କନକ ବ୍ୟୁରୋ : ହଷ୍ଟେଲ ପରେ ଖାଲି ହେଲା ବାଣୀବିହାର କ୍ବାର୍ଟର୍ସ । ଅବୈଧ ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟର ସରକାରୀ ବାସଭବନକୁ ଅକ୍ତିଆର କରିଥିବା ଲୋକେ କ୍ବାର୍ଟର୍ସ ଖାଲି କରିଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ମୁତୟନ ହୋଇଛନ୍ତି ୪ ପ୍ଲାଟୁନ ପୋଲିସ ଫୋର୍ସ । ଗତକାଲି ସାନ୍ଧ୍ୟା ୫ଟା ସୁଦ୍ଧା ସମସ୍ତ ଅକ୍ତିଆର ହୋଇଥିବା ଅବୈଧ ସରକାରୀ ବାସଭବନକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ ବିଶ୍ୱବିଦ୍ୟାଳୟ କୁଳପତି । ବାଣୀ ବିହାର କ୍ୟାମ୍ପସରେ ୬୧୦ କ୍ୱାର୍ଟର ରହିଛି । ୪୯୨ ଷ୍ଟାଫଙ୍କୁ ଅନୁମତି ମିଳିଛି କ୍ୱାର୍ଟରରେ ରହିବା ପାଇଁ । ବାକି ୧୧୮ କ୍ୱାର୍ଟର ଖାଲି ପଡ଼ିଛି । ତା ଭିତରୁ ୪୯ କ୍ୱାର୍ଟରରେ ଲୋକ ଅନଧିକାର ଭାବେ ରହୁଥିଲେ । ତାଙ୍କୁ ଗତକାଲି ସନ୍ଧ୍ୟା ସୁଦ୍ଧା କ୍ୱାର୍ଟର ଛାଡିବା ପାଇଁ ନୋଟିସ ଦିଆଯାଇଥିଲା । ପୂର୍ବରୁ ଅନେକ କ୍ୱାର୍ଟର ଖାଲି କରିଥିବା ବେଳେ ଅନେକ ଆଜି କ୍ବାର୍ଟର ଖାଲି କରିଛନ୍ତି ।