ଦୋଛକିରେ ବିଜେଡି ସୁପ୍ରିମୋ ! ବିଜେପିର ହେଲେନି କି କଂଗ୍ରେସକୁ ଗଲେନି, ଜାତୀୟ ରାଜନୀତିରେ ପକ୍ଷ ନେଉନି ବିଜେଡି

ଭୋଟ ଚୋରି ପ୍ରସଙ୍ଗରେ ପଦାରେ ପଡିଲା ବିଜେଡିର ଆଭିମୁଖ୍ୟ । ଜାତୀୟ ରାଜନୀତିରେ ପକ୍ଷ ସ୍ଥିର କରିପାରୁନି ଦଳ । ଏନଡିଏ ସହ ଗଲାନି କି ଇଣ୍ଡି ମେଣ୍ଟର ପଦଯାତ୍ରାରେ ହେଲାନି ସାମିଲ ।

24-BJD-Naveen

କନକ ବ୍ୟୁରୋ: ୮ ମାସ ତଳେ ଭୋଟ ହେରଫେରର ଅଭିଯୋଗ ଆଣି ନିର୍ବାଚନ କମିସନଙ୍କୁ ଭେଟିଥିଲା ବିଜେଡି । ଏବେ ସେହି ପ୍ରସଙ୍ଗରେ ବିରୋଧୀ ଇଣ୍ଡି ମେଣ୍ଟ ଏକାଠି ହୋଇ ନିର୍ବାଚନ କମିସନ ଓ କେନ୍ଦ୍ର ବିରୋଧରେ ଗର୍ଜନ କରିଛନ୍ତି । ହେଲେ ଦିଲ୍ଲୀରେ ୭ ସାଂସଦ ଥାଇ ବି ବିଜେଡି ପ୍ରତିବାଦକୁ ଯାଇନି । ତେଣୁ ଜାତୀୟ ରାଜନୀତିରେ ବିଜେଡି କାହିଁକି ସ୍ପଷ୍ଟ ପକ୍ଷ ନେଇପାରୁନି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।  

ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି ବିରୋଧୀ ଇଣ୍ଡି ମେଣ୍ଟ । ଭୋଟ ଚୋରି ଓ ଏସଆଇଆର ପ୍ରସଙ୍ଗରେ ଇସିଆଇ ଅଫିସ ଘେରି ଶକ୍ତି ପ୍ରଦର୍ଶନ କରିଛନ୍ତି । ୨୫ଟି ରାଜନୈତିକ ଦଳର ସାଂସଦ ଏଥିରେ ସାମିଲ ଥିଲେ, ହେଲେ ବିଜୁ ଜନତା ଦଳ ଏଥିରେ ସାମିଲ ହୋଇନି । ଯାହାକୁ ନେଇ ପୁଣିଥରେ ବିଜେଡିର ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏକଲା ଚଲୋ ନୀତିରେ ଅଛି କି ବିଜେଡି ? ଜାତୀୟ ରାଜନୀତିରେ କାହିଁକି ସ୍ପଷ୍ଟ ପକ୍ଷ ନେଇପାରୁନି ଦଳ ? ବିଜେପିକୁ ଖୋଲା ସମର୍ଥନ ଦେଉନି କି ବିରୋଧୀ ମେଣ୍ଟର ପ୍ରତିବାଦକୁ ଯାଉନି ବିଜେଡି।  ଏହାକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ କହିଛନ୍ତି, ପ୍ରସଙ୍ଗଭିତ୍ତିକ ସମର୍ଥନ ଦେଇଛି ବିଜେଡି । ଏ ବାବଦରେ ସୁପ୍ରିମୋଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଆସିନି । 

ରାହୁଲଙ୍କ ପକ୍ଷ ନେଲାନି ବିଜେଡି
‘ଭୋଟ୍‌ ଚୋରି ନୁହେଁ, ତ୍ରୁଟି ହୋଇଛି’

ଭୋଟ୍‌ ଚୋରି ପ୍ରସଙ୍ଗରେ ବିରୋଧୀ କେନ୍ଦ୍ର ଓ ନିର୍ବାଚନ କମିସନଙ୍କୁ ଲଗାତର ଭାବେ ଟାର୍ଗେଟ୍‌ କରିଆସୁଛନ୍ତି । ଆଠମାସ ତଳେ ବିଜେଡି ଏନେଇ ନିର୍ବାଚନ କମିସନଙ୍କୁ ଭେଟିସାରିଛି । ହେଲେ ରାହୁଲଙ୍କ ଭୋଟଚୋରି ଅଭିଯୋଗରେ ବିଜେଡି ମାପିଚୁପି ପ୍ରତିକ୍ରିୟା ରଖିଛି । ଦଳର ବରିଷ୍ଠ ନେତା ଅମର ପଟ୍ଟନାୟକ କହିଛନ୍ତି, ଭୋଟ୍‌ ଚୋରି ନୁହେଁ, ତ୍ରୁଟି ହୋଇଛି । ଭୋଟର ତାଲିକା ଫର୍ମ ୧୭-Cରେ ଦିଆଯାଇଥିବା ତଥ୍ୟରେ ତାଳମେଳ ନାହିଁ । ପୂର୍ବରୁ ଇସିଆଇକୁ ଭେଟିଛୁ, ଆଗକୁ ମଧ୍ୟ ଭେଟିବୁ । ଅନେକ ପ୍ରସଙ୍ଗରେ ବିଜେଡି ସ୍ପଷ୍ଟ ଆଭିମୁଖ୍ୟ ରଖିନାହିଁ । ବହୁ କ୍ଷେତ୍ରରେ ଏନ୍‌ଡିଏକୁ ଖୋଲା ସମର୍ଥନ ଦେଇଛି । ଆଗକୁ ଉପରାଷ୍ଟ୍ରପତି ନିର୍ବାଚନରେ ଦଳ କାହାକୁ ସମର୍ଥନ ଦେଉଛି, ତା ଉପରେ ସମସ୍ତଙ୍କ ନଜର ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe