ଅପରେସନ ସିନ୍ଦୂର ପରେ ଅପରେସନ କେଜିଏଚର ସଫଳତାର କାହାଣୀ । ଦେଶର ସବୁଠାରୁ ବଡ଼ ନକ୍ସଲ ଅପରେସନ କେଜିଏଚ୍ ଅର୍ଥାତ ଅପରେସନ କେରେଗୁଟା ହିଲ୍ସ ମାଓବାଦୀଙ୍କ ୟୁନିଫାଏଡ କମାଣ୍ଡରର ମେରୁଦଣ୍ଡ ଭାଙ୍ଗି ଦେଇଛି। ଏପ୍ରିଲ ୨୨ରେ ଛତିଶଗଡ ବିଜାପୁର ଓ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲା ସୀମାବର୍ତ୍ତୀ କେରେଗୁଟା ଜଙ୍ଗଲରେ ଦେଶର ସବୁଠାରୁ ବଡ ନକ୍ସଲ ବିରୋଧୀ ଅପରେସନ ଲଞ୍ଚ୍ ହୋଇଥିଲା । ମେ’ ୧୧ ତାରିଖରେ ଶେଷ ହୋଇଛି କେଜିଏଚ ଅପରେସନ । କେରେଗୁଟାର ଘଞ୍ଚ ଜଙ୍ଗଲରେ ଏହି ୨୧ ଦିନର ଘମାଘୋଟ ଲଢ଼େଇରେ ନିପାତ ହୋଇଛନ୍ତି ୩୧ ନକ୍ସଲ । ବଡ଼ କଥା ହେଉଛି ଏଥିରେ ଅଛନ୍ତି ୧୬ ଜଣ ମହିଳା । ଏପର୍ଯ୍ୟନ୍ତ ୩୧ ମୃତଦେହ ଜବତ ହୋଇଥିବା ବେଳେ ଆହୁରି ଅନେକ ଜବତ ହୋଇ ପାରିନାହିଁ ।
୨୮ ନକ୍ସଲଙ୍କ ମୃତଦେହ ଚିହ୍ନଟ ହୋଇଥିବା ବେଳେ ମୃତକଙ୍କ ନାଁରେ ୧ କୋଟି ୭୨ ଲକ୍ଷ ଟଙ୍କାର ପୁରସ୍କାର ରହିଛି । ଏମାନଙ୍କ ନିକଟରୁ ଏଲ୍ଏମ୍ଜି, ଏଇନସାସ, ଏକେ-୪୭ ପରି ୩୫ଟି ଅଟୋମେଟିକ୍ ଓ ସେମି ଅଟୋମେଟିକ୍ ବନ୍ଧୁକ ଜବତ ହୋଇଛି। କେରେଗୁଟା ବ୍ଲାକ ଫରେଷ୍ଟରେ ପାଦେ ପାଦେ ବିଛା ହୋଇଥିବା ୪୫୦ଟି ଆଇଡି, ୮୧୮ ବିଜିଏଲ ସେଲ୍, ୮୯୯ଟି କୋଡେକ୍ସ ତାର ବଣ୍ଡଲ, ଜଲୋଟିନ, ଡିଟୋନେଟର ଆଦି ଜବତ ହୋଇଛି ।
ୟୁନିଫାଇଡ୍ କମାଣ୍ଡ ଉପରେ ଆକ୍ରମଣ
ଏହି ଐତିହାସିକ ଅପରେସନରେ ୨୦୦ରୁ ଉର୍ଦ୍ଧ୍ବ ମାଓ ଶିବିର ଧ୍ୱଂସ କରାଯାଇଛି। ଏହାସହ ୪ଟି ଅସ୍ତ୍ର ତିଆରି କାରଖାନା ସହ ୧୨ ଟନ୍ ଖାଇବା ଓ ରାସନ୍ ସାମଗ୍ରୀ ନଷ୍ଟ କରିଛନ୍ତି ଯବାନ । ଛତିଶଗଡ଼ରେ ଘନଘନ ଆକ୍ରମଣ ଯୋଗୁଁ ନକ୍ସଲମାନେ ବାଟାଲିୟନ ନମ୍ବର-୧, ସିଆରସିସି କମ୍ପାନୀ ଓ ତେଲେଙ୍ଗାନା ଷ୍ଟେଟ କମିଟିକୁ ନେଇ ଏକ ୟୁନିଫାଏଡ କମାଣ୍ଡ ଗଠନ କରି କେରେଗୁଟା ପାହାଡ଼ ଉପରେ ଆଶ୍ରୟ ନେଇଥିଲେ। ତେବେ ଅପରେସନ ମାଧ୍ୟମରେ ଯବାନମାନେ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଏହି ୟୁନିଫାଏଡ୍ କମାଣ୍ଡରର ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି ।