କନକ ବ୍ୟୁରୋ : କାଲି ବସୁଛି ବିଧାନସଭାର ମୌସୁମୀ ଅଧିବେଶନ । ଦୀର୍ଘ ୫ମାସ ପରେ ବସୁଥିବାରୁ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଲେଣି ବିରୋଧି । ସ୍ବଳ୍ପ ସମୟର ଅଧିବେଶନ ହୋଇଥିଲେ ବି ବେଶ ସରଗରମ ରହିବ ବିଧାନସଭା । ଗୁରୁବାରଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ ସଜବାଜ ହେଉଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଶଙ୍ଖ ଭବନରେ ବିଧାୟକଙ୍କୁ ଡାକି ବିଧାନସଭାର ରଣନୀତିର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରୁଛି ବିଜେଡି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଦିଲ୍ଲୀରୁ ସାମିଲ ହୋଇଛନ୍ତି । ମତଭେଦ ଦୂର କରି ଏକାଠି ଲଢ଼ିବା ପାଇଁ ସମସ୍ତଙ୍କୁ କହିଛନ୍ତି ବିଜେଡି ସୁପ୍ରିମୋ । ଅଧିବେଶନରେ ବିଜେଡିର ପ୍ରସଙ୍ଗ ସାର ସମସ୍ୟା,  ଚାଷୀ ପ୍ରସଙ୍ଗ , ବାଲି ହରଚଣ୍ଡୀ ଠାରୁ ନେଇ ଗୋପାଳପୁର ଗଣଦୁର୍ଷ୍କମ, ବାଲେଶ୍ବର ପୀଡ଼ିତାଙ୍କ ଠାରୁ ବଳଙ୍ଗା ପୀଡ଼ିତା,ରଥଯାତ୍ରା ସମୟରେ ଦଳାଚକଟା ବି ଉଠାଇବ ଦଳ । 

Advertisment

ସେହିଭଳି କଂଗ୍ରେସ ବିଧାନସଭାରେ ଆଇନ ଶୃଙ୍ଖଳା ଓ ନାରୀ ନିର୍ଯାତନା ପ୍ରସଙ୍ଗରେ ସରକାର ବିରୋଧରେ ଅନାସ୍ଥା ଆଣିବାକୁ ପ୍ରସ୍ତୁତ ହେଉଛି ଦଳ । ପିସିସି ସଭାପତି ଭକ୍ତ ଦାସଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକରେ ଏ ନେଇ ରଣନୀତି ପ୍ରସ୍ତୁତ ହୋଇଛି । ଯଦି ଅନାସ୍ଥା ଆସେ ତା’ହେଲେ ବେଶ ରୋଚକ ହେବ ବିଧାନସଭା ଅଧିବେଶନ । ଆସନ୍ତାକାଲି ଶାସକ ଦଳର ରହିଛି ବିଧାୟକ ଦଳ ବୈଠକ । ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ତାକୁ କାଉଣ୍ଟର କରିବାକୁ ରଣନୀତି ପ୍ରସ୍ତୁତ ହେବ । ଏହି ଅଧିବେଶନ ସ୍ବଳ୍ପ ଥିଲେ ବି ବେଶ୍ ଗୁରୁତ୍ବପୂର୍ଣ୍ଣ ରହିବ । କିଛି ବିଲ୍ ବି ଆଣିପାରନ୍ତି ସରକାର । ସେପଟେ ବିଧାନସଭା କଡ଼ା ସୁରକ୍ଷା ବଳୟ ଭିତରେ ରହିବ । ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ସହ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ଟ୍ରାଫିକ ରୁଟରେ ବି କିଛି ପରିବର୍ତ୍ତନ କରାଯାଇଛି । ଏଥର ଅଧିବେଶନରେ ମାଳ ମାଳ ପ୍ରସଙ୍ଗ ଥିବାରୁ ମୌସୁମୀ ଅଧିବେଶନର ସ୍ବଳ୍ପକାଳୀନ ଅଧିବେଶନ ସରଗରମ ହେବା ଆଶା କରାଯାଉଛି ।