କନକ ବ୍ୟୁରୋ: ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଏନଡିଏ ଏବଂ ଇଣ୍ଡି ମେଣ୍ଟ ଭିତରେ ରାଜନୈତିକ ହଲଚଲ ବଢ଼ିବାରେ ଲାଗିଛି । ଏନଡିଏ ଉପରାଷ୍ଟ୍ରପତି ନିର୍ବାଚନରେ ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଥିବାବେଳେ, ବିରୋଧୀ ଦଳ ଏବେ ପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରିପାରିନାହାଁନ୍ତି । କୁହାଯାଇଛି ବିରୋଧୀ କ୍ୟାମ୍ପରେ ଗୋଟିଏ ନାଁକୁ ନେଇ ସହମତି ହୋଇପାରୁନି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ତୃଣମୂଳ କଂଗ୍ରେସର କହିବା ମୁତାବକ, ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ତାମିଲନାଡୁରୁ ନହେବା ଆବଶ୍ୟକ । ଏହାସହ ମମତା ବାନାର୍ଜୀ ମଧ୍ୟ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ନେଇ ନିଜର ମତାମତ ରଖିଛନ୍ତି ।
ଟିଏମସିର କହିବା କଥା, ବିରୋଧୀମାନେ ଜଣେ ଅଣ-ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରିବା ଆବଶ୍ୟକ । ଯିଏକି ବିଜେପି ଏବଂ ଆରଏସଏସ୍ ବିଚାରଧାରା ବିରୋଧରେ ଲଢ଼ିପାରିବ । ଏହାସହ ଏଥରର ଏ ନିର୍ବାଚନ କେବଳ ଏକ ଲଢ଼େଇ ନୁହେଁ ବରଂ ସମ୍ବିଧାନ ଏବଂ ‘ଆଇଡିଆ ଅଫ୍ ଇଣ୍ଡିଆ’କୁ ବଞ୍ଚାଇବାର ଏକ ଯୁଦ୍ଧ ବୋଲି ଟିଏମସି କହୁଛି ।
ଟିଏମସି ସାଂସଦ ଡେରେକ୍ ଓ ବ୍ରାଏନ୍ ସୋମବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ତାଙ୍କ ବାସଭବନରେ ଇଣ୍ଡି ମେଣ୍ଟର ବୈଠକ ବସିବା ନେଇ ସୂଚନା ଦେଇଥିଲେ । ମଙ୍ଗଳବାର ମଧ୍ୟାହ୍ଣ ସାଢେ ୧୨ଟାରେ ଏହି ବୈଠକ ବସିବ ବୋଲି ସେ କହିଥିଲେ । ଯେଉଁଠି କି ଉପରାଷ୍ଟ୍ରପତି ନିର୍ବାଚନ ନେଇ ବିରୋଧୀ କ୍ୟାମ୍ପ ନିଜର ପ୍ରାର୍ଥୀ ଚୟନ କରିପାରେ । ଜାଣିରଖିବା ଉଚିତ୍ ଯେ, ଉପରାଷ୍ଟ୍ରପତି ନିର୍ବାଚନ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ହେବାକୁ ଅଛି । ଆଉ ଏହା ପୂର୍ବରୁ ଏନଡିଏ ମହାରାଷ୍ଟ୍ରର ବର୍ତ୍ତମାନ ରାଜ୍ୟପାଳ ଥିବା ସିପି ରାଧାକ୍ରିଷ୍ଣନଙ୍କୁ ନିଜର ପ୍ରାର୍ଥୀ କରିଛି । ହେଲେ ଏବେ ବି ଇଣ୍ଡି ମେଣ୍ଟ କିନ୍ତୁ ନିଜର ପ୍ରାର୍ଥୀ କିଏ ହେବ, ତାହା ଧାର୍ଯ୍ୟ କରିପାରିନି ।