କନକ ବ୍ୟୁରୋ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଆଜିବି ବସିଛି ବୈଠକ । ତିନି ସେନାର ମୁଖ୍ୟ ଏବଂ ସିଡିଏସ୍‌ ଅନିଲ ଚୌହାନଙ୍କ ସହ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଯାହାର ଫଟୋ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସେୟାର କରାଯାଇଛି । ଗୁରୁବାର ରାତିରେ ପାକିସ୍ତାନ ରକେଟ୍‌,ମିସାଇଲ୍‌ ଏବଂ ଡ୍ରୋନ୍‌ ଦ୍ୱାରା ଆକ୍ରମଣ କରିଥିଲା କିନ୍ତୁ ପୂର୍ବରୁ ପ୍ରସ୍ତୁତ ଥିବା ଭାରତୀୟ ସୁରକ୍ଷା ବଳ ସେ ସବୁକୁ ଧ୍ୱଂସ ବିଧ୍ୱଂସ କରିଦେଇଥିଲା । 

Advertisment

ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସେୟାର କରାଯାଇଥିବା ଏହି ଫଟୋକୁ ପାକିସ୍ତାନ ଦେଖିଲେ ହିଁ ଜାଣିବ ହସୁଥିବା ଏ ଚେହେରା ଗୁଡ଼ିକ ଅନେକ କିଛି କହୁଛି । ସୀମାରେ ଶତ୍ରୁମାନଙ୍କୁ ଧୂଳି ଚଟାଇବା ପରେ ଚାଲିଛି ଆଗାମୀ ରଣନୀତି । ଏ ହେଉଛି ଭାରତର ଶକ୍ତି,ପ୍ରଥମେ ପ୍ରସ୍ତୁତ ଏବଂ ପରେ ପ୍ରତି ଆକ୍ରମଣ । ଲଗାତାର ୩ ଦିନ ଧରି ପୂରା ବିଶ୍ୱ ଦେଖୁଛି ଭାରତ ପରାକ୍ରମ । ଅପରେସନ୍‌ ସିନ୍ଦୂର ଆରମ୍ଭ ହେବା ପରେ ବିଳିବିଳାଉଛି ପାକ୍‌, କରିଚାଲିଛି ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ । ପାକିସ୍ତାନର ସବୁ ପ୍ରକାର ଆକ୍ରମଣ ପ୍ରୟାସକୁ ପଣ୍ଡ କରିଚାଲିଛି ଭାରତୀୟ ସେନା । ଗତ କାଲି ମଧ୍ୟ ରାଜନାଥ ସିଂ କହିଥିଲେ ଆମେ ପିଓକେ ଆତଙ୍କୀ ସଙ୍ଗଠନକୁ ଧ୍ୱଂସ କରିଛୁ ଏବଂ ଭାରତୀୟ ସେନାର ବିଜୟ ହୋଇଛି । ବହୁ ସଂଖ୍ୟାରେ ଆତଙ୍କବାଦୀ ନିପାତ କରିଛୁ ।  ଭାରତୀୟ ସେନା ଅକଳ୍ପନୀୟ କାମ କରିଛି,ଆମ ସେନା ଅଦମ୍ୟ ସାହସ ଓ ସୌର୍ଯ୍ୟ ଦେଖାଇଛନ୍ତି । ଆମେ ସାଧାରଣ ଲୋକଙ୍କୁ ଟାର୍ଗେଟ୍‌ କରିନୁ କିନ୍ତୁ ସଠିକ୍‌ ଭାବରେ ଅପରେସନ୍‌ ସିନ୍ଦୂର ଚାଲିଛି । ପୂରା ବିଶ୍ୱ ଦେଖୁଛି ସେନାର ଶକ୍ତି ।  

ପହଲଗାମ୍‌ରେ ଆକ୍ରମଣ କରି ପୂରା ଭାରତ ଆଖିରେ ଲୁହ ଦେଇଥିଲା ପାକିସ୍ତାନ । ନିରୀହ ଲୋକଙ୍କ ଜୀବନ ନେଇଥିଲେ ନର ରାକ୍ଷସ । ଭାରତ ମା’ର ଆଖିରୁ ଝରିଥିଲା ରକ୍ତର ଲୁହ । ଏହାର ଜବାବ୍‌ ଦେବାକୁ ଯାଇ ଭାରତ କରିଥିଲା ଅପରେସନ୍‌ ସିନ୍ଦୁର,ରାତି ଅଧିଆ ପାକ୍‌ର ଆତଙ୍କୀ ଆଡ୍ଡା ଉପରେ କରିଥିଲା ମିସାଇଲ୍‌ ମାଡ଼ । ଶତ୍ରୁ ଦେଶକୁ ଭାରତ ଦେଇଥିଲା କଡ଼ା ଜବାବ୍‌ ।