କନକ ବ୍ୟୁରୋ: ନିର୍ବାଚନରେ ପରାଜୟ ପରେ ବିଜେଡିରେ ସବୁକିଛି ଠିକଠାକ୍ ଥିବା ପରି ଲାଗୁନାହିଁ। ଏକଦା ଦଳର ସବୁଠାରୁ ପାୱାରଫୁଲ ନେତା କୁହାଯାଉଥିବା ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ବଢ଼ୁଛି ଅସନ୍ତୋଷ। ଯାହାର ସଂକେତ ଆଜି ବିଜୁ ଯୁବ ଛାତ୍ର ନେତାଙ୍କ ଦ୍ବାରା ଆୟୋଜିତ ବନ୍ଧୁମିଳନ ବୈଠକରେ ସ୍ପଷ୍ଟ ହୋଇଛି। 

ବିଜେଡି ପାଇଁ ଏବେ ଅଡ଼ୁଆ ବବି ଦାସ। ଏକ ସମୟରେ ଦଳର ସବୁଠାରୁ ପାୱାରଫୁଲ ନେତା ଥିବା ପ୍ରଣବ ପ୍ରକାଶ ଦାସଙ୍କୁ ଯଦିଓ ସିଧାସଳଖ କେହି ବିରୋଧ କରୁନାହାନ୍ତି। କିନ୍ତୁ ରବିବାର ବିଜୁ ଯୁବ ଛାତ୍ର ନେତାଙ୍କ ଦ୍ବାରା ଆୟୋଜିତ ବନ୍ଧୁ ମିଳନ ଏହାର ଆଭାସ ମିଳୁଛି। ବୈଠକରେ ଏକାଠି ହୋଇଥିଲେ କିଛି ଅସନ୍ତୁଷ୍ଟ ବିଜେଡିର ଯୁବ ଛାତ୍ର ନେତା। ଦଳକୁ ସଂଗଠିତ କରିବା ସହ ଆଗାମୀ ଦିନରେ ଦଳ କିପରି ମଜଭୁତ ହେବ, ସେ ନେଇ ଏହି ବୈଠକ ହୋଇଥିବା କହିଛନ୍ତି।

ସାଧାରଣ ନିର୍ବାଚନରେ ବିଜେଡି ବିପର୍ଯ୍ୟୟକୁ ଏବେବି ଅନେକେ ସହଜରେ ଗ୍ରହଣ କରିପାରୁନାହାନ୍ତି। ପରାଜୟ ପଛରେ ଭି.କେ ପାଣ୍ଡିଆନ ଓ ପୂର୍ବତନ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଦାୟୀ କରିଛନ୍ତି ଅନେକ ନେତା। ତେଣୁ ପାଣ୍ଡିଆନ ଓ ପ୍ରଣବଙ୍କ ସହ ସବୁ ବ୍ୟାପାରରେ ମୁଣ୍ଡ ପୁରାଉଥିବା କୋଟେରୀ ଗ୍ରୁପକୁ ହଟାଇବାକୁ ଉଠିଛି ଦାବି। ନିର୍ବାଚନ ବେଳେ ଏମାନେ ଯୁବ ଛାତ୍ର ନେତାଙ୍କୁ କୋଣଠେସା କରିଥିବା ଅଭିଯୋଗ ହୋଇଛି। 

ବବି ବିରୋଧୀ ଗୋଷ୍ଠୀ ବନ୍ଧୁ ମିଳନ ନାଁରେ ବିଭିନ୍ନ ଜିଲ୍ଲାରେ ଏକାଠି ହୋଇଥିବା ଅସନ୍ତୁଷ୍ଟ ଯୁବ ନେତା ଆଗାମୀ ଦିନରେ ବଡ଼ ବିଦ୍ରୋହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।