କନକ ବ୍ୟୁରୋ : ବିଜେଡି ସରକାର ଯାଇ ବିଜେପି ସରକାର ଆସିଲା, କିନ୍ତୁ ପିଲାଙ୍କ ସମସ୍ୟା ସେହି ସମସ୍ୟାରେ ରହିଗଲା । ରାଜ୍ୟରେ ପୁଣି ନିଯୁକ୍ତି ପ୍ରକ୍ରିୟାରେ ତ୍ରୁଟି ଧରାପଡିବା ପରେ ଅନେକ ପ୍ରଶ୍ନ ଉଠିଛି । ରବିବାର OPSC ଓ OSSC ପରୀକ୍ଷାରେ ଅନିୟମିତତା ହୋଇଥିବା କଥା ସାମ୍ନାକୁ ଆସିବା ପରେ ଚାକିରି ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଉ କେତେ ତ୍ରୁଟି ହେଲେ ସରକାର ଚେତିବେ ବୋଲି ପ୍ରଶ୍ନ ଉଠିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି, ଆଗକୁ ସବୁକିଛି ବ୍ୟବସ୍ଥିତ ଢଙ୍ଗରେ ହେବ । ଏହାସହ ପ୍ରଶ୍ନପତ୍ର ତ୍ରୁଟି ଘଟଣାର ତଦନ୍ତ ହେବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ଦୁଇ ଦୁଇ ସଂସ୍ଥା ଦ୍ୱାରା କରାଯାଉଥିବା ପରୀକ୍ଷାରେ ପ୍ରଶ୍ନପତ୍ରରେ ତ୍ରୁଟି ଧରାପଡିବା ପରେ କର୍ତ୍ତୁପକ୍ଷଙ୍କର ଚେତା ପଶିଛି । ସୂଚନା ଅନୁସାରେ, ପରୀକ୍ଷା ପ୍ରଶ୍ନପତ୍ର ବିଭ୍ରାଟ ପ୍ରସଙ୍ଗରେ OPSC ପକ୍ଷରୁ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । କାହିଁକି ହେଲା ଏତେ ବଡ଼ ତ୍ରୁଟି ? ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ନେଇ ଏତେ ହାଲ୍କା ମନୋଭାବ କାହିଁକି ? ପ୍ରକୃତ ଦୋଷ କାହାର ଆଉ କେଉଁଠି ରହିଲା ଭୁଲ ? ଏନେଇ ବୈଠକରେ କମିଶନ ଚର୍ଚ୍ଚା କରି କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି । କନକ ନ୍ୟୁଜ୍କୁ ଏ ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ସେପଟେ ଏହାକୁ ନେଇ ରାଜନୀତି ଜୋର ଧରିଛି । ସରକାରଙ୍କୁ ବିରୋଧୀ ଘେରିଛନ୍ତି ।
ପୂର୍ବରୁ ଆରଆଇ ଓ ଅମିନ ପରୀକ୍ଷାରେ ବଡ ବିଭ୍ରାଟ ହୋଇଥିବା ଅଭିଯୋଗ ଆସିଥିଲା । ସାରା ରାଜ୍ୟରେ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏହାପରେ ପ୍ରିଲିମ ପରୀକ୍ଷାରେ ସବୁ ପରୀକ୍ଷାର୍ଥୀଙ୍କୁ ପାସ କରାଯାଇଛି । ଏବେ ପୁଣି ନିଯୁକ୍ତି ପ୍ରକ୍ରିୟାରେ ବିଭ୍ରାଟ ପରୀକ୍ଷା ପରିଚାଳନା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।