କନକ ବ୍ୟୁରୋ : ଯେଉଁ OSSSC ଚାକିରି ଆଶାୟୀଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରୁଥିଲା । ସେହି ସଂସ୍ଥାର ଅସ୍ତିତ୍ୱ ଉପରେ ଏବେ ବିରାଟ ପ୍ରଶ୍ନଚିହ୍ନ ଛିଡ଼ା କରିଛନ୍ତି ସରକାର । ସରକାରୀ କମିଶନ ଉପରେ ମନ୍ତ୍ରୀ ସନ୍ଦେହ ପ୍ରକଟ କରିବା ଏବେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭରସା ଓ ବିଶ୍ୱାସକୁ ଭାଙ୍ଗି ଚୁରମାର କରିଦେଇଛି । ପୂର୍ବରୁ ପରୀକ୍ଷାରେ ଅନିୟମିତତାକୁ ନେଇ ଓଏସଏସଏସସି କଳଙ୍କର ଅନେକ ଅପବାଦ ମୁଣ୍ଡାଇଛି । ଏବେ ଆରଆଇ, ଏଆରଆଇ, ଅମିନ ପରୀକ୍ଷାରେ ଘୋଟାଲା ଘଟଣାକୁ ନେଇ ମନ୍ତ୍ରୀଙ୍କ ବୟାନ OSSSC କେଳେଙ୍କାରୀରେ ସତ୍ୟତା ଥିବା ସଂକେତ ଦେଇଛି । ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ସ୍ପଷ୍ଟ କରିଛନ୍ତି ।

Advertisment

ଏବେ ପ୍ରଶ୍ନ ଉଠୁଛି

- ଯଦି ଓଏସଏସଏସସିର ଅସ୍ତିତ୍ୱ ନାହିଁ ତେବେ ସେହି ସଂସ୍ଥା ଦ୍ୱାରା ହୋଇଥିବା ପରୀକ୍ଷା ଆଧାରରେ ଚାକିରି ମିଳିବ କେମିତି? 
- ଓଏସଏସଏସସି ଦ୍ୱାରା ହୋଇଥିବା ପରୀକ୍ଷା ବାତିଲ କେବେ ହେବ ?
- ସାଇବର କାଫେ, ବାର ଉପରେ ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ କାହିଁକି ଚୁପ ଥିଲେ ସରକାର ?

ଏଭଳି ପ୍ରଶ୍ନ ଉଠାଇ ଆଜି ଗାନ୍ଧୀମାର୍ଗରେ ଗର୍ଜନ କରିଛନ୍ତି ହଜାର ହଜାର ଛାତ୍ରଛାତ୍ରୀ । ପରୀକ୍ଷାରେ ଦୁର୍ନୀତି ହୋଇଥିବାରୁ ଏହାକୁ ତୁରନ୍ତ ବାତିଲ କରି ପୁର୍ନବାର ପରୀକ୍ଷା କରିବାକୁ ଦାବି କରିଛନ୍ତି । ରାସ୍ତାରେ ଗଡି ଭବିଷ୍ୟତ ସହ ନ ଖେଳିବାକୁ ଗୁହାରି କରିଛନ୍ତି ।

ପରୀକ୍ଷା ବାତିଲ କରିବାକୁ ଦୀର୍ଘ ଦିନ ହେବ ଦାବି କରି ଆସୁଛନ୍ତି ଛାତ୍ରଛାତ୍ରୀ । ରାସ୍ତାରେ ସରକାରଙ୍କ ବିରୋଧରେ ସଂଗ୍ରାମ କରୁଛନ୍ତି । କିନ୍ତୁ ଏଯାଏଁ ବାହାରି ପାରୁନି ନିଷ୍କର୍ସ । ସରକାର ରିପୋର୍ଟ କାର୍ଡ ଅପେକ୍ଷାରେ ଥିବା ବେଳେ ଛାତ୍ରଛାତ୍ରୀ ନ୍ୟାୟ ଅପେକ୍ଷାରେ ରହିଛନ୍ତି ।