କନକବ୍ୟୁରୋ : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବଦଳିଲା ସରକାରୀ ବିଜ୍ଞପ୍ତି । ଏସ୍ସି ଓ ଏସ୍ଟି ବିଭାଗର ସେବାଶ୍ରମରେ ଏଣିକି ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ନିଯୁକ୍ତି ପାଇପାରିବେ । ଏନେଇ ନୂଆ ବିଜ୍ଞପ୍ତି ଜାରି କରିଛି OSSSC । ଏସ୍ସି ଓ ଏସ୍ଟି ବିଭାଗର ସେବାଶ୍ରମରେ ସେବକ ସେବିକା ବା ଶିକ୍ଷକ ପଦବୀ ସମେତ ଆଦିବାସୀ ଭାଷା ଶିକ୍ଷକ ପଦବୀରେ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ଆବେଦନ କରିପାରିବେ ନାହିଁ ବୋଲି କିଛି ଦିନ ତଳେ OSSSC ଏଭଳି ବିଜ୍ଞପ୍ତି ଜାରି କରିଥିଲା ।
ଜଣେ ଦୃଷ୍ଟିବାଧିତ ଆବେଦନକାରୀ ସିଟି କରିଥିବା ସହ ଓଟିଇଟିରେ ଉତ୍ତୀର୍ଣ୍ଣ ବି ହୋଇଥିଲେ । କିନ୍ତୁ ଓଡିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନର ବିଜ୍ଞପ୍ତି ଚିନ୍ତା ବଢାଇଥିଲା । ଜାନୁଆରୀ ୨୨ ତାରିଖ ଆବେଦନର ଶେଷ ତାରିଖ ଥିବାରୁ ବିଜ୍ଞପ୍ତି ପରିବର୍ତ୍ତନ କରିବା ପାଇଁ ଦାବି ହୋଇଥିଲା । ଏନେଇ ଏସସି-ଏସଟି ବିଭାଗର ଦ୍ବାରସ୍ଥ ହୋଇଥିଲେ ଆବେଦନକାରୀ ।
ଓଡିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନରେ ଅଭିଯୋଗ କରିଥିଲେ । ଏହି ଖବରକୁ ଗୁରୁତ୍ୱ ସହ କନକ ନ୍ୟୁଜ ପ୍ରସାରଣ କରିଥିଲା । ଶେଷରେ ଓଡିଶା ସବ-ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ ବଦଳାଇଛି ତାର ନିଷ୍ପତ୍ତି । ଆବେଦନ ପାଇଁ ଦିନକୁ ଘୁଞ୍ଚାଇ ଦେଇଛନ୍ତି । ଅନଲାଇନ ରେଜିଷ୍ଟ୍ରେସନ ତଥା ରି-ରେଜିଷ୍ଟ୍ରେସନ ପାଇଁ ଶେଷ ତାରିଖ ଜାନୁଆରୀ ୩୧ ତାରିଖ ରଖାଯାଇଛି ।