କନକ ବ୍ୟୁରୋ : ଆସିଛି ପାର୍ବଣ। ପାର୍ବଣରେ ଟୁଇନ ସିଟିରେ ଅପରାଧୀଙ୍କ ଉତ୍ପାତକୁ ଦେଖି ଆକ୍ସନ ମୋଡରେ ପୁଲିସ । ଅପରାଧ ଓ ଅପରାଧୀ ଦମନ ପାଇଁ ପୁଲିସ ଆରମ୍ଭ କରିଛି ଅପରେସନ କ୍ଲିନ। କଟକ-ଭୁବନେଶ୍ୱରରେ ଥିବା ମାଳ ମାଳ ଦାଗୀଙ୍କୁ ଚିହ୍ନ କରିଛି କମିଶନରେଟ ପୁଲିସ। ୱାରେଣ୍ଟିଙ୍କୁ ଗୋଡାଇ ଗୋଡାଇ ବାନ୍ଧିବା, ଜାମିନ ବିହିନ ଗିରଫ ପରୱାନା ଜାରି କରିବା। ପେଶାଦାର ଓ ଅଭ୍ୟାସଗତ ଅପରାଧୀଙ୍କୁ ଜେଲରେ ଭର୍ତି କରିବା। ଏକାଧିକ ହଣ୍ଡ୍ରେଟ ଟେନ୍ ରେ ବୁକ ଥିବା ଅପରାଧୀଙ୍କୁ ଏନଏସଏରେ ବୁକ କରିବା। ଏହାସହିତ ଆତଙ୍କ ଖେଳାଇ ଜନସାଧାରଣଙ୍କ ମନରେ ଭୟ ସୃଷ୍ଟି କରୁଥିବା କୁଖ୍ୟାତ ଅପରାଧୀଙ୍କୁ ତଡିପାର ପାଇଁ ପୁଲିସ କମିସନର ସବୁ ଥାନା ଆଇଆଇସିଙ୍କୁ ନିର୍ଦେଶ ଦେଇଛନ୍ତି। 

Advertisment

ଅନ୍ୟପଟେ ପାର୍ବଣ ଆରମ୍ଭରୁ ରାଜଧାନୀରେ ଅପରାଧୀଙ୍କ ଆତଙ୍କ ଦେଖିବାକୁ ମିଳିଛି। ରେଷ୍ଟୁରାଣ୍ଟରେ ଭଙ୍ଗାରୁଜା କଥା କୁହନ୍ତୁ କିମ୍ୱା ଝାରପଡାରେ ବନ୍ଧୁକ ଧରି ରାସ୍ତା ଉପରେ ବୁଲି ବୁଲି ଧମକ ଦେବା କଥା କୁହନ୍ତୁ। ଉପରମୁହାଁ ଅପରାଧୀଙ୍କୁ ଦଶହରାରେ ସାବାଡ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେମିତି ଦାଗୀମାନେ ଦଶହରା ପୁଜା ପେଣ୍ଡାଲ ନୁହେଁ ବରଂ ଜେଲରେ କାଟିବେ । 

କମିଶନରେଟ ପୁଲିସରୁ ମିଳିଥିବା ସୁଚନାନୁସାରେ, କଟକ – ଭୁୱନେଶ୍ୱରର ଶତାଧିକ ଦାଗୀଙ୍କ ତାଲିକା କରି ସାରିଛି ପୁଲିସ। ଅତିତରେ ଜେଲ ଯାଇଥିବା ଅପରାଧୀଙ୍କୁ ବାନ୍ଧିବାକୁ ସ୍ପେଶାଲ ସ୍କ୍ୱାର୍ଡ ସାଦା ପୋଷାକରେ ଆରମ୍ଭ କରି ଦେଇଛି ଅପରେସନ କ୍ଲିନ। ତେବେ କମିଶନରେଟ ପୁଲିସ ପାର୍ବଣରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ କେତେ ସଫଳ ହେଉଛି ତା ଉପରେ ସମସ୍ତଙ୍କ ନଜର।