କନକ ବ୍ୟୁରୋ :   ଖଡ଼ିଆଳ ସହରର ଚିତ୍ତରଂଜନ ମହାପାତ୍ର  । ନିଜ ଜମିରେ ଫଳାଇଛନ୍ତି ଭଳିକିଭଳି ପନିପରିବା। ଖଡ଼ିଆଳ ନିକଟସ୍ଥ ରାଣୀପୁର ଗାଁରେ  ତାଙ୍କର ତିନି ଏକର ଜମି ପଡ଼ିଆ ପଡ଼ିଥିଲା। ଚଳିତ ବର୍ଷ ପଡ଼ିଆ ଜମିରେ ସୁନାର ଫସଲ ଫଳାଇଛନ୍ତି ଚିତ୍ତରଂଜନ । ଖଡ଼ିଆଳକୁ ସାଧାରଣତଃ ରାୟପୁର ମାର୍କେଟରୁ ପନିପରିବା ଆସିଥାଏ। ଅଧିକଂଶ ସମୟରେ ରାସାୟନିକ ସାର ପ୍ରୟୋଗ କରାଯାଉଥିବା ନେଇ ଲୋକେ ଅଭିଯୋଗ କରନ୍ତି । ହେଲେ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ଏହି ଚାଷୀ ଜଣଙ୍କ । ଜୈବିକ ପ୍ରଣାଳୀରେ କାକୁଡି, ଭେଣ୍ଡି, କଲରା, ଲଙ୍କା, ଟମାଟୋ ଆଦି ତାଙ୍କ ବାଡ଼ିରେ ଚାଷ କରିଛନ୍ତି ଚିତରଞ୍ଜନ। ଜୈବିକ ସାର ଯଥା ଜିଆ ଖତ, ଦେଶୀ ଗାଈ ଗୋବର, ଗାଈ ମୂତ୍ର, ପଚାସଢା  ଗଛ ପତ୍ର ଆଦିର ବ୍ୟବହାର କରି ପନିପରିବା ଚାଷ କରୁଛନ୍ତି ।  ରୋଗ ପୋକରୁ ରକ୍ଷା ପାଇବା ପାଇଁ ସେ ତାଙ୍କ ଜମିରେ ତିନି ପ୍ରକାର ଟ୍ରେପ୍ ମଧ୍ୟ ଲଗାଇଛନ୍ତି । ଯେଉଁଥିରେ ପନିପରିବାରେ ଲାଗୁଥିବା କୀଟ ପତଙ୍ଗ ଲାଖି ଯାଆନ୍ତି। ଏହା ସହିତ ସେ ସଜନା, ନଡ଼ିଆ, ଅମୃତଭଣ୍ଡା ଚାଷ କରିଛନ୍ତି । ଆଶା ଅଛି ବିନା ରାସାୟନିକ ସାରରେ ଉପାର୍ଜିତ ପନିପରିବା ଖାଇ ଲୋକେ ସୁସ୍ଥ ରହିବେ। 

Advertisment

ବର୍ତ୍ତମାନ ପର୍ୟ୍ୟନ୍ତ ସେ ପନ୍ଦର ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କହନ୍ତି। ତାଙ୍କ ଚାଷ ବଗିଚାରେ କାମ ମିଳୁ ଥିବାରୁ ବାହାରକୁ ଯିବାକୁ ପଡୁନାହିଁ ବୋଲି ଶ୍ରମିକ ମାନେ କହିଛନ୍ତି। ସ୍ଥାନୀୟ ଅଂଚଳରେ କାମ କରି କିଛି ରୋଜଗାର କରିପାରୁଥିବାରୁ ଖୁସି ପ୍ରକାଶ କରିଛନ୍ତି କର୍ମଚାରୀ । 

ପ୍ରଶାସନ ପକ୍ଷରୁ ତାଙ୍କୁ ବୀମା ସୁବିଧା, ଶୀତଳ ଭଣ୍ଡାର ସୁବିଧା ଆଦି ଯୋଗାଇ ଦେବାକୁ ଚିତ୍ତ ରଞ୍ଜନ ଦାବି କରିଛନ୍ତି। ଏନେଇ ଖଡ଼ିଆଳ ସହକାରୀ ଉଦ୍ୟାନ କୃଷି ଅଧିକାରୀ ମୋହିତ କୁମାର ନାଏକଙ୍କୁ ପଚାରିବାରୁ ତାଙ୍କୁ ନିୟମ ମୁତାବକ ସହଯୋଗ ପାଇଁ ସରକାରଙ୍କୁ ଜଣାଇବେ ବୋଲି କହିଥିଛନ୍ତି ।

ପନିପରିବା ସାଇତି ରଖିବାକୁ ସୁବିଧା ନଥିବାରୁ ବେପାରୀ ମାନଙ୍କୁ କମ୍ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟହେଉଛନ୍ତି ଚାଷୀ ଚିତରଞ୍ଜନ। ବଜାରରେ କାକୁଡି ତିରିଶିରୁ ଚାଳିଶି ଟଙ୍କାରେ ବିକ୍ରି ହେଉଥିବା ବେଳେ ସେ ପନ୍ଦର ଟଙ୍କାରେ ଦେଉଛନ୍ତି । ଭେଣ୍ଡି ୬୦ ଟଙ୍କାରେ ବିକ୍ରି  ହେଉଥିବା ବେଳେ ତିରିଶି ଟଙ୍କାରେ ବିକ୍ରି କରୁଛନ୍ତି ଚିତରଞ୍ଜନ । ସେହିପରି କରଲା ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ସେ ୩୦ ଟଙ୍କାରେ ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି । ଲଙ୍କା ଦେଢ଼ ଶହ ଟଙ୍କାରେ ବିକ୍ରି ହେଉଥିବା ବେଳେ ୬୦ ଟଙ୍କାରେ ସେ ବେପାରୀ ମାନଙ୍କୁ ଦେଉଛନ୍ତି। ଫଳରେ ତାଙ୍କୁ କ୍ଷତି ସହିବାକୁ ପଡ଼ୁଛି ।