କନକ ବ୍ୟୁରୋ: ଦିନେ ଯାହା ସ୍ବପ୍ନ ଥିଲା, ଆଜି ତାହା ସତ ହୋଇଛି । ଫୁଲକୁ ଭଲ ପାଉଥିବା ଜଣେ ମହିଳା ଅର୍କିଡ୍ ଭଳି ମୁଲ୍ୟବାନ ଫୁଲ ଚାଷ କରୁଛନ୍ତି । ଏହି ଫୁଲ ଅଧିକ ଦିନ ସତେଜ ରହିବା ସହ ବଜାରରେ ଏହାର ଚାହିଦା ରହିଛି । ଅର୍କିଡ୍ ଫୁଲ ଚାଷ କରି ଭଲ ରୋଜଗାର କରୁଛନ୍ତି ସମ୍ବିତା ବୋଷ । ଅନ୍ୟ ମହିଳାମାନଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି ।
ବିବାହ କିମ୍ବା ବ୍ରତଘର, ଅବା କୌଣସି ସଭାସମିତି, ସବୁଠାରେ ଅର୍କିଡ୍ ଫୁଲର ଚାହିଦା ରହିଛି । ଏହି ଫୁଲ ବେଶ୍ ଦାମିକିଆ ଓ ଅଧିକ ଦିନ ସତେଜ ରହିଥାଏ । ଅର୍କିଡ ଫୁଲଚାଷ ବେଶ୍ ଲାଭଦାୟକ । କଟକ ଜିଲ୍ଲା ଆଠଗଡ଼ ଖମାର ନୂଆଗାଁ ଅଞ୍ଚଳରେ ଥିବା ଏହି ଫାର୍ମରେ ଲାଗିଛି ୪୩ ହଜାର ଅର୍କିଡ୍ ଚାରା । ଥାଇଲାଣ୍ଡରୁ ଚାରା ଆଣି ୧ ଏକର ଜାଗାରେ ଲଗାଇଛନ୍ତି ସମ୍ବିତା ବୋଷ । ଉନ୍ନତ ଜ୍ଞାନକୌଶଳ ଉପଯୋଗ କରି ଏହି ଚାଷ କରାଯାଇଛି । ଚାରା ଲଗାଇବାର ୬ ମାସ ପରେ ଫୁଲ ଫୁଟିବା ଆରମ୍ଭ ହୋଇଥାଏ । ବର୍ଷକ ପରେ ଫୁଲ ତୋଳା ହୋଇଥାଏ । ଥରେ ଗଛ ଲଗାଇଲେ ୧୦ ବର୍ଷ ଯାଏଁ ଫୁଲ ମିଳେ । ଫୁଲ ଗଚ୍ଛିତ ରଖିବା ପାଇଁ ଶୀତତାପ ନିୟନ୍ତ୍ରିତ ଘର କରାଯାଇଛି । ଯାହାଦ୍ବାରା ୩୦ ଦିନ ପର୍ୟ୍ୟନ୍ତ ସତେଜ ରହିଥାଏ ଏହି ଫୁଲ। ପାଣି ଦେବାଠାରୁ ଆରମ୍ଭ କରି ରୋଗପୋକ ଦାଉରୁ ସୁରକ୍ଷା ପାଇଁ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇଛି ।...
ସବୁଠାରୁ ବଡ଼କଥା, ଅର୍କିଡ୍ ଫୁଲଚାଷ ବିନା ମାଟିରେ କରାଯାଉଛି । ମାଟିଠାରୁ ୩ ଫୁଟ ଉପରେ ଫାଇବର ଖୁଣ୍ଟ କରାଯାଇ ନଡ଼ିଆ କତାରେ ଲାଗିଛି ଗଛ । ପୁରୀ ସାକ୍ଷୀଗୋପାଳ ଅଞ୍ଚଳରୁ ନଡ଼ିଆ କତା ଆଣିବାକୁ ପଡ଼ୁଛି । ଧଳା, ହଳଦିଆ ଓ ଗୋଲାପି ରଙ୍ଗର ଏହି ଫୁଲ ଦେଖିବାକୁ ଯେତିକି ସୁନ୍ଦର, ସେତିକି ଲାଭ ଦେଉଛି । ଅଞ୍ଚଳରେ ନୂଆ ପ୍ରକାରର ଫୁଲଚାଷ ହୋଇଥିବାରୁ କୃଷି ଅଧିକାରୀ ଓ ଆଗ୍ରହୀ ବ୍ୟକ୍ତି ଚାଷ ପ୍ରଣାଳୀ ଦେଖିବାକୁ ଆସୁଛନ୍ତି ।
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସମ୍ବିତା ବୋଷ ଋଣ ନେଇ ଏହି ଚାଷ କରିଛନ୍ତି । ପ୍ରାୟ କୋଟିଏ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ମାସକୁ ୨ ଲକ୍ଷ ଟଙ୍କା ରୋଜଗାର ହୋଇପାରେ । ଅର୍କିଡ୍ ଫୁଲଚାଷ ଲାଭଜନକ ହୋଇଥିବାରୁ ଯୁବପିଢ଼ି ଏହି ଚାଷ ଆପଣାଇଲେ ଭଲ ରୋଜଗାର କରିପାରିବେ ।