ପୁଣି ଅନ୍‌ଲାଇନ୍‌ରେ ମହାପ୍ରସାଦ ବିଜ୍ଞାପନ, ଭକ୍ତଙ୍କ ଭାବାବେଗ ସହ ଖେଳ

ବାରମ୍ବାର ଚେତାବନୀ ପରେ ଆସୁଛି ଅନ୍‌ଲାଇନ୍‌ରେ ମହାପ୍ରସାଦ ବିଜ୍ଞାପନ । କିଛି ବ୍ୟକ୍ତି ବିଶେଷ ସୋସିଆଲ୍‌ ମିଡିଆରେ ବିଜ୍ଞାପନ ଦେଇ ୧୨ଶହ ଟଙ୍କାରେ ବିକ୍ରି କରୁଛନ୍ତି । 

9-Online Mahaprasad

କନକ ବ୍ୟୁରୋ: ପୁଣି ଆସିଲା ଅନ୍‌ଲାଇନ୍‌ରେ ମହାପ୍ରସାଦ ବିଜ୍ଞାପନ । ଏକ ସଂସ୍ଥା ସୋସିଆଲ ମିଡିଆରେ ଖଜା ଓ ନିର୍ମାଲ୍ୟ ପୁଡ଼ିଆର ଚିତ୍ର ପୋଷ୍ଟ କରି ଅର୍ଡର ଦେବାକୁ ନିବେଦନ କରିଛନ୍ତି । କିଛି ଅନୁଷ୍ଠାନର ଏଭଳି ମନମାନି ବିରୋଧରେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଆମ୍‌ ଆଦମୀ ପାର୍ଟି କର୍ମକର୍ତ୍ତା ଏବଂ ଖଜା ବ୍ୟବସାୟୀ । ହରେକୃଷ୍ଣ ଟିଭିର ଫେସବୁକ ପୋଷ୍ଟରେ ଖଜାର ପ୍ରତି କେଜି ପିଛା ମୂଲ୍ୟ ରଖାଯାଇଛି ୧୨ଶହ ଟଙ୍କା । ପୁରୀରେ ଖଜାର ଦର ୨ଶହରୁ ଆରମ୍ଭ । କିନ୍ତୁ କିଛି ବ୍ୟକ୍ତି ବିଶେଷ ସୋସିଆଲ୍‌ ମିଡିଆରେ ବିଜ୍ଞାପନ ଦେଇ ୧୨ଶହ ଟଙ୍କାରେ ବିକ୍ରି କରୁଛନ୍ତି । ଉକ୍ତ ସଂସ୍ଥା ଅର୍ଡର ରଖିବା ପରେ ଯେଉଁ ଖଜାକୁ ମହାପ୍ରସାଦ କହି ଲୋକଙ୍କ ନିକଟରେ ପହଞ୍ଚାଉଛି, ଲୋକେ ହୁଏତ ବିଶ୍ୱାସରେ ଏହାକୁ ମହାପ୍ରସାଦ ଭାବି ପାଉଥିବେ । ମାତ୍ର ଏହା ଯେ ଶ୍ରୀମନ୍ଦିରରୁ କିଣାଯାଇ ଭକ୍ତଙ୍କ ନିକଟରେ ପହଞ୍ଚାଯାଉଛି, ତାର ଗ୍ୟାରେଣ୍ଟି ଦେବ କିଏ ? ଦ୍ୱିତୀୟ କଥା ହେଉଛି, ଶ୍ରୀମନ୍ଦିର ବାହାରେ ଖଜା ବିକ୍ରି ହେଉଥିଲେ ହେଁ, ଏହା ମହାପ୍ରସାଦ ନୁହେଁ । ତେଣୁ ବାହାରୁ ଖଜା କିଣି ନେଇ ଏହାକୁ ମହାପ୍ରସାଦ ନାଁ ଦେଇ ଭକ୍ତଙ୍କ ନିକଟରେ ପହଞ୍ଚାଇବା ଅର୍ଥ ଭକ୍ତଙ୍କ ଭାବାବେଗ ସହ ଖେଳିବା ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe