କନକ ବ୍ୟୁରୋ : ୨୦୧୬ ସର୍ଜିକାଲ ଷ୍ଟାଇକ ହେଉ ଅବା ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ । ମୋଦୀ ସରକାରକୁ ଘେରିବା ସହ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣର ପ୍ରମାଣ ମାଗିଥିଲେ ବିରୋଧୀ । କିନ୍ତୁ ଅପରେସନ ସିନ୍ଦୂରରେ ବ୍ୟାକଫୁଟ ପଡିଯାଇଛନ୍ତି ବିରୋଧୀ । ପହଲଗାମ ଆତଙ୍କୀ ଆକ୍ରମଣ ପରେ ମୋଦୀ ସରକାର ଯେଉଁଭଳି ଭାବେ ଗୋଟିଚାଳନା କଲେ ସେଥିରେ ବିରୋଧଙ୍କ ମୁହଁ ବନ୍ଦ ହୋଇଯାଇଛି । ବରଂ ବିଦେଶ ମାଟିରେ ମୋଦୀ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ବିରୋଧୀ ନେତା । 

Advertisment

ପହଲଗାମ ଆକ୍ରମଣରେ ଦୁଇ ଦୁଇ ଥର ସର୍ବଦଳୀୟ ବୈଠକ କରି ବିରୋଧୀଙ୍କ ଭରସା ଜିତିଥିଲେ ମୋଦୀ । ପରେ ପାକିସ୍ତାନ ଉପରେ ଆକ୍ରମଣ ପାଇଁ ପୂରା ଦେଶକୁ ଏକାଠି କରାଇବାରେ ସମର୍ଥ ହୋଇଥିଲେ ସରକାର । ଆଉ ଭାରତୀୟ ସେନା ଆକ୍ରମଣ କରିବା ସହ ପ୍ରମାଣ ମଧ୍ୟ ଦେଖାଇଥିଲା । ଯାହାକୁ ନେଇ ମଙ୍ଗଳବାର ବିରୋଧୀଙ୍କୁ ଘେରିବା ସହ ମୋଦୀ କହିଛନ୍ତି, ଅପରେସନ ସିନ୍ଦୂର କ୍ୟାମେରା ସାମ୍ନାରେ ହୋଇଥିଲା, ତେଣୁ ଏଥର କେହି ପ୍ରମାଣ ମାଗିନାହାଁନ୍ତି । ପିଓକେରେ ଥିବା ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ ପୂର୍ବରୁ ପାକିସ୍ତାନକୁ ଜଣାଇବାକୁ ନେଇ ରାହୁଲ ଗାନ୍ଧୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ପାକିସ୍ତାନ ସହ ଛୋଟ ଯୁଦ୍ଧ କହି ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡ୍‌ଗେ । 

ଠିକ୍ ଏହି ସମୟରେ ବିରୋଧୀ ଦଳର ନେତାମାନେ ବିଦେଶରେ ମୋଦୀ ସରକାରଙ୍କ ଗୁଣଗାନ କରୁଛନ୍ତି । ଅପରେସନ ସିନ୍ଦୂର ଏବଂ ଆତଙ୍କବାଦ ଦମନ କ୍ଷେତ୍ରରେ ଭାରତ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଅନ୍ୟ ଦେଶମାନଙ୍କୁ ଅବଗତ କରାଉଛନ୍ତି ସର୍ବଦଳୀୟ ନେତା । ସର୍ବଦଳୀୟ ପ୍ରତିନିଧିଙ୍କ ମଧ୍ୟରେ ଅଛନ୍ତି ମୋଦୀଙ୍କ ଘୋର ବିରୋଧୀ, ମୁସଲିମ ନେତା ଓୱେସୀ, ଏନସିପି ନେତ୍ରୀ ସୁପ୍ରିୟା ସୁଲେ, କଂଗ୍ରେସ ନେତା ଶଶି ଥରୁରଙ୍କ ଭଳି ନେତା । ଏସିଆ, ୟୁରୋପ, ଆମେରିକା ଏବଂ ଆଫ୍ରିକା ମହାଦେଶର ୩୦ରୁ ଅଧିକ ଦେଶର ପ୍ରତିନିଧିଙ୍କୁ ଅବଗତ କରାଇଛନ୍ତି ଭାରତର ସର୍ବଦଳୀୟ ଟିମ୍ । ଯୋଜନା ମୁତାବକ କାମ କରି ମାଷ୍ଟରଷ୍ଟ୍ରୋକ୍ ଖେଳିଛନ୍ତି ମୋଦୀ । ଯାହା ବିଜେପିର ବଡ଼ ବିଜୟ ବୋଲି କୁହାଯାଉଛି ।