କନକ ବ୍ୟୁରୋ: ମହାପ୍ରସାଦକୁ ରସାୟନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ । ପ୍ରାରମ୍ଭିକ ପର୍ୟ୍ୟାୟରେ ଶ୍ରୀମନ୍ଦିର କୋଠଭୋଗରେ ବ୍ୟବହାର କରାଯିବ ଜୈବିକ ଚାଉଳ । 'ଅମୃତ ଅନ୍ନ' ନାମରେ ସ୍ବତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ଜୈବିକ ଅନ୍ନରୁ ପ୍ରସ୍ତୁତ ମହାପ୍ରସାଦ ଆନନ୍ଦବଜାରରେ ଭକ୍ତଙ୍କ ପାଇଁ ଉପଲବ୍ଧ ହେବ। ସଂପୂର୍ଣ୍ଣ ପ୍ରକ୍ରିୟାକୁ କାର୍ୟ୍ୟକାରୀ କରିବାକୁ ଏକ ପରିଚାଳନା କମିଟି ଗଠନ କରାଯିବ। 

Advertisment

ଶ୍ରୀମନ୍ଦିର ପ୍ରଶାସନ, ସୁଆର-ମହାସୁଆର ନିଯୋଗ ପ୍ରତିନିଧି, ଉତ୍ପାଦକ ଗୋଷ୍ଠୀର ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ଏହାର ସଦସ୍ୟ ରହିବେ । ବୁଧବାର କୃଷି ଭବନ ସମ୍ମିଳନୀ କକ୍ଷରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି, ସେବାୟତଙ୍କ ପକ୍ଷରୁ ଏହି ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି ।  
 
ରାଜ୍ୟରେ ଉତ୍ପାଦିତ କଳାଜିରା, ପିମ୍ପୁଡ଼ିବାସ, ଯୁବରାଜ ଆଦି ଦେଶୀୟ ପ୍ରଜାତିର ଜୈବିକ ଧାନ ଅମୃତ ଅନ୍ନ ମହାପ୍ରସାଦରେ ବ୍ୟବହାର ହେବ । ଶ୍ରୀମନ୍ଦିରରେ ଦୈନିକ ପ୍ରାୟ ୫୦ରୁ ୬୦କୁଇଣ୍ଟାଲ ଚାଉଳରେ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ । ବିଶେଷ ଦିନ ମାନଙ୍କରେ ଏହାର ପରିମାଣ ୧୫୦ରୁ ୨୦୦ କ୍ବିଣ୍ଟାଲ ପର୍ୟ୍ୟନ୍ତ ଯାଇଥାଏ । ଏନେଇ ଆଗାମୀ ଦିନରେ ସୁଆର, ମହାସୁଆର ନିଯୋଗ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । 
 

'ଅମୃତ ଅନ୍ନ' ନାମରେ ଆରମ୍ଭ ହେଉଥିବା ପ୍ରକଳ୍ପ ଦ୍ବାରା ରସାୟନମୁକ୍ତ ହେବ ମହାପ୍ରସାଦ, ଜୈବିକ ପଦ୍ଧତିରେ ଉତ୍ପାଦନ ବେଳେ ଗୋମୂତ୍ର, ଗୋବର, ବୀଜାମୃତ ତଥା ଅନ୍ୟ ଜୈବିକ ଖତର ବ୍ୟବହାର ରାଜ୍ୟରେ ଗୋବଂଶର ସୁରକ୍ଷା ଓ ବୃଦ୍ଧିରେ ମଧ୍ୟ ସହାୟକ ହୋଇପାରିବ ।