୍ଚ ।