କନକ ବ୍ୟୁରୋ : ସୋସିଆଲ୍ ମିଡିଆ ଇନଫ୍ଲ୍ୟୁଏନ୍ସର୍ ତଥା ପାର୍ଟିରେ ସବୁବେଳେ ବଲିଉଡ୍ ତାରକାଙ୍କ ସହ ନଜର ଆସୁଥିବା ଓରହାନ୍ ଅବତ୍ରାମଣି (ଓରି)ଙ୍କ ଅଡୁଆ ଏବେ ବଢ଼ିଯାଇଛି । ଜମ୍ମୁ-କାଶ୍ମୀର ପୁଲିସ୍ କଟରାର ଏକ ହୋଟେଲରୁ ମଦ ପିଇବା ମାମଲାରେ ୮ ଜଣ ଲୋକଙ୍କୁ ଗିରଫ କରିଛି । ଯେଉଁଥିରେ ଓରି ମଧ୍ୟ ସାମିଲ୍ ଅଛନ୍ତି । ତେବେ ହୋଟେଲରେ ମଦ୍ୟପାନ କରିବା କୌଣସି ଅପରାଧ ନୁହେଁ କିନ୍ତୁ ଓରି ଏବଂ ତାଙ୍କ ସାଙ୍ଗମାନେ ଏକାଠି ହୋଇ ଯେଉଁ ହୋଟେଲରେ ମଦ ପିଇଛନ୍ତି ସେହି ଅଞ୍ଚଳରେ ମଦ୍ୟପାନ କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ଘୋଷଣା କରାଯାଇଛି ।
/kanak/media/media_files/2025/03/17/S2wO1VcNbXvJ9Zkr1iTH.jpg)
ଆପଣଙ୍କୁ ଏଠାରେ କହିରଖୁଛୁ , ବିଶ୍ବପ୍ରସିଦ୍ଧ ତୀର୍ଥସ୍ଥଳୀ ମା’ ବୈଷ୍ଣୋଦେବୀଙ୍କ ମନ୍ଦିର ଏହି ସ୍ଥାନରେ ଅବସ୍ଥିତ । ମା’ ବୈଷ୍ଣୋଦେବୀଙ୍କୁ ସମର୍ପିତ କାଟରା ଏକ ପବିତ୍ର ସ୍ଥାନ ହୋଇଥିବା କାରଣରୁ ଏଠାରେ ମଦ୍ୟପାନ , ମାଂସ ଭକ୍ଷଣ ଆଦିକୁ ଘୋର ବିରୋଧ କରାଯାଏ । ରିପୋର୍ଟ ମୁତାବକ , ଓରି ଏବଂ ତାଙ୍କ ସାଙ୍ଗମାନଙ୍କୁ ଏନେଇ ପୂର୍ବରୁ ହୋଟେଲ୍ କର୍ମଚାରୀ ସତର୍କ କରାଇଥିଲେ । ଓରି ମଧ୍ୟ ଆମିଷ ଖାଇବାକୁ ଏବଂ ମଦ୍ୟପାନ କରିବାକୁ ମନା କରିଥିଲେ କିନ୍ତୁ ପରମୁହୂର୍ତ୍ତରେ ନିଜ କଥାକୁ ରଖିନଥିଲେ । ହୋଟେଲରେ ନନଭେଜ୍ ଖାଇଲେ , ମଦ ପିଇଲେ ଏବଂ ସାରା ରାତି ପାର୍ଟି କଲେ । ଘଟଣାଟି ମାର୍ଚ୍ଚ ୧୫ ତାରିଖର ବୋଲି କୁହାଯାଉଛି । ଏହି ମାମଲାରେ କଟରା ପୁଲିସ୍ ଷ୍ଟେସନ୍ ପକ୍ଷରୁ ଏତଲା ଜାରି କରାଯାଇଛି । ଓରିଙ୍କ ସହ ଦର୍ଶନ ସିଂହ , ପାର୍ଥ ରୈନା , ରିତିକ୍ ସିଂହ , ଋଷି ଦତ୍ତା , ରକ୍ଷିତା ଭୋଗଲ , ସଗୁନ୍ କୋହଲି ଏବଂ ଅନସତାସିଲା ଅର୍ଜମସ୍କିନା ଭଳି ୟଙ୍ଗଷ୍ଟର୍ ସାମିଲ୍ ଅଛନ୍ତି । ସମସ୍ତେ ଏବେ ଆଇନର ଜାଲରେ ଫସିଛନ୍ତି ।
/kanak/media/media_files/2025/03/17/8GC0XmKZaCTY7QIuG1CA.jpg)
ଓରିଙ୍କୁ ଭାରି ପଡ଼ିଲା ବୋକାମୀ
କହିବାକୁ ଗଲେ ଚାଲୁଥିବା ଶଗଡ଼ରେ ହାତ ମାରିଲା ଭଳି କାମ କରିଛନ୍ତି ଓରି । ନିକଟରେ ସେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର୍ କରିଥିଲେ । ଯେଉଁଥିରେ ସାଙ୍ଗମାନଙ୍କ ସହ ସେ ପାର୍ଟି କରୁଥିବାର ନଜର ଆସୁଛନ୍ତି । ହୋଟେଲ୍ ରୁମରେ ବସି ମଦ ପିଇ ଆମିଷ ଖାଇ ନାଚୁଥିବାର ଦେଖାଯାଉଛନ୍ତି ଓରି । ଭିଡିଓଟି ଭାଇରାଲ୍ ହେବା ପରେ ଏହି ଭିଡିଓକୁ ସେଠାକାର ଏସଏସପିଙ୍କୁ ଟ୍ୟାଗ୍ କରି ଜଣେ ବ୍ୟକ୍ତି ସୂଚିତ କରାଇଲେ । ଭିଡିଓଟିକୁ ଦେଖିବା ମାତ୍ରେ ପୁଲିସ୍ ବିଭାଗ ଏନେଇ ତତ୍ପରତା ଦେଖାଇଲେ । ୮ ଜଣଙ୍କୁ ହେପାଜତରେ ନେବା ସହ ଆଇନ୍ ଭଙ୍ଗ କରୁଥିବା ଲୋକଙ୍କୁ ତାଗିଦଭରା ସନ୍ଦେଶ ଦେଲେ ଏସଏସପି । ଶାନ୍ତି ଭଙ୍ଗ କରିବା , ଡ୍ରଗ୍ସ – ଆଲକହଲ୍ ଭଳି ପଦାର୍ଥ ସେବନ କରିବା ଭଳି କାର୍ଯ୍ୟକଳାପ କଲେ ଜିରୋ ଟୋଲେରାନ୍ସର କଡ଼ା ପଦକ୍ଷେପ ନେବେ ବୋଲି କହିଛନ୍ତି ଏସଏସପି ।
ଏହି ଘଟଣାକୁ ନେଇ ବିଜେପି ନେତା ସୁନିଲ୍ ଶର୍ମା ମଧ୍ୟ କଡ଼ା ଭାଷାରେ ନିନ୍ଦା କରିଛନ୍ତି ଏବଂ ଓରି ଅଧର୍ମ କରିଛନ୍ତି ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ଆସ୍ଥା , ଆଧ୍ୟାତ୍ମ୍ୟ , ବିଶ୍ବାସର ସ୍ଥଳୀ ମା’ ବୈଷ୍ଣୋଦେବୀଙ୍କ ସ୍ଥାନରେ ଏଭଳି ଅଧର୍ମ କାମ କରି ଯୁବଗୋଷ୍ଠୀଙ୍କୁ ପଥଭ୍ରଷ୍ଟ କରାଉଥିବା କଥା କହିଛନ୍ତି ନେତା ।