କନକ ବ୍ୟୁରୋ: ସରଣ୍ଡା ଜଙ୍ଗଲରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଅପରେସନ ଆନାକୋଣ୍ଡା ୨.୦ । ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାରେ ଥିବା ଜଙ୍ଗଲରେ ସୁରକ୍ଷା ବାହିନୀ ପକ୍ଷରୁ ହେବ ଏହି ମାଓ ନିପାତ ଅଭିଯାନ । ଜଙ୍ଗଲ ଭିତରେ ଲୁଚି ଥିବା ନକ୍ସଲଙ୍କ ଦମନ ଏହି ଅପରେସନର ମୂଳ ଉଦ୍ଦେଶ୍ୟ । ଏହି ଅପରେସନରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଡ୍ରୋନ୍, ସାଟେଲାଇଟ ନିରୀକ୍ଷଣ, ପର୍ବତ ସେନା ଓ ଜଙ୍ଗଲ ଯୁଦ୍ଧ ବିଶେଷଜ୍ଞ ସାମିଲ୍ ହେବେ । ଏଥିସହ CRPFର ସ୍ଵତନ୍ତ୍ର କ୍ୟାମ୍ପ କରିବା ପାଇଁ ଯୋଜନା ହୋଇଛି । ୨୦୨୬ ସୁଦ୍ଧା ସରଣ୍ଡା ଜଙ୍ଗଲରୁ ମାଓ ନିପାତ ପାଇଁ ଲକ୍ଷ୍ୟ ରଖିଛି ସୁରକ୍ଷା ବାହିନୀ । ସୁନ୍ଦରଗଡ ବାଙ୍କୋରୁ ବାରୁଦ ଲୁଟ୍ ପରେ ସରଣ୍ଡା ଜଙ୍ଗଲରେ ମାଓବାଦୀ ଥିବା ସ୍ପଷ୍ଟ ହୋଇଥିଲା । ଦୀର୍ଘ ୧୦ଦିନ ଅପରେସନ ଚଳାଇବା ପରେ ଲୁଟ୍ ହୋଇଥିବା ୫ଟନ୍ ବାରୁଦରୁ ପ୍ରାୟ ୪ଟନ୍ ଉଦ୍ଧାର କରିଥିଲେ ମିଳିତ ସୁରକ୍ଷା ବାହିନୀ । କିନ୍ତୁ ଅବଶିଷ୍ଟ ବାରୁଦ ଏଯାଏଁ ଉଦ୍ଧାର ହୋଇପାରିନି ।
ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡ ସୀମାରେ ମାଓ ଦମନ କାର୍ଯ୍ୟକ୍ରମ ଚାଲିଛି । ତେଣୁ ସେମାନେ ଓଡ଼ିଶା ଭିତରକୁ ଚାଲି ଆସିଥିବା ଅନୁମାନ କରାଯାଉଛି । ଛତିଶଗଡ଼ରୁ ନୂଆପଡ଼ା ଜଙ୍ଗଲରେ ପଶି ବଲାଙ୍ଗୀର ପାଟଣାଗଡ଼ ଦେଇ ସୋନପୁର ଆସିଥିବା ଅନୁମାନ କରାଯାଉଛି । ମାଓବାଦୀଙ୍କୁ ଧରିବାକୁ କମ୍ବିଂ ଅପରେସନ୍ ଚାଲିଛି । ସମ୍ବଲପୁର-ସୋନପୁର ପଟୁ ପୁଲିସ ସେମାନଙ୍କୁ ଘେରାବନ୍ଦୀ କରିଥିବା ସୂଚନା ମିଳିଥିଲା । ଜଙ୍ଗଲ ଭିତରେ କରାଯାଇଥିଲା ଡ୍ରୋନ୍ ସର୍ଭେ । ରେଢ଼ାଖୋଲ ଚାରଗଡ଼ ସଂରକ୍ଷିତ ଜଙ୍ଗଲରେ କମ୍ବିଂ ଅପରେସନ୍ କରାଯାଇଥିଲା । ଚାରମାଳ ଥାନାରେ ଗୋଟିଏ ଟିମ୍ ରହି ଯାଞ୍ଚ କରୁଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଚାରମାଳ ଥାନା, ବଡ଼ମାଳ ଫାଣ୍ଡି, କିସିଣ୍ଡା ଓ ନାକଟିଦେଉଳ ଥାନାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।