ଚାଷରେ ଆଉ ରାସାୟନିକ ନୁହେଁ, ବ୍ୟବହାର ହେବ ଜୈବିକ ସାର । ଏ କ୍ଷେତ୍ରରେ ନେତୃତ୍ବ ନେଇ ଜୈବିକ ସାର ପ୍ରସ୍ତୁତ କରୁଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ସିକୋ ଅଞ୍ଚଳର କୃଷି ମିତ୍ର ମହିଳା । ଏହି ସାରର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ଉତ୍ପାଦନ କରୁଥିବା ମହିଳା ଓ ବ୍ୟବହାର କରୁଥିବା ଚାଷୀ ଲାଭ ପାଉଛନ୍ତି । ଫସଲରେ ରାସାୟନିକ ସାର ପ୍ରୟୋଗ ଯୋଗୁ ସ୍ବାସ୍ଥ୍ୟ ପ୍ରତି ହେଉଥିବା କ୍ଷତିରୁ ଲୋକଙ୍କୁ ମୁକ୍ତି ମିଳୁଛି ।
ଏବେ ଚାଷ ପାଇଁ ବହୁ ପରିମାଣର ରାସାୟନିକ ସାର ବ୍ୟବହାର କରାଯାଉଛି । ଯାହାର ପରିଣାମ ସ୍ବରୂପ ଲୋକ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଅନେକ ସମୟରେ ରାସାୟନିକ କୀଟନାଶକ ମାରାତ୍ମକ ରୋଗର କାରଣ ପାଲଟିବା ସହ ଲୋକଙ୍କ ଜୀବନ ନେଉଛି । ଏହା ସହିତ ନଷ୍ଟ ହେଉଛି କ୍ଷେତର ଉର୍ବରତା । କୀଟନାଶକ ପ୍ରୟୋଗ ଯୋଗୁ ଅମଳ ହେଉଥିବା ଫସଲ ବିଷ ପାଲଟୁଛି । ଏସବୁରୁ ମୁକ୍ତି ପାଇବା ପାଇଁ କିଛି କୃଷି ମିତ୍ର ମହିଳା ନିଆରା ଉଦ୍ୟମ ଆରମ୍ଭ କରିଛନ୍ତି । ବିଭିନ୍ନ ଗଛର ପତ୍ର, ଚେର ଓ ଛେଲିକୁ ବ୍ୟବହାର କରି ପ୍ରସ୍ତୁତ କରୁଛନ୍ତି ଜୈବିକ ସାର । ଯାହା ସବୁ ଦୃଷ୍ଟିରୁ ବେଶ୍ ଲାଭଦାୟକ ।
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସିକୋ ଅଞ୍ଚଳ ଚାଷ ପାଇଁ ବେଶ୍ ଜଣାଶୁଣା। ଏଠିକାର ଚାଷୀମାନେ ଧାନ ପରେ ପନିପରିବା ଓ ଅନ୍ୟଚାଷ କରନ୍ତି । ତେବେ ରାସାୟନିକ ସାର ବ୍ୟବହାର ବନ୍ଦ କରିବା ପାଇଁ ମହିଳା କୃଷି ମିତ୍ରମାନେ ତାଲିମ ନେଇ ଜୈବିକ ସାର ପ୍ରସ୍ତୁତ କରୁଛନ୍ତି । ଏହି ସାରର ଉପକାରିତା ନେଇ ଚାଷୀଙ୍କୁ ବୁଝାଉଛନ୍ତି । କ୍ଷେତରେ ପରୀକ୍ଷାମୂଳକ ବ୍ୟବହାର ପରେ ଏହା ବେଶ୍ ଫଳପ୍ରଦ ହେଉଛି । ମହିଳାମାନେ ନିମ୍ବ, ଲଙ୍କା, ବେଗୁନିଆ ଓ କରଞ୍ଜ ଆଦି କେତେକ ଗଛର ପତ୍ରରୁ ଏହି ସାର ପ୍ରସ୍ତୁତ କରୁଛନ୍ତି । ବିଭିନ୍ନ ରୋଗ ଓ ପୋକ ପାଇଁ ଭିନ୍ନ ଭିନ୍ନ ସାର ପ୍ରସ୍ତୁତ କରାଯାଉଛି । ଜୈବିକ ସାରର ନାଁ ବ୍ରହ୍ମାସ୍ତ୍ର, ଆଗ୍ନେୟାସ୍ତ୍ର, ହାଣ୍ଡିଖତ, ନିମାସ୍ତ୍ର ଆଦି ରଖାଯାଇଛି । ହାତ ତିଆରି ସାର କ୍ଷେତରେ ପ୍ରୟୋଗ କରି ଚାଷୀ ସଫଳ ହୋଇଛନ୍ତି । ଜୈବିକ ସାର କିଣିବାକୁ ବିଭିନ୍ନ ଅଞ୍ଚଳର ଚାଷୀଙ୍କ ଭିଡ଼ ଲାଗୁଛି । ସୁସ୍ଥ ସମାଜ ପାଇଁ ସୁସ୍ଥ ଜୀବନ ଜରୁରି । ସେଥିପାଇଁ ଚାଷୀ ଜୈବିକ ସାର ପ୍ରତି ମନ ବଳାଉଛନ୍ତି ।