କନକ ବ୍ୟୁରୋ: ସେବି ମୁଖ୍ୟ ମାଧବୀ ବୁଚଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ତାଙ୍କ ବିରୋଧରେ ମିଳିଲାନି କୌଣସି ବି ପ୍ରମାଣ । ଗତ ସଂସଦ ଅଧିବେଶନରେ ତାଙ୍କ ନାଁ ବେଶ୍‌ ଚର୍ଚ୍ଚାକୁ ଆସିଥିଲା । ତାଙ୍କ ବିରୋଧରେ ଆସିଥିଲା ସଙ୍ଗୀନ ଅଭିଯୋଗ । ସେ ନିଜ ପଦର ଅପବ୍ୟବହାର କରୁଥିବା ନେଇ ଅଭିଯୋଗ ଆଣିଥିଲା କଂଗ୍ରେସ । କେବଳ ସେତିକି ନୁହେଁ, ତାଙ୍କ ପରିବାର ଏବଂ ବିଜେପିକୁ ମଧ୍ୟ ଦୋଷାରୋପ କରିଥିଲା । ବହୁ ପରିମାଣରେ ଦୁର୍ନୀତି ହୋଇଛି ବୋଲି କହିଥିଲା । ତେବେ ବର୍ତ୍ତମାନ ଏହି ମାମଲାର ତଦନ୍ତ ଶେଷ ହୋଇଛି । ତଦନ୍ତରୁ ମାଧବୀ କିମ୍ବା ତାଙ୍କର ପରିବାର ବିରୋଧରେ କୌଣସି ପ୍ରମାଣ ମିଳିନଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି । ମାଧବୀଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଚାଲିଥିବା ଭିତରେ କେନ୍ଦ୍ର ସରକାର ଯାଞ୍ଚ ଆରମ୍ଭ କରିଥିଲେ । ଉଭୟ ଏଜେନ୍ସି ଏବଂ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଏହି ଯାଞ୍ଚ କରାଯାଇଥିଲା । ଏଥିରେ ମାଧବୀ ବୁଚ୍ ଏବଂ ତାଙ୍କ ପରିବାରକୁ ବଡ଼ ଆଶ୍ୱସ୍ତି ମିଳିଛି । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ସୂତ୍ରରୁ ସୂଚନା ମିଳିଛି ଯେ, ତଦନ୍ତ ଶେଷ ହୋଇଛି ଏବଂ ତାଙ୍କ ବିରୋଧରେ କୌଣସି ସେଭଳି ସନ୍ଦିଗ୍ଧ ପ୍ରମାଣ ମିଳିନାହିଁ । ସରକାରଙ୍କ ବିଶ୍ୱାସ ଯେ, SEBIର ଚେୟାରମ୍ୟାନ୍ ଭାବରେ ମାଧବୀ ପୁରୀ ବୁଚ ଏହି ବ୍ୟବସ୍ଥାକୁ ପରିଷ୍କାର କରିବା ପାଇଁ ବହୁ ଉଦ୍ୟମ କରିଛନ୍ତି । ତେବେ ଏହାକୁ ନେଇ ଅନେକ ଲୋକ ଖୁସି ନୁହଁନ୍ତି । ମାଧବୀ ପୁରୀ ବୁଚ ତାଙ୍କ କାର୍ୟ୍ୟକାଳ ଶେଷ ହେବା ଯାଏଁ ଏହ ପଦରେ ରହିବେ । ତାଙ୍କ କାର୍ୟ୍ୟକାଳ ୨୦୨୫ ଫେବୃଆରୀ ୨୮ରେ ଶେଷ ହେବ। । ମାଧବୀ ପୁରୀ ବୁଚ୍‌ ୨୦୨୨ ମସିହା ମାର୍ଚ୍ଚ ୧ ତାରିଖରୁ ଭାରତର -ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ର ପ୍ରଥମ ମହିଳା ଚେୟାରମ୍ୟାନ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।