କନକ ବ୍ୟୁରୋ: ଆଜିକାଲି ବ୍ୟସ୍ତବହୁଳ ଜୀବନରେ ସମସ୍ତେ ପ୍ରାୟ ଅନ୍ଲାଇନ୍ ଉପରେ ନିର୍ଭର କରୁଛନ୍ତି । ବଜାର ଯାଇ କିଣିବାକୁ କାହା ପାଖେ ସମୟ ନାହିଁ । ଘରେ ବସି ମୋବାଇଲ ଜରିଆରେ ଜିନିଷ କିଣିବା ସହଜ ହୋଇଗଲାଣି । କମ୍ପାନିମାନେ ଅନ୍ଲାଇନ କିଣାବିକା ପ୍ରତି ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରକାର ଲୋଭନୀୟ ଅଫର୍ ଦେଉଛନ୍ତି । ଫଳରେ ଲୋକେ ଘରେ ବସି ସପିଂ କରିବାକୁ ଇଚ୍ଛା କରୁଛନ୍ତି । ତେବେ ଏହି ସପିଂର ଅଭ୍ୟାସ ଶରୀର ପାଇଁ ବେଶ କ୍ଷତିକାରକ ହୋଇପାରେ ବୋଲି ଅଧ୍ୟୟନରୁ ଜଣାପଡ଼ିଛି ।
ସମୟ ବଞ୍ଚାଇବା ସହ ଲୋଭନୀୟ ଅଫରର ଫାଇଦା ନେବାକୁ ଆପଣ ଅନ୍ଲାଇନ୍ ସପିଂ ଉପରେ ନିର୍ଭରଶୀଳ କି ? ପ୍ରତିଦିନ, ପ୍ରତି ସପ୍ତାହରେ ଆମାଜନ, ଫ୍ଲିପ୍କାର୍ଟ ଭଳି ପ୍ଲାଟଫର୍ମରୁ କିଣୁଛନ୍ତି କି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ସହ ଡ୍ରେସ୍ ଓ ଘରକରଣା ସାମଗ୍ରୀ ? ତେବେ ହୋଇଯାଆନ୍ତୁ ସାବଧାନ, ଏଭଳି ଅଭ୍ୟାସରୁ ରୁହନ୍ତୁ କ୍ଷାନ୍ତ । ନଚେତ ଆପଣଙ୍କ ମାନସିକ ସ୍ଥିରାବସ୍ଥା ହୋଇପାରେ ପ୍ରଭାବିତ । ଆପଣ ହୋଇପାରନ୍ତି ବାଇଂ ସପିଂ ଡିସଅର୍ଡର ବା ବିଏସ୍ଡି ପରି ରୋଗର ଶିକାର । ଏହା ଏକ ପ୍ରକାର ଗୁରୁତର ମାନସିକ ସ୍ବାସ୍ଥ୍ୟ ସମସ୍ୟା । ଏହି ରୋଗ ହେଲେ ଅତ୍ୟଧିକ ଚିନ୍ତା, ମାନସିକ ଅବସାଦ, ଅସ୍ଥିରତା ଭଳି ଲକ୍ଷଣ ଦେଖାଯାଏ । ଏକୁଟିଆ ରହିବା ଦ୍ୱାରା ହିଁ ଜଣେ ଅନ୍ଲାଇନ୍ ସପିଂର ଆଶ୍ରୟ ନେଇଥାଏ । ବାରମ୍ବାର ଅନ୍ଲାଇନ୍ ସପିଂ କିଛି ଦିନରେ ନିଶାରେ ପରିଣତ ହୋଇଯାଏ । ସପିଂ ଡିସଅର୍ଡରକୁ ଡାକ୍ତରୀ ଭାଷାରେ ଓନିଓମାନିଆ ବା ସିବିଡି ବୋଲି କୁହାଯାଏ । ଏହା ଏପରି ଏକ ମାନସିକ ଅବସ୍ଥା ଯାହା ଦ୍ୱାରା ଆବଶ୍ୟକ ନଥିଲେ ମଧ୍ୟ ବ୍ୟକ୍ତି ଜଣକ ଟଙ୍କା ଖର୍ଚ୍ଚ କରିବା ସହ ଏଣୁତେଣୁ ଜିନିଷ କ୍ରୟ କରିଥାଏ ଓ ପରବର୍ତ୍ତୀ ମୁହୂର୍ତ୍ତରେ ଏହାକୁ ନେଇ ଚିନ୍ତା କରିଥାଏ ।
ଅନ୍ଲାଇନ୍ ସପିଂ ପାଇଁ ମୁଖ୍ୟତଃ ଆଧୁନିକ ଜୀବନଶୈଳୀ ହିଁ ଦାୟୀ । ସମୟର ଘୋର ଅଭାବ ହିଁ ବ୍ୟକ୍ତିକୁ ବଜାରକୁ ଯିବା ପାଇଁ ବାରଣ କରିଥାଏ । ଫଳରେ ଜଣେ ବ୍ୟକ୍ତି ଅନ୍ଲାଇନ୍ ସପିଂରେ ଫସିଯିବା ସହ ଏଥିରୁ ମୁକୁଳିବାର ବାଟ ପାଏନାହିଁ । ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ ।
ଲକ୍ଷଣ
ବାରମ୍ବାର ସପିଂ ୱେବସାଇଟ୍ ଯାଞ୍ଚ କରିବା
ଆବଶ୍ୟକ ନଥାଇ ଜିନିଷ କ୍ରୟ କରିବା
ସପିଂ ପରେ ଅନୁତାପ କରିବା
ଚାପ ଦୂର ପାଇଁ ଏଣୁତେଣୁ ସାମଗ୍ରୀ କିଣିବା
କ୍ରେଡିଟ୍ କାର୍ଡର ନିରନ୍ତର ଅପବ୍ୟବହାର କରିବା
ଆର୍ଥିକ ସମସ୍ୟା ସତ୍ତ୍ୱେ ସପିଂ କରିବା
ଜିନିଷ କିଣିବା ପରେ ବ୍ୟବହାର ନକରିବା
ନିରାକରଣ
ଡାକ୍ତରଙ୍କ ପରାମର୍ଶ କରିବା
ନିଜ ଆଚରଣରେ ପରିବର୍ତ୍ତନ କରିବା
ମୋବାଇଲରୁ ସପିଂ ଆପ୍ସ ହଟାଇବା
ଡିଜିଟାଲ ଦୁନିଆରୁ ଯଥାସମ୍ଭବ ଦୂରେଇବା
ପରିବାରକୁ ଅଧିକରୁ ଅଧିକ ସମୟ ଦେବା
ନଗଦ ଟଙ୍କା ପୈଠ କରି ଜିନିଷ କିଣିବା
ଆଜିର ଦିନରେ ଇଣ୍ଟରନେଟ୍ ଆମ ଜୀବନକୁ ସହଜ ଓ ସୁବିଧା ଠାରୁ ଅଧିକ ଜଟିଳ କରିଦେଇଛି । ଅନ୍ଲାଇନ୍ ଦୁନିଆରେ ବାୟା ହୋଇ ଯୁବପିଢ଼ି ସମ୍ପର୍କର ମହତ୍ତ୍ବକୁ ଭୁଲି ଯାଉଛନ୍ତି। ଘରେ ବସି ଅର୍ଡର କଲେ ହାତପାହାନ୍ତାରେ ସାମଗ୍ରୀ ପହଞ୍ଚିଯାଉଛି, ଫଳରେ କାମ କରିବାର ଆଗ୍ରହ ମଧ୍ୟ କମି କମି ଯାଉଛି। ଏହାଦ୍ବାରା ବ୍ୟକ୍ତି ଦିନକୁ ଦିନ କୋଣଠେସା ହୋଇଯାଉଛି । ସମୟ ଥାଉ ଥାଉ ଏହି ସମସ୍ୟା ଉପରେ ଧ୍ୟାନ ଦେବା ଦ୍ବାରା ରୋଗରୁ ମୁକ୍ତି ମିଳିପାରିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/07/25/depression-2025-07-25-09-31-34.jpg)