କନକ ବ୍ୟୁରୋ : ୨୦ ତାରିଖ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ । ଜିତନ ମହାରାଣା, ବିଜୟ କୁମାର ମିଶ୍ର, ସନାତନ ବିଶୋଇ, ରାମଜୀ ପ୍ରସାଦ ଗୁପ୍ତା, ଅଜୟ କୁମାର ସାହୁ ଓ ଜୟନ୍ତ କୁମାର ରାଉତ । ଏମାନେ ହେଉଛନ୍ତି ପ୍ରଶ୍ନପତ୍ର ଲିକ୍ର ଜଣେ ଜଣେ ମାଷ୍ଟରମାଇଣ୍ଡ । ଆଉ ମୁଖ୍ୟ କାର୍ପଟଦାର ହେଉଛି ଜିତନ ମହାରଣା । କଟକ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସରେ ଡାଟା ଏଣ୍ଟ୍ରି ଅପରେଟର ଅଛନ୍ତି ଜିତନ । କ୍ରାଇମବ୍ରାଞ୍ଚ ଡିଜିଙ୍କ କହିବା ଅନୁସାରେ, ଡାଟା ଏଣ୍ଟ୍ରି ଅପରେଟର୍ ଜରିଆରେ ପ୍ରଶ୍ନପତ୍ର ଲିକ୍ ହୋଇଛି ଏବଂ ଜିତନ ମହାରଣାଙ୍କ ଏଥିରେ ସମ୍ପୃକ୍ତି ରହିଛି ।
ପରିଷଦ ଉପସଭାପତିଙ୍କ ଲାପଟପ୍ରୁ ପ୍ରଶ୍ନପତ୍ର ଚୋରି କରିଥିଲେ ଜିତନ
ଏହାପରେ ଅନ୍ୟ ଅଭିଯୁକ୍ତଙ୍କୁ ବାଣ୍ଟିଥିଲେ
ଜିତନଙ୍କ ଆକାଉଣ୍ଟକୁ ଆସିଛି ୨ ଲକ୍ଷ ୫୦ ହଜାର ଟଙ୍କା
ଲକ୍ଷ ଲକ୍ଷ ଟଙ୍କାର ହୋଇଛି କାରବାର?
ଜିତନ ମହାରଣା ବୋର୍ଡ ଅଫିସର ଡାଟା ଏଣ୍ଟ୍ରି ଅପରେଟର ହୋଇଥିବାବେଳେ ରାୟଗଡାର ବିଜୟ ମିଶ୍ର ଓ କୋରାପୁଟର ସନାତନ ବିଶୋଇ ହେଉଛନ୍ତି ଶିକ୍ଷକ ସଂଘ ନେତା । ଯେଉଁମାନେ ଗତ ଓଟିଇଟି ପରୀକ୍ଷାରେ ସଫଳ ହୋଇନଥିଲେ ସେମାନଙ୍କୁ ଟାର୍ଗେଟ କରିଥିଲେ ଏହି ୩ ଜଣ ଅଭିଯୁକ୍ତ । ଆଉ ପ୍ରଶ୍ନପତ୍ର ପାଇଲା ପରେ ଦଲାଲ ରାମଜୀ ପ୍ରସାଦ ଗୁପ୍ତା, ଅଜୟ ସାହୁ ଓ ଜୟନ୍ତ ରାଉତଙ୍କ ଜରିଆରେ ପ୍ରଶ୍ନପତ୍ର ବିକ୍ରି କରିଥିଲେ । ରାମଜୀ ପ୍ରସାଦର ଘର କଟକ ହୋଇଥିବାବେଳେ ଅଜୟ ସାହୁର ଘର ଗଞ୍ଜାମ ଓ ଜୟନ୍ତ ରାଉତଙ୍କ ଘର ବାଲେଶ୍ବର ବୋଲି ଜଣାପଡ଼ିଛି । କୁହାଯାଉଛି ଏହି ରାକେଟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସକ୍ରିୟ ରହିଛି ଓ ଲକ୍ଷ ଲକ୍ଷ ଟଙ୍କାର କାରବାର ହୋଇଛି । ପ୍ରଶ୍ନପତ୍ର ଲିକ୍ ରାକେଟରେ ଅନ୍ୟମାନେ ସାମିଲ ଥିବା ସନ୍ଦେହ କରି କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି । ପ୍ରଶ୍ନ ଉଠୁଛି,
-ବୋର୍ଡ ଉପସଭାପତିଙ୍କ ଲାପଟପକୁ ଡାଟା ଏଣ୍ଟ୍ରି ଅପରେଟର୍ ବ୍ୟବହାର କଲେ କିପରି?
- ପାସୱାର୍ଡ କେମିତି ଜାଣିଲେ?
- ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନପତ୍ରକୁ କାହିଁକି ସୁରକ୍ଷିତ ରଖାଗଲା ନାହିଁ?
- ଅନ୍ୟ ପ୍ରଶ୍ନପତ୍ର ଲିକରେ ଜିତନଙ୍କ ହାତ ଅଛି କି?
- ଜିତନଙ୍କ ସହ ଆଉ କେଉଁମାନେ ସାମିଲ ଅଛନ୍ତି?