ମାଓଗଡ଼ରେ ପଶିବେ ସୁରକ୍ଷାକର୍ମୀ : ସରଣ୍ଡା ଜଙ୍ଗଲରେ ଅପରେସନ ଆନାକୋଣ୍ଡା ୨.୦

ମାଓବାଦୀଙ୍କ ଗଡ଼ ପାଲଟିଥିବା ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାରେ ଥିବା ସରଣ୍ଡା ଜଙ୍ଗଲରେ ପଶିବେ ଯବାନ । ମାଓ ଦମନ ଅଭିଯାନରେ ଏବେ ସୁଦ୍ଧା ବଞ୍ଚିଯାଇଥିବା କିଛି ମାଓବାଦୀଙ୍କୁ ନିପାତ କରାଯିବ ।

anakonda

anakonda Photograph: (Kanak News)

କନକ ବ୍ୟୁରୋ : ୧୪ ବର୍ଷ ପରେ ବଡ଼ ଅପରେସନ । ମାଓବାଦୀଙ୍କ ଗଡ଼ ପାଲଟିଥିବା ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାରେ ଥିବା ସରଣ୍ଡା ଜଙ୍ଗଲରେ ପଶିବେ ଯବାନ । ମାଓ ଦମନ ଅଭିଯାନରେ ଏବେ ସୁଦ୍ଧା ବଞ୍ଚିଯାଇଥିବା କିଛି ମାଓବାଦୀଙ୍କୁ ନିପାତ କରାଯିବ । ଜଙ୍ଗଲ ଭିତରେ ଲୁଚିଥିବା ନକ୍ସଲଙ୍କ ଦମନ ଏହି ଅପରେସନର ମୂଳ ଉଦ୍ଦେଶ୍ୟ । ଅପରେସନରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଡ୍ରୋନ୍, ସାଟେଲାଇଟ୍ ନିରୀକ୍ଷଣ ସହ ଜଙ୍ଗଲ ଯୁଦ୍ଧରେ ଦକ୍ଷ ଯବାନଙ୍କୁ ସାମିଲ କରାଯିବ । ଏଭଳି ବଡ଼ ଅପରେସନ ପାଇଁ ଜଙ୍ଗଲ ଭିତରେ CRPF ର ସ୍ଵତନ୍ତ୍ର କ୍ୟାମ୍ପ ନିର୍ମାଣ ପାଇଁ ଯୋଜନା କରାଯାଇଛି । କେନ୍ଦ୍ରୀୟ ବାହିନୀ ଏବଂ ଝାଡ଼ଖଣ୍ଡ ପୁଲିସର ମିଳିତ ନେତୃତ୍ୱରେ ଅପରେସନ କରାଯିବ । ଏସଓଜି ସହ ଅନ୍ୟ ୫ ବାଟାଲିୟନର ଯବାନମାନେ ଏହି ଅଭିଯାନରେ ସାମିଲ ହେବେ । ନକ୍ସଲମାନେ ଯେପରି ଖସି ନଯାଇପାରିବେ ସେଥିପାଇଁ ସ୍ବତନ୍ତ୍ର ରଣନୀତି କରାଯାଇଛି ।

ଏକା ସାଙ୍ଗରେ ଦୁଇ ଶିକାର : ଲୁଟିଥିବା ବିସ୍ଫୋରକ ଉପରେ ନଜର

ସରଣ୍ଡା ଜଙ୍ଗଲରେ ଆଡ୍ଡା ଜମାଇଥିବା ମାଓବାଦୀଙ୍କ ଗଡ଼ ଧ୍ବଂସ କରିବା ସହ ଲୁଟ୍ ବିସ୍ଫୋରକ ଜବତ କରିବାକୁ ଲକ୍ଷ୍ୟ ରଖାଯାଇଛି । ସୁନ୍ଦରଗଡ଼ ବାଙ୍କୋରୁ ବାରୁଦ ଲୁଟ୍ ପରେ ସରଣ୍ଡା ଜଙ୍ଗଲରେ ମାଓବାଦୀ ଥିବା ସ୍ପଷ୍ଟ ହୋଇଥିଲା । ଦୀର୍ଘ ୧୦ ଦିନ ଅପରେସନ ଚଳାଇବା ପରେ ଲୁଟ୍ ହୋଇଥିବା ୫ ଟନ୍ ବାରୁଦରୁ ପ୍ରାୟ ୪ ଟନ୍ ଉଦ୍ଧାର କରିଛନ୍ତି ମିଳିତ ସୁରକ୍ଷା ବାହିନୀ । କିନ୍ତୁ ଅବଶିଷ୍ଟ ୧ ଟନ୍ ବାରୁଦ ଉଦ୍ଧାର ହୋଇପାରିନି । ୨୦୧୧ରେ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ପାଇଁ ଅପରେସନ ଆନାକୋଣ୍ଡା କରାଯାଇଥିଲା । ସେଥିରେ ମାଓ ସଙ୍ଗଠନର ଅପୂରଣୀୟ କ୍ଷତି ହୋଇଥିଲା । ଯାହାର ପ୍ରାୟ ୧୪ ବର୍ଷ ପରେ ପୁଣିଥରେ ଅପରେସନ ଆନାକୋଣ୍ଡା-୨ ଆରମ୍ଭ ହେବାକୁ ଯାଉଛି । ୨୦୨୬ ସୁଦ୍ଧା ସରଣ୍ଡା ଜଙ୍ଗଲକୁ ମାଓବାଦୀ ମୁକ୍ତ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe