କନକ ବ୍ୟୁରୋ : ଅପରେସନ୍ ସିନ୍ଦୂର ଜରିଆରେ ଭାରତଠୁ ପାକିସ୍ତାନ ଜବାବ ପାଇବା ପରେ ରକ୍ତଚାଉଳ ଚୋବାଉଛି ପାକିସ୍ତାନ । ଭାରତଠୁ କିପରି ପ୍ରତିଶୋଧ ନେବ ଯୋଜନା ଚଳାଇଛି । ଅପରେସନ୍ ସିନ୍ଦୂର ପରେ ଅସ୍ତ୍ରଶସ୍ତ୍ର ଏକାଠି କରିବାରେ ଲାଗିଛି ପାକିସ୍ତାନ । ଆଉ ଏଥିରେ ସହଯୋଗ କରୁଛି ପାକିସ୍ତାନର ବନ୍ଧୁ ଚୀନ୍ । ଚୀନ୍ ପାକିସ୍ତାନକୁ ତାର ପଞ୍ଚମ ପିଢ଼ିର J-35A ଯୁଦ୍ଧ ବିମାନ ଯୋଗାଣକୁ ତ୍ୱରାନ୍ୱିତ କରିଛି । ଏହି ଅସ୍ତ୍ରଶସ୍ତ୍ର ଗୁଡ଼ିକ ପାକିସ୍ତାନକୁ ୫୦ ପ୍ରତିଶତ ରିହାତି ଏବଂ EMI ଜରିଆରେ ଟଙ୍କା ପୈଠ କରିବାର ସୁବିଧା ମଧ୍ୟ ପାକିସ୍ତାନକୁ ଯୋଗାଇ ଦେଇଛି ଚୀନ୍ ।

Advertisment

କୂଟନୈତିକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,  J-35A ଲଢ଼ୁଆ ବିମାନର ପ୍ରଥମ ପର୍ଯ୍ୟାୟ ଅଗଷ୍ଟ ସୁଦ୍ଧା ପାକିସ୍ତାନରେ ପହଞ୍ଚିବ । ପ୍ରଥମ ପର୍ଯ୍ୟାୟରେ ୩୦ଟି ଯୁଦ୍ଧ ବିମାନ ପଠାଯିବ । ଅପରେସନ୍ ସିନ୍ଦୂର ସମୟରେ ଭାରତ ସହିତ ୩-୪ ଦିନ ଧରି ଚାଲିଥିବା ଯୁଦ୍ଧରେ, ପାକିସ୍ତାନ J-10C ଏବଂ JF-17 ଭଳି ଚୀନ୍ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭରଶୀଳତା ଦେଖାଇଥିଲା । ତଥାପି, ପାକିସ୍ତାନୀ ସାମରିକ ଘାଟିରେ ସ୍ଥାପିତ ଚୀନ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀ HQ-9କୁ ଭାରତୀୟ ସେନା ଧ୍ୱଂସ କରିଦେଇଥିଲା ।

J-35Aର କ୍ଷମତା 
ଏହି ଜେଟ୍‌ରେ ଡବଲ୍ ଇଞ୍ଜିନ୍ ଅଛି । ଏହାକୁ ଏପରି ଡିଜାଇନ୍ କରାଯାଇଛି ଯେ ଏହାକୁ ସହଜରେ ରାଡାର୍ ସିଷ୍ଟମ୍ ଧରିପାରିନଥାଏ । ଏଥିରେ ଆଭ୍ୟନ୍ତରୀଣ ଅସ୍ତ୍ରଶସ୍ତ୍ର ଅପଲୋଡ୍ କରାଯାଇପାରିବ ଏବଂ ଏହା ବାୟୁରୁ ବାୟୁ ଏବଂ ବାୟୁରୁ ସ୍ଥଳଭାଗକୁ ନିକ୍ଷେପ କରାଯାଉଥିବା ମିସାଇଲ୍ ମଧ୍ୟ ନିକ୍ଷେପ କରିପାରିବ । ଏହାର ବେଗ ଘଣ୍ଟା ପ୍ରତି ୨୨୦୦ କିଲୋମିଟର ଏବଂ ଏହାକୁ ଋଷିଆର Su-57 ସହିତ ତୁଳନୀୟ ବୋଲି କୁହାଯାଉଛି ।