କନକ ବ୍ୟୁରୋ: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଅବପାତ । ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଅବପାତ ସକ୍ରିୟ ରହିଛି । ଉତ୍ତର ଦିଗରେ ଗତି କରି ଗଭୀର ଅବପାତର ରୂପ ନେଇବ । ଏହାର ପ୍ରଭାବରେ ରାଜ୍ୟରେ ୨ ଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଜି ସକାଳ ସାଢେ ୮ଟା ସୁଦ୍ଧା ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୨୩ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ । ବିଜୁଳି ଘଡ଼ଘଡ଼ି ସହ ଝଟ୍କା ପବନ ୪୦ରୁ ୫୦କିଲୋମିଟର ବେଗରେ ବହିବା ସମ୍ଭାବନା ରହିଛି । ଆଜି ସକାଳ ୮ଟା ୩୦ରୁ ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୨୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିଲା ।
ଚଳିତ ବର୍ଷ ମେ’ରେ ଆସିଛି ମୌସୁମୀ । ଏବର୍ଷ ୧୦ ଦିନ ଆଗରୁ ଓଡ଼ିଶା ଛୁଇଁଛି ମୌସୁମୀ । ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମୌସୁମୀ ସ୍ପର୍ଶ କରିଛି । ଆଉ କିଛି ଦିନ ଭିତରେ ସମଗ୍ର ଓଡ଼ିଶାକୁ ଛୁଇଁବ । ସମଗ୍ର ଓଡ଼ିଶାକୁ ମୌସୁମୀ ସ୍ପର୍ଶ କରିବା ପାଇଁ ଅନୁକୂଳ ରହିଛି ପାଗ । ସାଧାରଣତଃ ଜୁନ ୧୨ତାରିଖ ସୁଦ୍ଧା ରାଜ୍ୟକୁ ମୌସୁମୀର ଆସିଥାଏ । ୧୫ ବର୍ଷ ପରେ ମୌସୁମୀ ରାଜ୍ୟକୁ ଏତେ ଶୀଘ୍ର ଆସିଥିବା ପାଣିପାଗ ବିଜ୍ଞାନୀମାନେ କହିଛନ୍ତି । ପ୍ରଥମ ଦିନରେ ମୌସୁମୀ ବାୟୁ ସଂପୂର୍ଣ୍ଣ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ଆଚ୍ଛାଦିତ କରିଥିବା ବେଳେ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି କିଛି ଅଞ୍ଚଳରେ ଏହା ସକ୍ରିୟ ହୋଇଛି ।