କନକ ବ୍ୟୁରୋ: ଭୋଟ୍ ଚୋରି ଅଭିଯୋଗ ନେଇ ନିର୍ବାଚନ ଆୟୋଗଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ କଡ଼ା ଟିପ୍ପଣୀ ଦେବାରେ ଲାଗିଛନ୍ତି ବିରୋଧୀ । ଆଉ ଏହାରି ଭିତରେ ବିରୋଧୀ ଦଳ ମୁଖ୍ୟ ନିର୍ବାଚନ କମିସନର ଥିବା ଜ୍ଞାନେଶ କୁମାରଙ୍କୁ ହଟାଇବାକୁ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ବିଚାର କରୁଥିବା ଜଣାପଡ଼ିଛି । ମିଳିଥିବା ସୂତ୍ରରୁ ଜଣାପଡ଼ିଛି ଯେ, ବିରୋଧୀ ଦଳ ସୋମବାର ସଂସଦ ଭବନରେ ଏକ ବଡ଼ ବୈଠକ କରିବେ । ଯେଉଁଥିରେ କି ବର୍ତ୍ତମାନ ନିର୍ଚାଚନ କମିସନର ଥିବା ଜ୍ଞାନେଶ କୁମାରଙ୍କୁ ହଟାଇବାକୁ ପ୍ରସ୍ତାବ ରଖାଯାଇପାରେ ।

Advertisment

କଂଗ୍ରେସର ରାଜ୍ୟସଭା ସାଂସଦ ସୈୟଦ ନସୀର ହୁସେନଙ୍କ କହିବା ମୁତାବକ, ଆବଶ୍ୟକ ହେଲେ ଆମେ ଗଣତନ୍ତ୍ରରେ ଥିବା ସବୁ ଅସ୍ତ୍ରକୁ ବ୍ୟବହାର କରିବୁ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ମହାଭିଯୋଗ ପ୍ରସ୍ତାବ ନେଇ କୌଣସି ପ୍ରକାର ଆଲୋଚନା ହୋଇନି । ହେଲେ ଯଦି ଆବଶ୍ୟକ ପଡ଼େ ତେବେ ଆମେ କିଛି ବି କରିପାରୁ ବୋଲି ସେ କହିଛନ୍ତି ।

ଜାଣିରଖିବା ଉଚିତ ଯେ, ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ନିଜ ପଦରୁ ହଟାଇବା ନେଇ ସମ୍ବିଧାନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ସମ୍ବିଧାନର ଅନୁଚ୍ଛେଦ ୩୨୪ ନିର୍ବାଚନ ଆୟୋଗଙ୍କୁ ଏକ ସ୍ୱତନ୍ତ୍ର ସଂସ୍ଥାର ମାନ୍ୟତା ଦେଇଛି । ଆଉ ଏହାସହ ନିର୍ବାଚନ କମିସନରଙ୍କୁ ହଟାଇବା ନେଇ ପ୍ରକ୍ରିୟା ସୁପ୍ରିମକୋର୍ଟର ଜର୍ଜଙ୍କୁ ହଟାଇବା ପ୍ରକ୍ରିୟା ସହ ସମାନ । ତେଣୁ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ ହେବା ପରେ ହିଁ ତାଙ୍କୁ ପଦରୁ ହଟାଯାଇପାରିବ ।