କନକବ୍ୟୁରୋ : ତେଲେନଡିହି କୋଇଲା ଚୋରି ଘଟଣାରେ ଖସି ପାରିବେନି କୋଇଲା ମାଫିଆ । କୋଇଲା ଲୁଟ ପଛରେ ଥିବା ବଡ଼ ବଡ଼ିଆଙ୍କୁ ଧରିବାକୁ ଆରମ୍ଭ ହୋଇଛି ଅପରେସନ  ।   ଘଟଣାର ପର୍ଦ୍ଦାଫାଶ କରିବାକୁ କାମ କରୁଛି ପୋଲିସର ସ୍ୱତନ୍ତ୍ର ସ୍ବାର୍ଡ  । କେନ୍ଦ୍ରମନ୍ତ୍ରୀଙ୍କ ପରେ ପଶ୍ଚିମାଞ୍ଚଳ ଡିଆଇଜିଙ୍କ କଡ଼ା ଚେତାବନୀ  । ଯେତେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିଲେ ବି ଆଇନ ଅନୁସାରେ ହେବ କଠୋର କାର୍ଯ୍ୟାନୁଷ୍ଠାନ  ।  ଖଣି ଖନନ ପଛରେ କେଉଁ ବଡ଼ବଡ଼ିଆ ସାମିଲ ଅଛନ୍ତି  ତାହା ଜାଣିବା ପାଇଁ ଖବରୀଙ୍କ ଦ୍ୱାରା ନିକଟ ଗାଁ ମାନଙ୍କରେ ତଦନ୍ତ କରୁଛି ପୋଲିସର ସ୍ବତନ୍ତ ସ୍ବାର୍ଡ  ଟିମ । ପୋଲିସ ୩୦୩ ବିଏନଏସ, ୨୫ ଏମଭିଆର ଆକ୍ଟରେ ମାମଲା ରୁଜୁ କରି ତଦନ୍ତ କରୁଛି ।  ଘଟଣାସ୍ଥଳରୁ ୧୪୩ ଟନ ବେଆଇନ ଗଚ୍ଛିତ କୋଇଲା ଜବତ ହୋଇଛି ।

Advertisment

ଜବତ କୋଇଲାକୁ ଖଣି ବିଭାଗ ନିଜ ଅକ୍ତିଆରକୁ ନେଇଛି  । ଖାଲି ଏତିକି ନୁହେଁ କଳାହୀରାର କଳା ସାମ୍ରାଜ୍ୟ । କନକ ନ୍ୟୁଜ୍‌ରେ ଅପରେସନ୍ କଳା ହୀରା ପାର୍ଟ-୨ । ତେଲେନଡିହି ପରେ ମାଫିଆଙ୍କ ରତନସରା ଠିକଣାରେ କନକ ନ୍ୟୁଜ୍‌ । ଜଙ୍ଗଲ ନାଳ ଡେଇଁ ମାଫିଆଙ୍କ ଠିକଣାରେ ପହଞ୍ଚିଛନ୍ତି ଆମ ପ୍ରତିନିଧି । ସାରା ରାଜ୍ୟରେ ସୁନ୍ଦରଗଡ ଜିଲ୍ଲାର ଖଣି ଚୋରି ଚହଳ ପକାଇ ଦେଇଛି। ଏହି ଚୋରା ଖଣିରେ ସାମିଲ ଥିବା ସରକାରୀ ବାବୁ, କୋଇଲା ଚୋରି କରୁଥିବା ମାଫିଆ ଓ ତାଙ୍କୁ ସୁରକ୍ଷା ଦେଉଥିବା ରାଜନେତାଙ୍କ ଛାତି ଥରହର ହେବାକୁ ବସିଲାଣି । ମାମଲା ଥାନାରୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚି ସାରିଲାଣି । ହେଲେ କେବଳ  ହେମଗିରି ତେଲେନଡିହି ଜଙ୍ଗଲରେ ସରିଯାଇ ନାହିଁ କଳାହୀରାର କଳା ସାମ୍ରାଜ୍ୟ । ଏ ଚେର ବହୁତ ଲମ୍ବା ।

ଗୋଟିଏ ପରେ ଗୋଟିଏ ଗାଁ ଡେଇଁ ବହୁ ଆଗକୁ ବଢିଛି ଏହି କଳାହୀରାର କଳା ବେପାର । କଳାହୀରାର କଳା ସାମ୍ରାଜ୍ୟ ।  ତେଲେନଡିହି ଜଙ୍ଗଲରୁ ପାଖାପାଖି ୧୦ କିଲୋମିଟର ଦୂରରେ ରହିଛି ରତନସରା ଗାଁ । ରତନସରା ଗାଁ ରେ ଚାଲିଛି କଣ ?  କେମିତି ଚୋରା ଖଣି ଓ ବେଆଇନ କୋଇଲା ଚାଲାଣ କରୁଛନ୍ତି ମାଫିଆ । କନକ ନ୍ୟୁଜରେ ବାରମ୍ବାର ଖବର ପ୍ରସାରଣ ପରେ ଲୋକ ଦେଖାଣିଆ ଭାବେ ପ୍ରଶାସନ,  ପୋଲିସ, ବନବିଭାଗ ଓ ଖଣି ବିଭାଗ ଜଙ୍ଗଲରେ ପହଚିଂ କିଛି ଛୋଟ ଛୋଟ ଖଣିରେ ଚଢାଉ କରି ମାତ୍ର ୧୫୦ଟନ କୋଇଲା ଜବତ କରି ଚୁପ୍ ବସି ରହିଛି ।  

ହେଲେ ଆଜି ଆମେ ଦେଖାଉଛୁ ଯେ କେବଳ ତେଲେନଡିହି ଜଙ୍ଗଲ ନୁହଁ ଏହାଠାରୁ ୧୦ କିଲୋମିଟର ଦୂର ରତନସରା ଗାଁରେ ମଧ୍ୟ ରହିଛି ମାଫିଆଙ୍କ କୋଇଲା ଖଣି  ।  ଏଠାରେ ଘଞ୍ଚ ଜଙ୍ଗଲ ନୁହଁ ବରଂ ଗାଁ ନିକଟ ଦେଇ ବହି ଯାଇଥିବା ଚତୁର୍ଭୁଜ ନାଳ କଡେ କଡେ ମାଫିଆ ଖୋଳିଛନ୍ତି ନିଜର କୋଇଲା ଖଣି । ଆଉ ଏହି ବେଆଇନ କୋଇଲା ଖଣିରୁ କୋଇଲା ଉତ୍ତୋଳନ କରି ଚୋରା ଚାଲାଣ କରାଯାଉଛି । ରାଷ୍ଟ୍ରର ସମ୍ପତ୍ତିକୁ ଖୁଲମଖୁଲ୍ଲା ବିକ୍ରି କରି ଟଙ୍କା ନିଜ ପକେଟକୁ ନେଇଛନ୍ତି। 
---