କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଲୋକସଭାରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି । ଏହି ବିଲ୍ ଅନୁଯାୟୀ, ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ବା କେନ୍ଦ୍ରଶାସିତ ପ୍ରଦେଶର ମନ୍ତ୍ରୀ ଗମ୍ଭୀର ଆପରାଧିକ ମାମଲାରେ ଲଗାତାର ୩୦ ଦିନ ଜେଲରେ ରୁହନ୍ତି, ତେବେ ତାଙ୍କୁ ପଦରୁ ହଟାଇ ଦିଆଯିବ । ବିଲ୍ ଉପସ୍ଥାପନ ବେଳେ ବିରୋଧୀ ସାଂସଦମାନେ ଏହାକୁ ତୀବ୍ର ବିରୋଧ କରି ଗୃହରେ ହଟ୍ଟଗୋଳ କରିଥିଲେ ।
ଅମିତ ଶାହଙ୍କ ଆଡ଼କୁ ବିରୋଧୀ ଫିଙ୍ଗିଲେ ବିଲ୍ କପି
ବିରୋଧୀ ଦଳର କିଛି ସାଂସଦ ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଦେବା ଆରମ୍ଭ କରିଦେଇଥିଲେ । ଏହି ସମୟରେ କିଛି ବିରୋଧୀ ସାଂସଦ ବିଲ୍ର କପିକୁ ଚିରି ଦେଇଥିଲେ ଏବଂ କାଗଜ ଖଣ୍ଡଗୁଡ଼ିକୁ ଅମିତ ଶାହଙ୍କ ଆଡ଼କୁ ଫିଙ୍ଗିଥିଲେ । ତେବେ, ଅମିତ ଶାହ ବିଲ୍ ଉପସ୍ଥାପନ କରିବା ସମୟରେ କହିଥିଲେ ଯେ ସରକାର ଏହି ବିଲକୁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଇବାକୁ ପ୍ରସ୍ତାବ ଦେଉଛନ୍ତି, କିନ୍ତୁ ଏହା ସତ୍ତ୍ୱେ ବିରୋଧ ଜାରି ରହିଥିଲା ।
ସମ୍ବିଧାନର ୧୩୦ତମ ସଂଶୋଧନ ବିଲ୍ ଉପସ୍ଥାପନ ବେଳେ ଗୃହରେ ଲଗାତାର ସ୍ଲୋଗାନବାଜି ଚାଲିଥିଲା । ବିରୋଧୀ ସାଂସଦମାନେ ଶାସକ ଦଳକୁ ଘେରିଯାଇ ଗୃହମନ୍ତ୍ରୀଙ୍କ ମାଇକ୍ ଛଡ଼ାଇବାକୁ ମଧ୍ୟ ଚେଷ୍ଟା କରିଥିଲେ । ଯାହାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା । ଏହି ସମୟରେ ଶାସକ ଦଳର ସାଂସଦ ରବନୀତ ସିଂ ବିଟ୍ଟୁ, କମଲେଶ ପାସୱାନ, କିରେନ ରିଜିଜୁ ଏବଂ ସତୀଶ ଗୌତମ ଆଗକୁ ଆସି ଗୃହମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲେ ।
ବିରୋଧର ନେତୃତ୍ୱ ନେଇଥିଲେ ଟିଏମସି, କଂଗ୍ରେସ ଓ ସମାଜବାଦୀ ପାର୍ଟି
ଗୃହର ୱେଲରେ ହଙ୍ଗାମା ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦମାନେ ଆରମ୍ଭ କରିଥିଲେ । କଲ୍ୟାଣ ବାନାର୍ଜୀ ବିଧେୟକ ଉପସ୍ଥାପନ ହେବା ମାତ୍ରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ପରେ କଂଗ୍ରେସ ସାଂସଦ ତଥା ମହାସଚିବ କେ.ସି. ବେଣୁଗୋପାଳ ନିଜ ଆସନରୁ ବିଲ୍ର କପି ଚିରି ଫିଙ୍ଗି ଦେଇଥିଲେ । ଏହାପରେ ସମସ୍ତ କଂଗ୍ରେସ ସାଂସଦ ୱେଲକୁ ଚାଲିଆସିଥିଲେ । ବେଣୁଗୋପାଳଙ୍କ ପରେ ସମାଜବାଦୀ ପାର୍ଟିର ଧର୍ମେନ୍ଦ୍ର ଯାଦବ ମଧ୍ୟ ନିଜ ଆସନରୁ ବିଲ୍ର କପି ଚିରି ଫିଙ୍ଗିଥିଲେ ଏବଂ ସମାଜବାଦୀ ପାର୍ଟିର ସମସ୍ତ ସଦସ୍ୟ ୱେଲକୁ ଆସିଯାଇଥିଲେ ।
'ମୁଁ ଜେଲ ଯିବା ପରେ ଇସ୍ତଫା ଦେଇଥିଲି': ଅମିତ ଶାହ
ହଙ୍ଗାମା ମଧ୍ୟରେ ଅମିତ ଶାହ କଂଗ୍ରେସ ସାଂସଦ କେ.ସି. ବେଣୁଗୋପାଳଙ୍କୁ ସମାଲୋଚନା କରି କହିଥିଲେ, "ଯେତେବେଳେ ମୁଁ ଏକ ମିଥ୍ୟା ମାମଲାରେ ଜେଲ ଯାଇଥିଲି, ସେତେବେଳେ ନୈତିକତା ଆଧାରରେ ପଦରୁ ଇସ୍ତଫା ଦେଇଥିଲି । ଯେପର୍ଯ୍ୟନ୍ତ ଅଦାଲତ ମୋତେ ନିର୍ଦ୍ଦୋଷ ସାବ୍ୟସ୍ତ କରିନଥିଲେ , ସେ ପର୍ଯ୍ୟନ୍ତ ମୁଁ କୌଣସି ସାମ୍ବିଧାନିକ ପଦ ଗ୍ରହଣ କରିନଥିଲି । ଆମେ ଏତେ ଲଜ୍ଜାହୀନ ନୁହେଁ ଯେ ଆମ ଉପରେ ଅଭିଯୋଗ ଲାଗିବ ଏବଂ ଆମେ ପଦରେ ରହିବୁ ।"
ଶେଷରେ, ଶାହ ବିଲକୁ ୨୧ ଜଣିଆ ଜେପିସିକୁ ପଠାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ବାଚସ୍ପତି ଓମ୍ ବିର୍ଲା କହିଥିଲେ ଯେ ରାଜନୀତିରେ ଶୁଦ୍ଧତା ଏବଂ ନୈତିକତା ପାଇଁ କିଛି ବିଲ୍ ଆସିଥାଏ । ପରିସ୍ଥିତି ଅଣାୟତ୍ତ ହେବାରୁ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ ।