କନକ ବ୍ୟୁରୋ: ବଡ଼ ବଡ଼ ବିବାଦରେ ଫସି ଫସି ଯାଉଛି ରାଜ୍ୟର ଯାତ୍ରା ଦୁନିଆ। ସବୁବେଳେ ସାମ୍ନାକୁ ଆସୁଛି ନୂଆ ନୂଆ ବିବାଦ । କେବେ ଟଙ୍କାକୁ ନେଇ ଗଣ୍ଡଗୋଳ ତ, କେବେ ପ୍ରେମ ଓ କେବେ ଅଶ୍ଳୀଳ ନାଚକୁ ନେଇ ବିବାଦ । ମାଲିକ ଓ ଯାତ୍ରା କଳାକାରଙ୍କ ବିବାଦ ଚରମ ସୀମାରେ ପହଞ୍ଚିଛି । ଓଡ଼ିଶା ପରମ୍ପରା ଓ ସଂସ୍କୃତିର ପ୍ରତିଛବି ଥିଲା ଯାତ୍ରାଜଗତ, କିନ୍ତୁ ମାଲିକ-କଳାକାର ଓ ପଇସା ବିବାଦରେ ଛନ୍ଦି ହୋଇପଡ଼ିଛି ଯାତ୍ରା ଶିଳ୍ପ । ପରିସ୍ଥିତି ଏମିତି ହୋଇଛି ଯେ, ମହିଳା କଳାକାର ସିଧା ଯାତ୍ରା ପାର୍ଟି ମାଲିକଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣୁଛନ୍ତି । ଏହା ଯାତ୍ରା ଜଗତକୁ ଅଧିକ ବିବାଦ ଘେରକୁ ଟାଣିଛି ଓ ଲୋକ ଯାତ୍ରା ଦେଖିବା ଅପେକ୍ଷା ଏଭଳି ବିବାଦୀୟ ଖବର ଉପରେ ଅଧିକ ଚର୍ଚ୍ଚା କରୁଛନ୍ତି ।
- ଯାତ୍ରାରେ ହେଉଛି କୋଟି କୋଟି ଟଙ୍କାର ଡିଲ୍
- ମାଲିକ-କଳାକାର ଭିତିରିଆ କରୁଛନ୍ତି ଖେଳ
ଯାତ୍ରା ଜଗତରେ ବିବାଦ ପୀୟୂଷ ତ୍ରିପାଠୀଙ୍କ ଯାତ୍ରା ପାର୍ଟି ଡିଲକୁ ନେଇ ଆରମ୍ଭ ହୋଇଥିଲା । ପରେ ଅଭିନେତ୍ରୀ ସୋନାଲି ପଣ୍ଡା, କମେଡିଆନ ନରି ପଣ୍ଡା, ଅଭିନେତ୍ରୀ ମାମୁନି ଷଡଙ୍ଗୀ, ଖଳ ନାୟକ ସଞ୍ଜୟ ଭୋଳ ବିବାଦରେ ରହିଥିଲେ । ବିଶେଷକରି ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁଙ୍କ ନାଁରେ ଏକାଧିକ ବିବାଦ ଉଠିବା ପରେ ଯାତ୍ରା ଜଗତ ବଦନାମ ହୋଇଛି । ଯାତ୍ରାରେ ବଡ଼ ବଡ଼ କଳାକାର କୋଟି କୋଟି ଟଙ୍କାର ଡିଲ୍ କରୁଛନ୍ତି । ଟଙ୍କାର ଖେଳ ହେଉଛି । ଟଙ୍କାକୁ ନେଇ କନ୍ଦଳ ହେଉଛି, କିନ୍ତୁ ତଳିଆ କର୍ମଚାରୀ ପାରିଶ୍ରମିକ ପାଉନାହାନ୍ତି । ଏହା ଉପରେ କେହି ଦୃଷ୍ଟି ବି ଦେଉନାହାନ୍ତି । ବଡ଼ ବଡ଼ କଳାକାର ଡିଲ କରି ଲାଭବାନ ହେଉଛନ୍ତି ଆଉ ଛୋଟ ଛୋଟ କଳାକାର ହେଉଛନ୍ତି ଶୋଷଣ ।
ଯାତ୍ରାକୁ ଆଜିଯାଏଁ ସଂସ୍କୃତି ବିଭାଗ ଅଧୀନକୁ ଅଣାଯାଇପାରିଲା ନାହିଁ । ଯାତ୍ରା କିଭଳି ଚାଲିବ, ଶୃଙ୍ଖଳା କେମିତି ରହିବ ତା’ ପାଇଁ ବି ଏସଓପି ନାହିଁ । ତେଣୁ ଯାତ୍ରାରେ ଟଙ୍କାର ଖେଳ ହେବା ସହ ବିବାଦ ବଢୁଛି । ଯଦି ଏଭଳି ବିବାଦ ଜାରି ରହେ ତାହା ହେଲେ ଓଲିଉଡ୍ ଭଳି ଯାତ୍ରାଜଗତ ବି ଆଗକୁ ଚମକ ହରାଇବା ଆଶଙ୍କା ସୃଷ୍ଟି ହୋଇଛି ।