କନକବ୍ୟୁରୋ : ରାଜ୍ୟ ରେ ଅତ୍ୟାବଶକୀୟ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରସଙ୍ଗରେ ସରକାରକୁ ଘେରିବ ବିରୋଧୀ ବିଜେଡି । ଏହାର ପ୍ରତିବାଦରେ ‘ବିଜୁ ଜନତା ଦଳ’ ତରଫରୁ ଆଜି ଜାନୁଆରୀ ୬ ତାରିଖରେ ରାଜ୍ୟବ୍ୟାପୀ ଗଣବିକ୍ଷୋଭ ହେବ ।  ଅହେତୁକ ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ବିଜୁ ଜନତା ଦଳ । ଗାନ୍ଧୀ ମାର୍ଗରେ ଦଳ କରୁଛି ବିଶାଳ ବିକ୍ଷୋଭ ସମାବେଶ ‌ ।

Advertisment

 ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରୁ ନେତା ନିଜ ନିଜ କର୍ମୀଙ୍କୁ ଧରି ବିକ୍ଷୋଭ ,ସ୍ଥଳରେ ପହଞ୍ଚୁଛନ୍ତି। ବରିଷ୍ଠ ନେତା ବଦ୍ରିନାରାୟଣ ପାତ୍ର,ପ୍ରତାପ ଜେନା, ସଂଜୟ ଦାସବର୍ମା, ସସ୍ମିତ ପାତ୍ର, ନିରଞ୍ଜନ ପୂଜାରୀ, ସସ୍ମିତ ପାତ୍ର,ଶାରଦା ନାଏକ,ପ୍ରଣବ ପ୍ରକାଶ ଦାସ ଙ୍କ ଭଳି ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି।ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ଉଭୟ କେନ୍ଦ୍ର ସରକାର ଓ ଓଡିଶା ସମେତ ବିଜେପି ଶାସିତ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ ।

ଦରଦାମ ବୃଦ୍ଧି ଯୋଗୁ ଜନସାଧାରଣ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ଉପରେ ଏହା କିଛି ପ୍ରଭାବ ପଡୁ ନାହିଁ। ଡବଲ ଇଞ୍ଜିନ୍‌ ସରକାରର ଶାସନରେ ଓଡିଶାବାସୀ ତ୍ରାହି ତ୍ରାହି ଡାକିଲେଣି। ସରକାର ଦରଦାମ ନିୟନ୍ତ୍ରଣ କରିବା ପରିବର୍ତ୍ତେ ବିିଭିନ୍ନ ପ୍ରକାର ଭ୍ରମାତ୍ମକ ଓ ମିଥ୍ୟା ତଥ୍ୟ ଦେଇ ଲୋକଙ୍କୁ ଭଣ୍ଡାଇବାକୁ ଚେଷ୍ଟା କରୁଛନ୍ତି। ଏହାର ପ୍ରତିବାଦରେ ଆଜି ରାଜଧାନୀରେ ବିଜେଡି ଆୟୋଜନ କରିବାକୁ ଯାଉଛି ବିଶାଳ ଗଣବିକ୍ଷୋଭ। ଏହି ସମାବେଶରେ ପ୍ରାୟ ହଜାର ହଜାର କର୍ମୀ ଯୋଗ ଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଦଳର ବରିଷ୍ଠ ନେତା ତଥା ଦଳର ସମନ୍ୱୟ କମିଟିରେ ଶଙ୍ଖ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।  ବୈଠକ ପରେ ବରିଷ୍ଠ ନେତା କହିଛନ୍ତି ରାଜ୍ୟରେ ଦରଦାମ ବୃଦ୍ଧି ଯୋଗୁଁ ରାଜ୍ୟବାସୀ ଅତିଷ୍ଠ ହେଲେଣି । କିନ୍ତୁ ରାଜ୍ୟ ବିଜେପି ସରକାର ଏହି ସମସ୍ୟା ଉପରେ ନିଦାବିଷ୍ଣୁ ସାଜିଛି ।

ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ‘ବିଜୁ ଜନତା ଦଳ’ ଏହି ଗଣ ବିକ୍ଷୋଭର ଡାକରା ଦେଇଛି । ତେଣୁ ଏଥିରେ ଦଳର ସକ୍ରିୟ କର୍ମୀମାନେ ଏକଜୁଟ ହୋଇ ଏହାକୁ ସଫଳ କରିବାକୁ ଆମେ ଆହ୍ୱାନ କରୁଛୁ । ’’ ସୂଚନା ଅନୁଯାୟୀ ଦଳ ଗଠନ ହୋଇଥିଲା ୧୯୯୭ ମସିହାରେ ସେହି ସମୟ ପରେ ପ୍ରଥମେ ବିରୋଧୀ ଦଳ ଭାବେ ପ୍ରାୟ ୩ ବର୍ଷ ବିରୋଧୀ ଦଳର ଭୁମିକା ତୁଲାଇଛି ଦଳ , ତାହା ରାଜ୍ୟର ବିଭିନ୍ନ ସମସ୍ୟା ହେଉ  କି ଗଣଦୁଷ୍କର୍ମ ମାମଲା କି ମହାବାତ୍ୟା ମୁକାବିଲାରେ ତତ୍କାଳୀନ ସରକାରଙ୍କ ବିଫଳତା ନେଇ ରାଜରାସ୍ତାକୁ ଓହ୍ଲାଇଥିଲା ବିଜେଡି ।

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା ହେଉ ଅବା ମହାବାତ୍ୟା ମୁକାବିଲାରେ ତତ୍କାଳୀନ ସରକାରଙ୍କ ବିଫଳତା ଘଟଣାକୁ ନେଇ ଆନ୍ଦୋଳନ କରିଥିଲା ବିଜେଡି । ଲୋକମତକୁ ପ୍ରଭାବିତ କରିବାରେ ସଫଳ ହୋଇଥିଲା ବିଜେଡି  ।  ଚାଷୀ ସମସ୍ୟା, ଦରଦାମ ନିୟନ୍ତ୍ରଣ ପ୍ରସଙ୍ଗକୁ ଲୋକଙ୍କ ପାଖକୁ ନେଇଥିଲା ବିଜୁ ଜନତା ଦଳ ।  ୨୦୦୦ ମସିହାରେ ଗଠନ ହୋଇଥିଲା ବିଜେଡି ନେତୃତ୍ୱରେ ସରକାର ।

ବିଜେପିକୁ ସାଙ୍ଗରେ ନେଇ ୯ ବର୍ଷ ରାଜ୍ୟରେ ଶାସନ କରିଛି ବିଜେଡି ।  ପରବର୍ତ୍ତୀ ୧୫ ବର୍ଷ ଏକାକୀ ଶାସନ କ୍ଷମତାରେ ରହିଛି ଦଳ । ପରିବର୍ତ୍ତିତ ସ୍ଥିତିରେ ବିଜେଡି ଏବେ ୨୦୨୪  ନିର୍ବାଚନ ପରେ ପୁଣି ଥରେ ବିରୋଧୀ ଦଳରେ ରହିଛି  ।  ଲୋକଙ୍କ ସମସ୍ୟା କଥା ଉଠାଇ ଲୋକମତକୁ ପୁନର୍ବାର ନିଜ ସପକ୍ଷରେ ଆଣିବା ଲାଗି ବିଜେଡି ପ୍ରୟାସ ଆରମ୍ଭ କରିଛି ।