କନକ ବ୍ୟୁରୋ : ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବୋର୍ଡ ଉପ-ସଭାପତି ନୀହାର ମହାନ୍ତିଙ୍କୁ ଗିରଫ କରି ଚୁପ୍ ବସିନି କ୍ରାଇମବ୍ରାଞ୍ଚ । ବୋର୍ଡ କାର୍ଯ୍ୟାଳୟକୁ କ୍ରାଇମବ୍ରାଞ୍ଚ ଟିମ୍ ବାରମ୍ବାର ଆସିବା ସଂକେତ ଦେଉଛି ଏବେ ବି ସରିନି ତଦନ୍ତ । ଆଉ କିଛି ବଡ଼ ମାଛଙ୍କୁ ଧରିବାକୁ ଖୋଳତାଡ଼କୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ସ୍କାନରରେ ଅଛି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ ସନ୍ଦେହଜନକ ଭୂମିକା । ଶ୍ରୀକାନ୍ତଙ୍କ ଆଶିର୍ବାଦରେ ନୀହାର ଅଖଣ୍ଡ କ୍ଷମତା ହାତେଇଥିବାର ଅଭିଯୋଗ ହେଉଛି । ସାଧାରଣତଃ ସମ୍ପାଦକ ନଚେତ୍ ପରୀକ୍ଷା ନିୟନ୍ତ୍ରକ ପରୀକ୍ଷା ପରିଚାଳନା କରିଥା’ନ୍ତି । କିନ୍ତୁ ବୋର୍ଡ ଉପ-ସଭାପତି ନୀହାରଙ୍କୁ କାହିଁକି ପରୀକ୍ଷା ପରିଚାଳନା ଦାୟିତ୍ବ ଦିଆଗଲା ? ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ।
କ୍ରାଇମବ୍ରାଞ୍ଚ ବିଭିନ୍ନ ଦିଗରୁ ଛାନଭିନ୍ କରୁଛି । ଏହାସହ ଗିରଫ ନୀହାର ଓ ଜିତନଙ୍କ ଆର୍ଥିକ ସାମ୍ରାଜ୍ୟର ଖୋଳତାଡ଼ ମଧ୍ୟ ଆରମ୍ଭ କରିଛି । ଆକାଉଣ୍ଟକୁ କେବେ, କେଉଁଠୁ, କେମିତି, କାହିଁକି, କେତେ ଟଙ୍କା ଆସିଛି ତାହାର ଗୋଟି ଗୋଟି ହିସାବ କରୁଛି ତଦନ୍ତକାରୀ ଟିମ୍ । କିଛି ଶିକ୍ଷକ, ଶିକ୍ଷକ ସଂଘ ନେତା ମଧ୍ୟ କ୍ରାଇମ୍ବ୍ରାଞ୍ଚର ରାଡାରରେ ରହିଛନ୍ତି । ଅନ୍ୟପଟେ ଯେଉଁ ଜେରକ୍ସ ଦୋକାନରେ ପ୍ରଶ୍ନପତ୍ର ନକଲ ବାହାରିଥିଲା ତାଙ୍କୁ ପଚରାଉଚରା କରିବା ପରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି ତଦନ୍ତକାରୀ ଟିମ୍ । ଶ୍ରୀକାନ୍ତ-ନୀହାରଙ୍କ ମଧ୍ୟରେ ଥିବା ସୁସମ୍ପର୍କ ପ୍ରଶ୍ନପତ୍ର ପ୍ରଘଟର ଅନ୍ୟତମ କାରଣ ବୋଲି ଅଭିଯୋଗ ହେଉଛି । ଏହି ମାମଲାରେ ଏପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରାଯାଇଛି । ତଥାପି କ୍ରାଇମବ୍ରାଞ୍ଚର ମନ ବୁଝୁନି । ପ୍ରଶ୍ନପତ୍ର ପ୍ରଘଟ ପଛର ପୂରା ସିଣ୍ଡିକେଟ୍କୁ ଧରିବାକୁ ଜାଲ ବିଛାଇଛି କ୍ରାଇମ୍ବ୍ରାଞ୍ଚ ।
ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଖୋଲୁଛି ଖିଅ : କ୍ରାଇମବ୍ରାଞ୍ଚ ସ୍କାନରରେ ବୋର୍ଡ ସଭାପତି
ଶ୍ରୀକାନ୍ତଙ୍କ ଆଶିର୍ବାଦରେ ନୀହାର ଅଖଣ୍ଡ କ୍ଷମତା ହାତେଇଥିବାର ଅଭିଯୋଗ ହେଉଛି । ସାଧାରଣତଃ ସମ୍ପାଦକ ନଚେତ୍ ପରୀକ୍ଷା ନିୟନ୍ତ୍ରକ ପରୀକ୍ଷା ପରିଚାଳନା କରିଥା’ନ୍ତି ।
/kanak/media/media_files/2025/08/06/board-2025-08-06-21-56-32.jpg)