BOARD PRESIDENT Photograph: (KANAK NEWS)
କନକ ବ୍ୟୁରୋ: ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ବର୍ତ୍ତମାନ ସୁଦ୍ଧା ବୋର୍ଡ ଉପ-ସଭାପତି ନିହାର ମହାନ୍ତି, ଅଫିସର ଡାଟା ଏଣ୍ଟ୍ରି ଅପରେଟର ଜୀତନ ମହାରଣାଙ୍କ ସମେତ ୮ ଜଣ ଗିରଫ ହୋଇଛନ୍ତି । ବଡ଼କଥା ହେଲା, କ୍ରାଇମବ୍ରାଞ୍ଚର ତଦନ୍ତ ଉପ-ସଭାପତିଙ୍କ ଗିରଫଦାରୀରେ ହିଁ ଅଟକିଯାଇଛି । ଆସନ୍ତା ୩୧ ତାରିଖରେ ପୁଣି ଓଟିଇଟି ପରୀକ୍ଷା ହେବ । ବୋର୍ଡ ସଭାପତି ଏହାର ପରିଚାଳନା ଦାୟିତ୍ବରେ ଅଛନ୍ତି ।
ତେବେ ପ୍ରଶ୍ନପତ୍ର ଲିକ ଘଟଣାରେ ତଦନ୍ତ ଚାଲିଛି ଓ ସ୍କାନରରେ ଅଛନ୍ତି ଖୋଦ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ଏଭଳି ସ୍ଥଳେ ସେ କେମିତି ପରୀକ୍ଷା ପରିଚାଳନା କରିବେ ସେ ନେଇ ପ୍ରଶ୍ନ ଉଠିଛି । କୁହାଯାଉଛି, ପ୍ରଶ୍ନପତ୍ର ଲିକ ଘଟଣାରେ ଗିରଫ ନିହାର ମହାନ୍ତିଙ୍କୁ ବୋର୍ଡ ସଭାପତିଙ୍କ ପ୍ରଚ୍ଛନ୍ନ ସମର୍ଥନ ଥିଲା । ଏବେ ପ୍ରଶ୍ନ ଉଠୁଛି, ସଭାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କାହିଁକି କୁନ୍ଥକୁନ୍ଥ ଶିକ୍ଷା ବିଭାଗ? କାହାର ଛତ୍ରଛାୟା ତଳେ ଅଛନ୍ତି ଶ୍ରୀକାନ୍ତ ତରାଇ? କାହିଁକି କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଉଛି?
- ଓଟିଇଟି ମାମଲାରେ ବିରୋଧୀ ବି ଚୁପ୍
- ଅସମ୍ଭବ ନିରବତାକୁ ନେଇ ଉଠିଲା ପ୍ରଶ୍ନ
ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣା ନେଇ ସାରା ରାଜ୍ୟ ଉଠୁଛିପଡୁଛି । କିନ୍ତୁ ବିରୋଧୀ ବିଜେଡି ଓ କଂଗ୍ରେସ ଏନେଇ ଚୁପ୍ ବସିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଯାଏଁ ବିରୋଧୀ ସେଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିନାହାନ୍ତି । ସରକାରଙ୍କୁ ବି ଘେରିନାହାନ୍ତି । ପ୍ରଶ୍ନ ଉଠୁଛି, ପ୍ରଶ୍ନପତ୍ର ଲିକ୍ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେଉଛି କି? ଲିକ୍ ପଛରେ ଆଉ କିଏ କିଏ ଅଛନ୍ତି? ସ୍କାନରରେ ଥିବା ଶିକ୍ଷକ ଗିରଫ ହେବେ କେବେ? କେଳେଙ୍କାରୀ ଚେର କେତେଦୂର ଲମ୍ବିଛି? ବୋର୍ଡ ସଭାପତିଙ୍କ ପରିଚାଳନାରେ କେତେ ସ୍ବଚ୍ଛ ହେବ ଓଟିଇଟି ପରୀକ୍ଷା?
ଜୀତନ ମହାରଣା ଓ ବିଜୟ ମିଶ୍ରଙ୍କୁ ରିମାଣ୍ଡରେ ଆଣିବା ପରେ ଗିରଫ ବୋର୍ଡ ଉପ-ସଭାପତି ନିହାର ମହାନ୍ତିଙ୍କୁ ରିମାଣ୍ଡରେ ଆଣିପାରେ କ୍ରାଇମବ୍ରାଞ୍ଚ। କିନ୍ତୁ ପ୍ରଶ୍ନ ଉଠୁଛି, ବୋର୍ଡ ସଭାପତିଙ୍କ ଉପରେ କାହାର ଆଶୀର୍ବାଦ ଅଛି । ଯାହାକୁ ନେଇ କ୍ରାଇମବ୍ରାଞ୍ଚ ଆଗକୁ ବଢ଼ିପାରୁନାହିଁ ।
Follow Us