କନକ ବ୍ୟୁରୋ : ଆଗକୁ ମାଟ୍ରିକ ପରୀକ୍ଷା । ପରୀକ୍ଷାର୍ଥୀଙ୍କୁ ତର ନାହିଁ । ଯୁଦ୍ଧକାଳୀନ ଭିତ୍ତିରେ ନିଜକୁ ପ୍ରସ୍ତୁତ କରୁଛନ୍ତି ଛାତ୍ରଛାତ୍ରୀ । ଏହାରି ଭିତରେ ପିଲାମାନଙ୍କୁ ପରୀକ୍ଷା ଟିପ୍ସ ଦେଇଛି ଓସେପା । ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ । ଅତି କମରେ ୭ ଘଣ୍ଟା ଶୋଇବାକୁ ପରାମର୍ଶ ଦେଇଛନ୍ତି । ଶୋଇବା ପୂର୍ବରୁ ଗରମ କ୍ଷୀର କିମ୍ବା ଉଷୁମ ପାଣିରେ ଲେମ୍ବୁ ପକାଇ ପିଇବା ଭଲ । ଦୈନିକ ୮ରୁ ୧୦ ଘଣ୍ଟା ପାଠ ପଢ଼ନ୍ତୁ । ପୂର୍ବ ପାଠକୁ ୩୦ ମିନିଟ ରିଭିଜନ କରିବା ଉଚିତ । କଷ୍ଟ ଲାଗୁଥିବା ବିଷୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ବାକି ସମୟ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରନ୍ତୁ । ଏକାଗ୍ରତା ବଢ଼ାଇବା ପାଇଁ ବ୍ୟାୟାମ ଓ ଯୋଗ କରନ୍ତୁ । ପିଲାଙ୍କ ସମସ୍ୟା ବୁଝିବାକୁ ଶିକ୍ଷକ ଏବଂ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି । ମାସକ ପରେ ମାଟ୍ରିକ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ଏ ସମ୍ପର୍କରେ ସଚେତନ କରିବାକୁ ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମନସ୍ତତ୍ୱବିତ୍ତ ମଧ୍ୟ ଚାପମୁକ୍ତ ରହିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।
ମାଟ୍ରିକ ପରୀକ୍ଷାକୁ ଆଉ ମାତ୍ର ଅଳ୍ପ ଦିନ ବାକି । ଏଥିପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି ଛାତ୍ରଛାତ୍ରୀ । ସ୍କୁଲରେ ପଢ଼ାଯାଇଥିବା ବିଷୟକୁ ଘରେ ରିଭିଜନ କରୁଛନ୍ତି । ତେବେ ଚାପମୁକ୍ତ ରହି ଓସେପା ପକ୍ଷରୁ ଜାରି ରୋଡମ୍ୟାପ ଅନୁସାରେ ପାଠ ପଢ଼ିଲେ ଭଲ ଫଳ ମିଳିବ ବୋଲି କୁହାଯାଇଛି ।
ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୬ ତାରିଖ ଯାଏ ଚାଲିବ ମାଟ୍ରିକ୍ ପରୀକ୍ଷା। ପରୀକ୍ଷା ତାରିଖ ନିକଟତର ହେଉଥିବା ବେଳେ ପିଲାମାନେ ଯେପରି ଭୟଭୀତ ନ ହୁଅନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦେବା ଶିକ୍ଷକ ଓ ଅଭିଭାବକମାନଙ୍କ ଦାୟିତ୍ୱ ।