ବହୁତ ସହିଲା ଭାରତ , ଏଣିକି ଆଉ ନୁହେଁ .. କାଶ୍ମୀରରେ ଆତଙ୍କ ରଚୁଥିବା ସୈତାନଙ୍କୁ ଖୋଜି ଖୋଜି ମାରୁଛି ସେନା । ଶ୍ରୀନଗରରୁ ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ପ୍ରତିରକ୍ଷାମନ୍ତ୍ରୀ । ଆତଙ୍କବାଦୀଙ୍କୁ ଛାଡିବନି ଭାରତ .. ଆଉ ନିସ୍ତାର ନାହିଁ । ଘାଟି ଅଞ୍ଚଳରେ ସେନା ଆରମ୍ଭ କରିଛି ଅପରେସନ କେଲର । ଆତ୍ମସମର୍ପଣ ନହେଲେ ଦୁନିଆରୁ ବିଦାୟ । କିଛି ଏଭଳି ଆଭିମୁଖ୍ୟ ସହ ସେନା ଚଳାଇଛି ସର୍ଚ୍ଚ ଅପରେସନ । ଏସବୁ ଭିତରେ ଶ୍ରୀନଗରରେ ପହଞ୍ଚି ଯବାନଙ୍କ ମନୋବଳ ବଢାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ।
ଅପରେସନ ସିନ୍ଦୂରର ସଫଳତା ପରେ ଭାରତୀୟ ସେନା ଆରମ୍ଭ କରିଛି ଅପରେସନ କେଲର । ଏହି ଅପରେସନରେ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରୁଛି ସେନା । ତ୍ରାଲ ଅଞ୍ଚଳରେ ୩ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରି ନିପାତ କରିଛି ସେନା । ମୃତ ୩ ଆତଙ୍କୀଙ୍କ ମଧ୍ୟରେ ପହଲଗାମ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ଆସିଫ ଶେଖ ମଧ୍ୟ ରହିଛି। ଏନକାଉଣ୍ଟର ପରେ ଏହି ଆତଙ୍କୀଙ୍କ ପାଖରୁ ବିପୁଳ ଗୋଳା ବାରୁଦ ଓ ବିସ୍ଫୋରକ ଜବତ ହୋଇଛି । ପହଲଗାମ ଭଳି ବଡ଼ ଆକ୍ରମଣର ଷଡ୍ଯନ୍ତ୍ର କରୁଥିଲେ ଆତଙ୍କୀ । ତେବେ ଏହା ପୂର୍ବରୁ ଭାରତୀୟ ସେନା ୩ ଆତଙ୍କୀଙ୍କୁ ସବୁଦିନ ପାଇଁ ଶୁଆଇ ଦେଇଛି। ଅନ୍ୟପଟେ ଶ୍ରୀନଗର ଗସ୍ତରେ ଯାଇ ପ୍ରତିରକ୍ଷାମନ୍ତ୍ରୀ ଆତଙ୍କବାଦୀ ଓ ପାକିସ୍ତାନକୁ ଖୋଲା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି , ‘ପାକିସ୍ତାନର ପରମାଣୁ ଆକ୍ରମଣ ଧମକକୁ ଭାରତ ଡରିନି । ଆତଙ୍କବାଦକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବନି । ପହଲଗାମରେ ଆତଙ୍କୀ ଧର୍ମ ପଚାରି ନିର୍ଦ୍ଦୋଷଙ୍କୁ ମାରିଥିଲେ । ଆତଙ୍କୀଙ୍କୁ ସେମାନଙ୍କ କର୍ମ ଦେଖି ଭାରତ ନିପାତ କରିଛି।’
ଅପରେସନ ସିନ୍ଦୂର ସମୟରେ ଭାରତୀୟ ସେନାର ତୁଣ୍ଡ ସାଜିଥିଲେ କର୍ଣ୍ଣେଲ ସୋଫିଆ କ୍ୟୁରେସୀ । ତେବେ ସୋଫିଆଙ୍କୁ ନେଇ ବିବାଦୀୟ ବୟାନ ଦେବା ମଧ୍ୟପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ ବିଜୟ ଶାହାଙ୍କ ପାଇଁ ଅଡୁଆ ବଢାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଜୟଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମନ୍ତ୍ରୀ। କିନ୍ତୁ ସୁପ୍ରିମକୋର୍ଟରୁ ବିଜୟଙ୍କ ଉପରେ ପଡ଼ିଛି ଛାଟ। ମୁଖ୍ୟ ବିଚାରପତି ବିଜୟଙ୍କୁ ପ୍ରଶ୍ନ କରି କହିଛନ୍ତି, ‘ମନ୍ତ୍ରୀ ହୋଇ ମଧ୍ୟ ଏଭଳି ଅଶୋଭନୀୟ ବୟାନ କାହିଁକି ଦେଉଛନ୍ତି? ସାମ୍ବିଧାନିକ ପଦରେ ଥାଇ ବିବାଦୀୟ ବୟାନ ଦେଲେ ଦେଶବାସୀ ଗ୍ରହଣ କରିବେନି।’ ଆତଙ୍କବାଦର ସମୂଳ ବିନାଶ ଏବେ ଭାରତର ମୂଳ ଲକ୍ଷ୍ୟ । ଅପରେସନ ସିନ୍ଦୂର ଜରିଆରେ ଶତ୍ରୁ ଦେଶରେ ଲୁଚିଥିବା ଆତଙ୍କବାଦୀଙ୍କୁ ଭାରତୀୟ ସେନା ନିପାତ କରିଥିବା ବେଳେ ଏବେ ଦେଶ ଭିତରେ ଥିବା ଆତଙ୍କୀଙ୍କ ଅନ୍ତ କରିବାକୁ ସେନା ଆରମ୍ଭ କରିଛି ଅପରେସନ କେଲର ।