କନକ ବ୍ୟୁରୋ: ଦେଶର ନୂଆ ଉପରାଷ୍ଟ୍ରପତି ହୋଇଛନ୍ତି ସିପି ରାଧାକ୍ରିଷ୍ଣନ । ଏନଡିଏ ଉପରାଷ୍ଟ୍ରପତି ନିର୍ବାଚନରେ ଆଶାଠାରୁ ଅଧିକ ଭୋଟ୍ ପାଇଁ ବିଜୟୀ ହୋଇଛି । ହେଲେ କଥା ଉଠୁଛି, କେଉଁ ବିରୋଧୀ ସାଂସଦ ଦେଲେ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍? ଆଉ କେଉଁ ସାଂସଦ କଲେ କ୍ରସ୍ ଭୋଟିଂ? କାହିଁକି ନା, ଭୋଟ୍ ହିସାବରେ ସିପି ରାଧାକ୍ରିଷ୍ଣନଙ୍କୁ ୪୩୮ ଭୋଟ୍ ମିଳିବାକୁ ଥିବା, ହେଲେ ତାଙ୍କୁ ମିଳିଛି ୪୫୨ ଖଣ୍ଡ ଭୋଟ୍ । ତେଣୁ ଏହି ଅଧିକ ୧୪ ଖଣ୍ଡ ଭୋଟକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି ।
ଉପରାଷ୍ଟ୍ରପତି ନିର୍ବାଚନରେ ଏଥର ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କୁ ୪୫୨ ଖଣ୍ଡ ଭୋଟ୍ ମିଳିଥିଲା । ଆଉ ବିରୋଧୀ ମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କୁ ମିଳିଥିଲା ୩୦୦ ଖଣ୍ଡ ଭୋଟ୍ । ଅର୍ଥାତ କେଉଁଠି ନା କେଉଁଠି ବିରୋଧୀ ମେଣ୍ଟର ସାଂସଦ ଏନଡିଏ ମେଣ୍ଟର ପ୍ରାର୍ଥୀଙ୍କୁ ଭୋଟ୍ ଦେବା ସହିତ କ୍ରସ୍ ଭୋଟିଂ କରିଛନ୍ତି । ହେଲେ ଏହି ସାଂସଦମାନେ କିଏ, ତାହା ଏଯାଏଁ ଜଣାପଡ଼ିନି ।
ଉପରାଷ୍ଟ୍ରପତି ନିର୍ବାଚନର ଏ କ୍ରସ୍ ଭୋଟିଂକୁ ଜାଣିବାକୁ ହେଲେ ଆପଣଙ୍କୁ ପ୍ରଥମେ ଏହା ପଛର ସଂଖ୍ୟା ଗଣିତକୁ ବୁଝିବାକୁ ପଡ଼ିବ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏଥର ୭୮୧ ଜଣ ସାଂସଦ ଭୋଟ୍ ଦେବାକୁ ଥିଲା । ଯେଉଁଥିରୁ କି ଏନଡିଏ ସମର୍ଥନରେ ୪୨୭ ଜଣ ସାଂସଦ ଏବଂ ଇଣ୍ଡିଆ ମେଣ୍ଟ ସମର୍ଥନରେ ୩୧୫ ଜଣ ସାଂସଦ ଭୋଟ୍ ଦେବେ ବୋଲି ଚର୍ଚ୍ଚା ହେଉଥିଲା । ବାକି ଥିବା ୩୯ ଜଣ ସାଂସଦ ନ୍ୟୁଟ୍ରାଲ୍ ରହିଥିବା କାରଣରୁ କୌଣସି ମେଣ୍ଟ ସମର୍ଥନରେ ରହିନଥିଲେ । ତେବେ ଓ୍ୱାଇଏସଆରସିପିର ୧୧ ଜଣ ସାଂସଦ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପରେ, ଏନଡିଏ ପ୍ରାର୍ଥୀଙ୍କ ପ୍ରତି ସମର୍ଥନ ୪୩୮କୁ ବୃଦ୍ଧି ପାଇଥିଲା । ହେଲେ ଇଣ୍ଡି ମେଣ୍ଟର ପ୍ରାର୍ଥୀଙ୍କୁ ୩୧୫ ଖଣ୍ଡ ଭୋଟ୍ ବଦଳରେ ମିଳିଥିଲା ୩୦୦ ଖଣ୍ଡ ଭୋଟ୍ ।
ଇଲେକ୍ସନରେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କୁ ୪୩୮ ଖଣ୍ଡ ଭୋଟ୍ ମିଳିବାର ଥିଲା, ହେଲେ ମିଳିଛି କିନ୍ତୁ ୪୫୨ ଖଣ୍ଡ ଭୋଟ୍ । ଅର୍ଥାତ ଆଶାଠାରୁ ଅଧିକ ୧୪ ଖଣ୍ଡ ଭୋଟ୍ ଏନଡିଏ ପ୍ରାର୍ଥୀଙ୍କ ସମର୍ଥନରେ ପଡ଼ିଛି । ତେଣୁ ବିରୋଧୀ ମେଣ୍ଟର କିଛି ସାଂସଦ ଲୁଚାଛପାରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥିବା କଥା ସ୍ପଷ୍ଟ ହୋଇଛି । ହେଲେ ଏହି ନେତାମାନେ କିଏ କିଏ, ଆଉ କାହିଁକି ସେମାନେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଲେ, ତାହା ଆଗାମୀ ଦିନରେ ଜଣାପଡ଼ିବ ।