କନକ ବ୍ୟୁରୋ : ଓଟିଇଟି ପ୍ରଶ୍ନପତ୍ର ଲିକ୍ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ପଚରାଉଚରା ଭିତରେ ନୂଆ ନୂଆ ଗୁମର ଫିଟିବାରେ ଲାଗିଛି । କଟକରୁ ଚୋରି ହୋଇଥିବା ପ୍ରଶ୍ନପତ୍ର ଉପାନ୍ତ ରାୟଗଡ଼ାରେ କେମିତି ପହଞ୍ଚିଲା ତା’ ଉପରୁ ହଟିଛି ପରଦା । ରିମାଣ୍ଡ୍ ସରିବା ପରେ ଅଭିଯୁକ୍ତ ଜେଲ୍ ଯାଇଛନ୍ତି, କିନ୍ତୁ ଏତିକିରେ ସରିନି କ୍ରାଇମବ୍ରାଞ୍ଚର ତଦନ୍ତ । କାପର୍ଟଦାରଙ୍କୁ ଧରିବାକୁ ଜାଲ ବିଛାଇଛି କ୍ରାଇମବ୍ରାଞ୍ଚ ।
ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀର ଗୋଟିଏ ପରେ ଗୋଟିଏ କଳା ଅଧ୍ୟାୟ ଖୋଲିବାରେ ଲାଗିଛି । ରିମାଣ୍ଡରେ ଆସିଥିବା ଅଭିଯୁକ୍ତ ଜିତନ ମହାରଣା କ୍ରାଇମବ୍ରାଞ୍ଚ ସାମ୍ନାରେ ଉଗାରିଛି ସିଣ୍ଡିକେଟ୍ର ସତ । ପ୍ରଶ୍ନପତ୍ର ଲିକ୍ର ପୂରା ଖେଳ ଖୋଲିକି କହିଛି ଜିତନ୍ । ବୋର୍ଡ ଉପସଭାପତି ନୀହାର ମହାନ୍ତିଙ୍କ ଲାପଟପରୁ ପ୍ରଶ୍ନପତ୍ର ଚୋରି ହେବା ପରେ ସକ୍ରିୟ ହୋଇ ଉଠିଥିଲା ସିଣ୍ଡିକେଟ୍ । ଡ୍ରାଇଭରଙ୍କ ହାତରେ ୧୫୦୦ ଟଙ୍କା ଦେଇ ପେନ୍ ଡ୍ରାଇଭ ଓ ହାର୍ଡକପିକୁ ତୁରନ୍ତ ନୟାଗଡ଼କୁ ପଠାଇଥିଲେ ଜିତନ୍ । ନୟାଗଡ଼ରେ ଶିକ୍ଷକ ନେତା ବିଜୟ ମିଶ୍ର ପେନ୍ ଡ୍ରାଇଭ ଓ ହାର୍ଡକପି ସଂଗ୍ରହ କରିବା ପରେ ଡିଲ୍ ମୁତାବକ ରାୟଗଡ଼ାକୁ ପଠାଯାଇଥିଲା । କ୍ରାଇମବ୍ରାଞ୍ଚ ଏନେଇ ଡ୍ରାଇଭର ଓ ବିଜୟଙ୍କ ସମ୍ପର୍କୀୟଙ୍କୁ ଜେରା କରି ଅନେକ ସୁରାଗ ପାଇଛି ।
ଜିତନକୁ ଜେରା ବେଳେ ବୋର୍ଡରେ ପୂର୍ବରୁ ହୋଇଥିବା ପ୍ରଶ୍ନପତ୍ର କେଳେଙ୍କାରୀରେ ସମ୍ପୃକ୍ତି ଥିବାର ସୁରାଗ ପାଇଛି କ୍ରାଇମବ୍ରାଞ୍ଚ । ମହିଳା ଡାଟା ଏଣ୍ଟ୍ରି ଅପରେଟର୍ଙ୍କୁ ୨ଦିନ ଧରି ଜେରା କରିଛି ତଦନ୍ତକାରୀ ଟିମ୍ । ପୂରା ରହସ୍ୟ ଖୋଲିବାକୁ ଆଉ କିଛି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ସଜବାଜ ହେଉଛି କ୍ରାଇମବ୍ରାଞ୍ଚ । ଯେଉଁ ତାଲିକାରେ ଉପ-ସଭାପତି ନୀହାର ରଞ୍ଜନ ମହାନ୍ତିଙ୍କ ନାଁ ଥିବା ଚର୍ଚ୍ଚା ହେଉଛି । ଏହାସହ ପ୍ରଶ୍ନପତ୍ର ପ୍ରଘଟ ପଛରେ ବୋର୍ଡ ସଭାପତିଙ୍କ ଲିଙ୍କ୍ ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ୍ ।