କନକ ବ୍ୟୁରୋ : ଅନଲାଇନ୍‌ରେ ମହାପ୍ରସାଦ ବିକ୍ରି କରୁଥିବା ସଂସ୍ଥା ସ୍ବିଗି ନାଁରେ ଏଫଆଇଆର । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାଇବର ଥାନାରେ ମାମଲା ରୁଜୁ କରାଯାଇଛି । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ଅନଲାଇନରେ ବିକ୍ରି କରି ଜଗନ୍ନାଥଙ୍କୁ ଅପମାନ କରାଯାଉଛି ଏବଂ ଏଭଳି ବିକ୍ରି କରିବା ପାଇଁ କୌଣସି ଅନୁମତି ଦିଆଯାଇନାହିଁ । କିଭଳି ଜଗନ୍ନାଥଙ୍କ ନାମକୁ ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗରେ ଲେଖାଯାଇଛି । ତୁରନ୍ତ ଏହାକୁ ଅପସାରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଏନେଇ ସାଇବର ଥାନାରେ ଏତଲା ଦିଆଯାଇଛି ।

Advertisment

ଗତ କାଲି ନଜରକୁ ଆସିଥିଲା ଅନଲାଇନ୍‌ରେ ଅନ୍ନପ୍ରସାଦ ମିଳିବା ନେଇ ଫୁଡ୍ ଡେଲିଭରୀ ଆପ୍‌ରେ ବିଜ୍ଞାପନ । ସେହି ବଜ୍ଞାପନରେ ମହାପ୍ରଭୁଙ୍କ ଶ୍ରୀମନ୍ଦିରର ଅନ୍ନପ୍ରସାଦ ବା ଅବଢ଼ା, ମା’ ତାରେଣୀଙ୍କ ଅନ୍ନପ୍ରସାଦ, ବାବା ଆଖଣ୍ଡଳମଣିଙ୍କ ଅନ୍ନପ୍ରସାଦ ଓ ପ୍ରସାଦମ୍ ଟେମ୍ପୁଲ୍ ଅନ୍ନପ୍ରସାଦ ମାତ୍ର ୪୯ ଟଙ୍କାରେ ଉପଲବ୍ଧ ବୋଲି କୁହାଯାଇଥିଲା । ମହାଧାର୍ମିକ କାର୍ତ୍ତିକ ମାସ ସାରା ମାତ୍ର ୪୯ ଟଙ୍କାରେ ଏହି ସୁବିଧା ଏହି ଆପ୍‌ରେ ମିଳିପାରିବ ବୋଲି ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ୍ ହୋଇଥିଲା । ତେବେ ୪୯ ଟଙ୍କା ଦେଇ ଖାଇବା ଡେଲିଭରି ଆପ୍ଲିକେସନରେ ଅର୍ଡର କଲେ ଆପଣଙ୍କ ଘରେ ଏହି ଚାରୋଟି ମନ୍ଦିରର ଅନ୍ନପ୍ରସାଦ ପହଞ୍ଚିବ ବୋଲି ମଧ୍ୟ କୁହାଯାଇଥିଲା । ପୂର୍ବରୁ ଶ୍ରୀମନ୍ଦିରର ଅବଢା ଅନଲାଇନରେ ବିକ୍ରିକୁ ନେଇ ସବୁରି ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଏହା ଭକ୍ତଙ୍କ ଭାବାବେଗକୁ ଆଘାତ ପହଞ୍ଚାଇବା ସହ ଭକ୍ତଙ୍କୁ ଠକେଇର ଅଭିନବ ତରିକା ବୋଲି ମତ ପ୍ରକାଶ ପାଇବା ପରେ ଆଜି  ବିକ୍ରି କରୁଥିବା ସଂସ୍ଥା ନାଁରେ ସାଇବର ଥାନାରେ ମାମଲା ରୁଜୁ କରାଯାଇଛି ।