କନକ ବ୍ୟୁରୋ : ଜାତୀୟ ରାଜପଥ କର୍ତୃପକ୍ଷ ଢାଞ୍ଚାରେ, ଓଡ଼ିଶାରେ ଗଠନ ହେବ ରାଜ୍ୟ ରାଜପଥ କର୍ତୃପକ୍ଷ । ଆଉ ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏଭଳି ନିଷ୍ପତ୍ତି କରିଛି । ଷ୍ଟେଟ୍ ହାଇୱେଜ ଅଥରିଟି ବିଲ୍-୨୦୨୫ ବିଧାନସଭାରେ ପାରିତ ହେବା ପରେ, ଏଥିପାଇଁ ବାଟ ଫିଟିଛି । ରାଜ୍ୟରେ ମୋଟ୍ ୭୫ ହଜାର କିଲୋମିଟର ବିଶ୍ୱସ୍ତରୀୟ ସଡ଼କ ନିର୍ମାଣ ହେବ । ଧାର୍ଯ୍ୟ ସମୟରେ ନିର୍ମାଣ କାମ ଶେଷ କରିବାକୁ ଫାଷ୍ଟଟ୍ରାକ୍ ଆପ୍ରୋଚ୍ ଗ୍ରହଣ କରାଯିବ । ଏଥିପାଇଁ ଜମି ଅଧିଗ୍ରହଣ, ଜଙ୍ଗଲ ଓ ପରିବେଶ ମଞ୍ଜୁରୀ, ବିସ୍ଥାପିତଙ୍କ ଥଇଥାନ ଭଳି କାର୍ଯ୍ୟ କରିବ ରାଜ୍ୟ ରାଜପଥ କର୍ତୃପକ୍ଷ । ରାସ୍ତା ନିର୍ମାଣ ବେଳେ ସହର ମଧ୍ୟରେ ଟ୍ରାଫିକ୍ ସମସ୍ୟା ଦୂର କରିବାକୁ ଅପ୍ରୋଚ୍ ରୋଡ୍ ମଧ୍ୟ ଏହି ସଂସ୍ଥା ନିର୍ମାଣ କରିବ । ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଅର୍ଥନୀତି ସମୀକ୍ଷକ ।
ଏବେ ନଜର ପକାନ୍ତୁ କେମିତି ହେବ ଓଡ଼ିଶା ରାଜ୍ୟ ରାଜପଥ କର୍ତୃପକ୍ଷର ରୂପରେଖ ।
OSHAର ରୂପରେଖ
ଓଡ଼ିଶା ଷ୍ଟେଟ୍ ହାଇୱେଜ୍ ଅଥରିଟିରେ ଜଣେ ଅଧ୍ୟକ୍ଷଙ୍କ ସହ ୪ଜଣ ସଦସ୍ୟ ରହିବେ
ଫାଇନାନ୍ସ ମେମ୍ବର, ସେଫ୍ଟି ଓ ଟେକ୍ନୋଲୋଜି ମେମ୍ବର ରହିବେ
ୱାର୍କ୍ସ, କଣ୍ଟ୍ରାକ୍ଟ ଓ ଅପରେସନ୍ ମେମ୍ବର ନିଯୁକ୍ତ ହେବେ
ରାଜ୍ୟ ସରକାରଙ୍କ ସର୍ଚ୍ଚ ଓ ସିଲେକ୍ସନ୍ କମିଟି ମାଧ୍ୟମରେ ଏମାନଙ୍କୁ ନିଯୁକ୍ତି ମିଳିବ
ବିଶେଷଜ୍ଞଙ୍କ ମତରେ ଏହା ଏକ ସ୍ୱାଧୀନ ସଂସ୍ଥା ଭାବେ କାମ କରିବ । ତେଣୁ ରାଜ୍ୟ ବଜେଟ୍ ଉପରେ ନିର୍ଭର ନକରି, ନିଜ ପାଖରେ ଥିବା ସମ୍ବଳ କିମ୍ବା ବାହାରୁ ସମ୍ବଳ ସଂଗ୍ରହ କରି ରାସ୍ତା ଉନ୍ନତିକରଣ କରିପାରିବ । ପରିବହନ ଓ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ହେଲେ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ ହୋଇପାରିବ ।