ନକଲି ଲେଟରେ ପ୍ୟାଡରେ ଅସଲି ଦସ୍ତଖତ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଆଇତିପୁର ପଞ୍ଚାୟତରୁ ଆସିଲା ସାଂଘାତିକ ଅଭିଯୋଗ

ମୃତ ବ୍ୟକ୍ତି କିମ୍ବା ମୁର୍ମୁଷୁ ରୋଗୀଙ୍କ ନାଁରେ ଇନସ୍ୟୁରାନ୍ସ ପଲିସି କରାଯାଇ ଟଙ୍କା ହଡ଼ପ କରୁଥିବା ବଡ ଅଭିଯୋଗ ଆସିଛି । ନିକଟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ଇନସ୍ୟୁରାନ୍ସ ଟଙ୍କା ଦାବି କରିବା ପାଇଁ ଆଇତିପୁର ପଂଚାୟତର ନକଲି ପ୍ୟାଡ଼ରେ ସରପଞ୍ଚଙ୍କ ଦସ୍ତଖତ ମଧ୍ୟ ଜାଲ କରାଯାଇଥିବା ନେଇ ଖୋଦ ସରପଞ୍ଚ ଟ୍ୱିଙ୍କଲ ତରେଇ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି ।

15

Photograph: (kanak news)

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଇତିପୁର ପଂଚାୟତରୁ ଆସିଛି ସାଂଘାତିକ ଅଭିଯୋଗ । ଶହଶହ ଲୋକ ଇନସ୍ୟୁରାନ୍ସ ଜାଲିଆତିର ଶିକାର ହେଉଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି କିମ୍ବା ମୁର୍ମୁଷୁ ରୋଗୀଙ୍କ ନାଁରେ ଇନସ୍ୟୁରାନ୍ସ ପଲିସି କରାଯାଇ ଟଙ୍କା ହଡ଼ପ କରୁଥିବା ବଡ ଅଭିଯୋଗ ଆସିଛି । ନିକଟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ଇନସ୍ୟୁରାନ୍ସ ଟଙ୍କା ଦାବି କରିବା ପାଇଁ ଆଇତିପୁର ପଂଚାୟତର ନକଲି ପ୍ୟାଡ଼ରେ ସରପଞ୍ଚଙ୍କ ଦସ୍ତଖତ ମଧ୍ୟ ଜାଲ କରାଯାଇଥିବା ନେଇ ଖୋଦ ସରପଞ୍ଚ ଟ୍ୱିଙ୍କଲ ତରେଇ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଆଇତିପୁର ଗ୍ରାମର ଲୋକନାଥ ସାହୁଙ୍କ ସ୍ତ୍ରୀ ସୁନ୍ଦରୀ ସାହୁ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ଇନସ୍ୟୁରାନ୍ସ ଟଙ୍କା ପାଇବା ପାଇଁ ପରିବାର ତରଫରୁ ଦାବି କରାଯାଇଥିଲା । ଏହାର ତଦନ୍ତ କରିବା ପାଇଁ ବ୍ରହ୍ମପୁର ପୋଷ୍ଟାଲ ଡିପାର୍ଟମେଣ୍ଟର ଉଚ୍ଚ ପଦସ୍ଥ ଅଧିକାରୀ ବସନ୍ତ କୁମାର ପଣ୍ଡା ଗୁରୁବାର ଆଇତିପୁର ପଂଚାୟତ କାର୍ଯ୍ୟାଳୟରେ ପହଂଚି ଥିଲେ। ସେ ସୁନ୍ଦରୀଙ୍କ ମୃତ୍ୟୁର କାରଣ ସମ୍ପର୍କରେ ସରପଞ୍ଚ ଟ୍ୱିଙ୍କଲ ତରେଇଙ୍କୁ ପଚାରି ଥିଲେ। କିନ୍ତୁ ଏ ସମ୍ପର୍କରେ କିଛି ଜାଣି ନଥିବା କହିଥିଲେ।

ସମ୍ପୃକ୍ତ ମହିଳାଙ୍କ ୨ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ମୃତ୍ୟୁ ହୋଇସାରିଛି ଓ ସେ ଦୀର୍ଘ ଦିନ ଧରି ବିଭିନ୍ନ ରୋଗ ରେ ପୀଡିତ ଥିଲେ ବୋଲି କହିଥିଲେ ସରପଞ୍ଚ। ଏହାପରେ ପୋଷ୍ଟାଲ ଇନସୁରାନ୍ସ ଅଧିକାରୀ, ଆଇତିପୁର ପଂଚାୟତ ସରପଞ୍ଚଙ୍କ ଦସ୍ତଖତ ଥିବା ଏକ ଲେଟର ପ୍ୟାଡ୍ ଦେଖାଇଥିଲେ। ତେବେ ଏହି ଲେଟର ପ୍ୟାଡ୍ ନକଲି ଓ ସରପଞ୍ଚଙ୍କ ଦସ୍ତଖତ ଜାଲ ବୋଲି ଜଣା ପଡିଥିଲା। ତେଣୁ ସରପଞ୍ଚ ଟ୍ୱିଙ୍କଲ ତରେଇ ଖଲ୍ଲିକୋଟ ଥାନା ରେ ଏତଲା ଦେବା ସହ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି। ଏହି ଗୋଟିଏ ଘଟଣା ନୁହଁ ଗତ ପ୍ରାୟ ୧୫ ବର୍ଷ ହେଲା ଏହିଭଳି ଇନସ୍ୟୁରାନ୍ସ ଜାଲିଆତି ହେଉଥିବା ଶୁଣାଯାଉଛି ବୋଲି ସରପଞ୍ଚଙ୍କ ସ୍ୱାମୀ ମୋହନ ତରେଇ କହିଛନ୍ତି । କିନ୍ତୁ ସେମାନଙ୍କ ନିକଟରେ କୌଣସି ପ୍ରମାଣ ନ ଥିବାରୁ ଏହା ଚାଲିଥିଲା । କିନ୍ତୁ ବର୍ତ୍ତମାନ ପ୍ରମାଣ ହାତରେ ଲାଗିଥିବାରୁ ଏହାରି ବିରୋଧରେ ବିଧିବଦ୍ଧ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe