କନକ ବ୍ୟୁରୋ: ଆଜିର ପ୍ରତିଯୋଗିତା ମୂଳକ ସମାଜରେ ପରିବାର ଚଳାଇବାକୁ ସମସ୍ତଙ୍କୁ କର୍ମଜୀବୀ ହେବାକୁ ପଡୁଛି । ଆଗ ଭଳି ଖୁବ୍ କମ୍ ପରିବାର ଅଛନ୍ତି ଯେଉଁଠି ଘରେ ରହି କାମ କରିବାକୁ ପରିସ୍ଥିତି ସହଯୋଗ କରୁଛି । ସମସ୍ତେ ଟିକେ ସହଜରେ ଓ ସ୍ବାଚ୍ଛନ୍ଦରେ ରହିବାକୁ ଉଭୟ ସ୍ବାମୀ , ସ୍ତ୍ରୀଙ୍କୁ କାମ କରିବାକୁ ପଡ଼ୁଛି , ତେଣୁ ଅନେକ ସମୟରେ ରୋଷେଇ କରିବାକୁ ସମୟ ନଥାଏ , ତେଣୁ ବାଧ୍ୟ ହୋଇ ସେମାନେ ଖାଦ୍ୟ ଅର୍ଡର କରି ଖାଆନ୍ତି । ସହରରେ ଅନେକ ପରିବାର ପାଇଁ ଅର୍ଡର କରି ଖାଦ୍ୟ ଖାଇବା ଅଭ୍ୟାସରେ ପରିଣତ ହୋଇଗଲାଣି । ଯୁବଗୋଷ୍ଠୀ ମଧ୍ୟ ଅନଲାଇନ୍ ଫୁଡ଼୍ ମାୟାରେ ପଡ଼ିଗଲେଣି । ଏଥିରେ ଅତି ସହଜରେ ଖାଦ୍ୟ ପାଖରେ ପହଞ୍ଚିଯାଏ କିନ୍ତୁ ଜାଣନ୍ତି ,ଏହି ଖାଦ୍ୟ ଶରୀର ପାଇଁ ଘୋର ବିପଦ ।
ଯୁବ ସମାଜ ଏହି ଅଭ୍ୟାସ ତାଙ୍କର ଏକ ପ୍ରକାର ନିଶାରେ ପରିଣତ ହେଲାଣି । ହେଲେ ଏଥିରେ ଏକାଧିକ ଶାରୀରିକ ସମସ୍ୟା ଦେଖାଯାଉଛି । ପ୍ରଥମତଃ ମେଦବହୁଳତା ସମସ୍ୟା ଦେଖାଯାଉଛି ଏବଂ ପାଚନ କ୍ରିୟା ଦେଖାଯାଉଛି । କେବଳ ଶାରୀରିକ ନୁହେଁ ବରଂ ମାନସିକ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଉଛି ।
ପୋଷଣ ଅଭାବ:
ଫୁଡ୍ ଡେଲିଭରୀରେ ମିଳୁଥିବା ଅଧିକାଂଶ ଖାଦ୍ୟ ଫାଷ୍ଟଫୁଡ୍ , ପ୍ରୋସେସଡ୍ ଫୁଡ୍ ବ୍ୟତୀତ ଅଧିକ କ୍ୟାଲୋରୀ ଓ କମ୍ ପୋଷଣଯୁକ୍ତ ଖାଦ୍ୟ ମିଳିଥାଏ । ସମୟ ସହ ଲୋକଙ୍କର ନିର୍ଭରଶୀଳତା ଫଳରେ ଅସନ୍ତୁଳିତ ଡାଏଟର ମାତ୍ରା କ୍ରମଶଃ ବଢ଼ିଚାଲିଛି । ଏହାଦ୍ବାରା ଶରୀରରେ ଆବଶ୍ୟକ ଭିଟାମିନ୍, ଖଣିଜ ପଦାର୍ଥ, ଓ ପୋଷକ ତତ୍ତ୍ବ ଅଭାବ ହେବାର ଆଶଙ୍କା ବଢ଼ିପାରେ ।
ଓଜନ ଓ ମୋଟାପଣ:
ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଏବଂ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଉଥିବା ଖାଦ୍ୟ ଓଜନ ବଢ଼ାଇବା ସହିତ ମୋଟାପଣ ବଢ଼ାଇଥାଏ ।ଏଥିରେ ଅସ୍ବାସ୍ଥ୍ୟକର ଶର୍କରା, ଓ ସୋଡିୟମର ମାତ୍ରା ଅଧିକ ରହିଥାଲ ଫଳରେ ମେଟାବୋଲିଜିମ୍ ସହ ଶରୀରରେ ଆବଶ୍ୟକତାଠାରୁ ଅଧକ ଫ୍ୟାଟ୍ ଜମା ହୋଇ ଘାତକ ପ୍ରମାଣିତ ହୋଇପାରେ ।
ହୃଦଘାତ ସମସ୍ୟା :
ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଉଥିବା ଖାଦ୍ୟ ଖାଇବା ଦ୍ବାରା କାର୍ଡିଓ ଭାସ୍କୁଲାର
ବା ହୃଦଘାତ ଜନିତ ସମସ୍ୟା ହେବାର ଆଶଙ୍କା ବଢ଼ିପାରେ, ଯାହା ରକ୍ତଚାପ , ହୃଦରୋଗ ଓ ଷ୍ଟ୍ରୋକକୁ ନିମନ୍ତ୍ରଣ କରେ । ଆବଶ୍ୟକତା ଠାରୁ ଅଧିକ ଫ୍ରାଏଡ୍ ଫୁଡ୍ ଓ ପ୍ରୋସେସଡ ଫୁଡ ଖାଇଲେ ଶରୀରରେ କୋଲେଷ୍ଟରେଲ ସ୍ତର ବଢ଼ିଯାଇ ହାର୍ଟଆଟାକ୍ ସମସ୍ୟାକୁ ବଢ଼ାଇଥାଏ ।
ପାଚନ ସମସ୍ୟା:
ଅନଲାଇନରେ ମିଳୁଥିବା ଖାଦ୍ୟରେ ଫାଇଭର ଓ ପୋଷକ ତତ୍ତ୍ବ ନଥାଏ ।ଫଳରେ ପାଚନ ସମସ୍ୟା ସୃଷ୍ଟି ହୋଇଥାଏ । କୋଷ୍ଠକାଠିନ୍ୟ, ବାନ୍ତି ହେବା ପେଟରେ ଗ୍ୟାସ ହେବା ସହ ଫୁଲିଯିବା ପରି ସମସ୍ୟା ଦେଖାଯାଏ ।
ରକ୍ତରେ ଶର୍କରା ମାତ୍ରା ବୃଦ୍ଧି :
ଅଧିକ ମିଠା ଓ ଅଧିକ କାର୍ବେହାଇଡ୍ରୋଟ୍ ଯୁକ୍ତ ଖାଦ୍ୟ ସାଙ୍ଗକୁ ଖାଇବାରେ ଅନିୟମିତତା ରକ୍ତରେ ଶର୍କରାର ମାତ୍ରା ବଢ଼ାଇଦିଏ । ଏହାଦ୍ବାରା ଇନସୁଲିନ୍ ସୃଷ୍ଟିରେ ବାଧା ସୃଷ୍ଟି ହେବା ସହ ଫଳରେ ଟାଇପ୍ -୨ ଡାଇବେଟିସ୍ ହୋଇଥାଏ ।
ଚିଡ଼ଚିଡ଼ାପଣ :
ଅର୍ଡର କରି ପୋସେସଡ୍ ଖାଦ୍ୟ ଲଗାତାର ଖାଇଲେ ମାନସିକ ସ୍ବାସ୍ଥ୍ୟ ପ୍ରଭାବିକ ହୋଇଥାଏ ।କଥାରେ ଅଛି ଯେପରି ଖାଦ୍ୟ ସେପରି ମନର ସ୍ଥିତି । କହିବାର ଅର୍ଥ ଆମେ ଯେପରି ଖାଦ୍ୟ ଖାଇବା ଆମ ମନ ଓ ଶରୀର ଉପରେ ସେହିପରି ପ୍ରଭାବ ପଡ଼ିବ । ତେଣୁ ଲଗାତାର ଅର୍ଡର ଫୁଡ ଖାଇଲେ ଜଣଙ୍କଠାରେ ଅବସାଦ ଓ ଚିଡ଼ିଚିଡ଼ାପଣ ଦେଖାଯିବାର ଅଧିକ ସମ୍ଭାବନା ଥାଏ ।
କହିବାକୁ ଗଲେ ଅର୍ଡର କରି ଖାଦ୍ୟ ଖାଇଲେ ରୋଗ ତ କିଣିବେ, ଡାକ୍ତର ପାଖରେ ଟଙ୍କା ଦେଇ ଦେଇ ଦେବାଳିଆ ବି ହେବେ ।ଏବେ ଆପଣ କୁହନ୍ତୁ ଟିକେ ସମୟ କାଢି ଘରେ ରୋଷେଇ କରି ସ୍ବାସ୍ଥ୍ୟକର ଖାଦ୍ୟ ଖାଇବେ ନା ଅନଲାଇନ୍ ଖାଦ୍ୟ ଖାଇ ବିପଦକୁ ବରଣ କରିବେ ।