କନକ ବ୍ୟୁରୋ: ଆପଣ ଯଦି ଅନଲାଇନରେ ଟଙ୍କା ପଠାଉଛନ୍ତି, ଆଉ ଫୋନ୍ ପେ, ଗୁଗୁଲ୍ ପେ ବ୍ୟବହାର କରୁଛନ୍ତି । ତେବେ ଆପଣଙ୍କ ପାଇଁ ଆସିଛି ବଡ଼ ଖବର । ଏଣିକି ଆଉ ଅନଲାଇନରେ ଟ୍ରାଞ୍ଜାକ୍ସନ ଲିମିଟ୍ ନେଇ ଆପଣ ଅସୁବିଧାରେ ପଡ଼ିବେନି । କାହିଁକି ନା ପୂର୍ବରୁ ୧ ଲକ୍ଷ ଟଙ୍କା ରଖାଯାଇଥିବା ଟ୍ରାଞ୍ଜାକ୍ସନ ଲିମିଟ୍ ବଢାଇ ଦିଆଯାଇଛି । ଏନପିସିଆଇ ଏବେ ଟ୍ୟାକ୍ସ, ବୀମା ପ୍ରିମିୟମ୍, ଲୋନ୍ ଇଏମଆଇ ଏବଂ ସେୟାର ବଜାରରେ ଇନଭେଷ୍ଟ ପାଇଁ ଟ୍ରାଞ୍ଜାକ୍ସନ ଲିମିଟକୁ ବଢାଇ ଦେଇଛି । ଏଣିକି ୟୁଜର୍ସମାନେ ୨୪ ଘଣ୍ଟା ଭିତରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିପାରିବେ ।
ଚଳିତ ବର୍ଷ ସେପ୍ଟେମ୍ବର ୧୫ ତାରିଖ ଟ୍ୟାକ୍ସ ଭରିବାର ଶେଷ ଦିନ ରହିଛି । ତେଣୁ ଏହି କାରଣରୁ ଏନପିସିଆଇ ଟ୍ୟାକ୍ସ ସମ୍ପର୍କିତ ଏହି ୟୁପିଆଇ ଟ୍ରାଞ୍ଜାକ୍ସନ୍ ନିୟମରେ ବଡ଼ ପରିବର୍ତ୍ତନ ଆଣିଛି । ଏଣିକି ଲୋକମାନେ ଗୋଟିଏ ଥରରେ ୫ ଲକ୍ଷ ଟଙ୍କା ଏବଂ ୨୪ ଘଣ୍ଟା ଭିତରେ ୧୦ ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ କରିପାରିବେ । ଯାହାର ଫାଇଦା ଲୋକଙ୍କୁ ମିଳିବ । ତେବେ ଏହି ପରିବର୍ତ୍ତନ କେବଳ ପର୍ସନଟୁ ମର୍ଚାଣ୍ଟ ଟ୍ରାଞ୍ଜାକ୍ସନ ପାଇଁ ଲାଗୁ ହେବ। ଅର୍ଥାତ ଆପଣ ନିଜ ଆକାଉଣ୍ଟରୁ ବୀମା କମ୍ପାନି, ବ୍ରୋକରେଜ୍ ଫର୍ମ, ଟ୍ୟାକ୍ସ ପୋର୍ଟାଲକୁ ଟଙ୍କା ପଠାଇପାରିବେ । ପର୍ସନରୁ ପର୍ସନ ଟ୍ରାଞ୍ଜାକ୍ସନ ପାଇଁ ଏହି ଲିମିଟ୍ ପୂର୍ବଭଳି ୧ ଲକ୍ଷ ଟଙ୍କା ରଖାଯାଇଛି ।
କାହାର କାହାର ବଢିଲା ଲିମିଟ୍ ?
• ଏବେ UPI ମାଧ୍ୟମରେ ଏକାଥରକେ ୫ ଲକ୍ଷ ଟଙ୍କା ଏବଂ ୨୪ ଘଣ୍ଟାରେ ୧୦ ଲକ୍ଷ ଟଙ୍କା ପୈଠ କରାଯାଇପାରିବ ।
• ଇନ୍ସ୍ୟୁରାନ୍ସ ଏବଂ କ୍ୟାପିଟାଲ ମାର୍କେଟ୍ କ୍ଷେତ୍ରରେ ପୂର୍ବରୁ ୨ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଲିମିଟ୍ ଥିଲା, ଯାହାକୁ ଏବେ ପ୍ରତି କାରବାର ପାଇଁ ୫ ଲକ୍ଷ ଟଙ୍କା ଏବଂ ପ୍ରତିଦିନ ପାଇଁ ୧୦ ଲକ୍ଷ ଟଙ୍କା କରାଯାଇଛି ।
• ସେହିପରି ଋଣ EMI କ୍ଷେତ୍ରରେ ପ୍ରତି କାରବାର ପାଇଁ ୫ ଲକ୍ଷ ଟଙ୍କା ଏବଂ ପ୍ରତି ୨୪ ଘଣ୍ଟାରେ ୧୦ ଲକ୍ଷ ଟଙ୍କା ଲିମିଟ୍ ରଖାଯାଇଛି ।
• କ୍ରେଡିଟ୍ କାର୍ଡ ବିଲ୍ ପେମେଣ୍ଟ କ୍ଷେତ୍ରରେ ପୂର୍ବରୁ ସୀମା ୨ ଲକ୍ଷ ଟଙ୍କା ଥିଲା, ଯାହାକୁ ଏବେ ପ୍ରତି କାରବାର ପାଇଁ ୫ ଲକ୍ଷ ଟଙ୍କା ଏବଂ ଦୈନିକ ସୀମା ୬ ଲକ୍ଷ ଟଙ୍କା ରହିବ ।
ଏନପିସିଆଇର ଏହି ଲିମିଟ୍ ସବୁ ବ୍ୟାଙ୍କ୍, ଆପ୍ ଏବଂ ପେମେଣ୍ଟ ସର୍ଭିସ୍ ପ୍ରୋଭାଇଡରଙ୍କ ପାଇଁ ଲାଗୁ ହେବ । ତେଣୁ କହିବାକୁ ଆପଣ ଯଦି ଫୋନ୍ ପେ ଆଉ ଗୁଗୁଲ୍ ପେ’ରେ ଏହି ସବୁ ପେମେଣ୍ଟ କରୁଥିବେ, ତେବେ ଆପଣ ଏବେ ଅଧିକ ଟଙ୍କା ପେମେଣ୍ଟ କରିପାରିବେ ।