କନକ ବ୍ୟୁରୋ : ଅପରେସନ୍ ସିନ୍ଦୂରରେ ସୀମାରେ ଯୁଦ୍ଧ ଲଢୁଥିଲେ ଭାରତର ବୀର ଯୋଦ୍ଧାମାନେ । ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିଲା ଯୁଦ୍ଧର ଘମାସନ । ପାକ୍ ଆକ୍ରମଣର ପ୍ରତିରୋଧ କରିବାକୁ ଯାଇ ପ୍ରତିଆକ୍ରମଣ କରୁଥିଲା ଭାରତ । ସେହି ସମୟରେ ରାଜସ୍ଥାନ ସୀମାରେ ନିଜର କର୍ତ୍ତବ୍ୟ ପାଳନ କରୁଥିଲେ ଭାରତୀୟ ଯବାନମାନେ , ଲଢୁଥିଲେ ଯୁଦ୍ଧ । ମରୁଭୂମିର ସେ ଶକ୍ତ ଖରାକୁ ନ ଥିଲା ଖାତିର୍ , ଦେଶ ସୁରକ୍ଷାରେ ଲାଗିଥିଲେ ଯୋଦ୍ଧାମାନେ ।
ସେହି ସମୟରେ ଯୁଦ୍ଧ କଣ ନବୁଝିଥିବା ଗୋଟିଏ କୁନି ପୁଅ ମଧ୍ୟ ଦେଖାଇଥିଲା ଦେଶ ଭକ୍ତିର ପ୍ରମାଣ । ଭାରତୀୟ ସେନାର ଅପରେସନ ସିନ୍ଦୂର ସମୟରେ, ପାକିସ୍ତାନ ସୀମା ସଂଲଗ୍ନ ରାଜସ୍ଥାନର ଏକ ଛୋଟ ଗାଁରେ ଏପରି କିଛି ଘଟିଥିଲା , ଯାହା ସମଗ୍ର ଦେଶକୁ ଗର୍ବରେ ଭରି ଦେଇଥିଲା । ଏହି ସୀମାନ୍ତ ଗାଁର ଶ୍ରବଣ ସିଂହ ନାମକ ଏକ ୧୦ ବର୍ଷର ବାଳକ ଦେଶପ୍ରେମ ଏବଂ ସେବା ମନୋଭାବର ଉଦାହରଣ ପାଲଟିଥିଲା । ଅପରେସନ ସିନ୍ଦୂର ଅଧୀନରେ ଯେତେବେଳେ ସେନା ସୀମା ନିକଟ ଗାଁରେ ମୁତୟନ ଥିଲେ ସେତେବେଳେ କୁନି ଯୋଦ୍ଧା ଶ୍ରବଣ ଯବାନମାନଙ୍କ ସେବା କରିବାରେ କୌଣସି କସରତ ଛାଡି ନଥିଲେ ।
ସେ ପ୍ରତିଦିନ ପ୍ରଚଣ୍ଡ ଖରାରେ ଯବାନମାନଙ୍କୁ ପାଣି, କ୍ଷୀର ଏବଂ ଲସି ଦେଉଥିଲେ । ଖରାରେ ଡ୍ୟୁଟି କରୁଥିବା ସୈନିକମାନଙ୍କୁ ଦେଖି ଶ୍ରବଣଙ୍କ ମନରେ ଭରିଯାଇଥଲା ଦେଶ ପ୍ରେମର ଭାବନା । ସେମାନଙ୍କୁ ଆରାମ ଦେବା ପାଇଁ ସେ ନିଜ ଘରୁ ପାଣି, କ୍ଷୀର, ଲସି ଏବଂ ବରଫ ଆଣି ଦେଉଥିଲେ । ସେ ପ୍ରତିଦିନ ତାଙ୍କ କୁନି କୁନି ପାଦରେ ଚାଲି ଚାଲି ସେଠାକୁ ଯାଉଥିଲେ । ନିଜ ହାତରେ ସୈନିକମାନଙ୍କୁ ପାନୀୟ ଏବଂ ଖାଦ୍ୟ ଦେଉଥିଲେ । ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଏବଂ ଗୁଳି ଗୋଳାର ଶବ୍ଦକୁ ନଥିଲା ଡର , ତାଙ୍କର ସାହସ ଏବଂ ଦେଶ ପ୍ରତି ଥିବା ନିଷ୍ଠା କମି ନଥିଲା । ଏହି ବାଳକର ଲକ୍ଷ୍ୟ ଥିଲା – ସେନାର ଯବାନମାନଙ୍କୁ ଆରାମଦାୟକ ଏବଂ ଆପଣାର ଅନୁଭବ କରାଇବା ।
ଶ୍ରବଣଙ୍କ କାର୍ଯ୍ୟକୁ ସମ୍ମାନିତ କଲା ସେନା
ଭାରତୀୟ ସେନା ଶ୍ରବଣଙ୍କ ଏହି ଆଶ୍ଚର୍ଯ୍ୟଜନକ ସାହସ ଏବଂ ନିଃସ୍ୱାର୍ଥପର ସେବାକୁ ଦେଖି ଖୁସି ହୋଇଥିଲା । ଗୋଲ୍ଡେନ୍ ଏରୋ ଡିଭିଜନର ଜେନେରାଲ କମାଣ୍ଡିଂ ଅଫିସର ଶ୍ରବଣଙ୍କୁ ଏକ ସ୍ମାରକୀ ଏବଂ ଏକ ସ୍ୱତନ୍ତ୍ର ପୁରସ୍କାର ଦେଇ ସମ୍ମାନିତ କରିଛନ୍ତି । ଏହି ସମ୍ମାନ ଦେଶ ପ୍ରତି ସମର୍ପଣର ଭାବନାକୁ ସମର୍ପିତ ଥିଲା ।
ଶ୍ରବଣ ସିଂହଙ୍କ ଏହି କାହାଣୀ କହୁଛି , ଦେଶପ୍ରେମ କେବଳ ୟୁନିଫର୍ମ ପିନ୍ଧୁଥିବା ଲୋକଙ୍କ ମଧ୍ୟରେ ସୀମିତ ନୁହେଁ । ଏକ ଛୋଟ ପିଲା ପ୍ରମାଣ କରିଛି ଯେ ଯେତେବେଳେ ଦେଶ ସେବା କରିବାର କଥା ଆସେ ସେତେବେଳେ ବୟସର କିଛି ମାନେ ନଥାଏ । ଆଜି ଶ୍ରବଣ କେବଳ ତାଙ୍କ ଗାଁ ନୁହେଁ ବରଂ ସମଗ୍ର ଦେଶର ଗର୍ବ ପାଲଟିଛି । ତାଙ୍କର ପ୍ରେରଣାଦାୟକ ପଦକ୍ଷେପ ପ୍ରମାଣ କରିଛି ଯେ ପ୍ରକୃତ ହିରୋ ହେଉଛନ୍ତି ସେମାନେ ଯେଉଁମାନେ ନିଃସ୍ୱାର୍ଥପର ଭାବରେ ଦେଶ ପାଇଁ କିଛି କରନ୍ତି । ଏହି କୁନି ପୁଅଟିର ଚିନ୍ତାଧାରା ସେଇମାନଙ୍କ ଗାଲରେ ଏକ ଶକ୍ତ ଚାପୁଡ଼ା , ଯେଉଁମାନେ କିଛିଟା ଟଙ୍କା ଲୋଭରେ ପାଲିଟି ଯାଉଛନ୍ତି ଦେଶଦ୍ରୋହୀ ।