କନକ ବ୍ୟୁରୋ : ପୋଲିସ କମିଶନରଙ୍କ ଅଫିସ୍ ଆଗରେ ଡିଜେ ମାଲିକ ସଂଘ । ଶତାଧିକ ଡିଜେ ମାଲିକ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି । ଗଣେଶ ପୂଜାରେ ଟ୍ବିନ୍ ସିଟିରେ ଡିଜେ ବନ୍ଦ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ନିଷ୍ପତି ନିଆଯାଇଛି । ଏହାର ପ୍ରତିବାଦରେ ଆଜି ଡିଜେ ମାଲିକ ସଂଘ ପୋଲିସ କମିଶନରଙ୍କୁ ଭେଟିଛନ୍ତି । ନିଷ୍ପତିର ପୁନର୍ବିଚାର କରିବା ପାଇଁ ଡିଜେ ମାଲିକ ସଂଘ ଦାବି କରିଛି । 

ଜଟଣୀର ପ୍ରସିଦ୍ଧ ଗଣେଶ ପୂଜା ଓ ଭସାଣି ଉତ୍ସବକୁ ଶୃଙ୍ଖଳାର ସହିତ ପରିଚାଳନା କରିବା ପାଇଁ ଆଜି କମିସନରେଟ୍ ପୁଲିସ ପକ୍ଷରୁ ସ୍ଥାନୀୟ ଧର୍ମଶାଳାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ସୌମ୍ୟକାନ୍ତ ବଳିୟାରସିଂହଙ୍କ ସଂଯୋଜନା ଓ ଜୋନ-୩ ଏସିପି ତାପସ ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥିଭାବେ ପୁଲିସ ଡିସିପି ପ୍ରତୀକ ସିଂ ଯୋଗ ଦେଇଥିଲେ । ଏହି ଅବସରରେ ଡିସିପି ଶ୍ରୀ ସିଂ ପୂଜାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପୁଲିସ ପ୍ରଶାସନ ଏବଂ ପୂଜା କମିଟି ଉଭୟଙ୍କୁ ସହଯୋଗ କରିବାକୁ ହେବ ବୋଲି କହିଥିଲେ । ଏଥିସହିତ ଅସାମାଜିକମାନଙ୍କ ପ୍ରତି ପୂଜା କମିଟି ଓ ପ୍ରଶାସନ ଉଭୟ ଦୃଷ୍ଟି ଦେବାକୁ ହେବ । ପାର୍ବଣ ସମୟରେ ଜନଗହଳିକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ୍ ପକ୍ଷରୁ ଟ୍ରାଫିକ୍ ପୁଲିସ୍ ଓ ପୂଜା କମିଟି ଉଭୟ ମିଳିତ ଭାବେ ସହଯୋଗ କରିବାକୁ କହିଥିଲେ ।