କନକ ବ୍ୟୁରୋ : ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଆଜି ସକାଳେ ଗୁଳିବିନିମୟ ହୋଇଛି । ଆଉ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଭାରତୀୟ ସେନା କହିଛି ଯେ ଗୁଡର ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ସେନା ମଧ୍ୟ ଏହାର ଉଚିତ ଜବାବ ଦେଇଥିଲା । ଏହି ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା । ତଥାପି, ଏନକାଉଣ୍ଟର ଏବେ ବି ଜାରି ରହିଛି ।

Advertisment

ଚିନାର କର୍ପସ ପକ୍ଷରୁ କୁହାଯାଇଛି ଯେ ‘ଜମ୍ମୁ ଓ କାଶ୍ମୀର ପୁଲିସ ଏବଂ ଭାରତୀୟ ସେନା ଗୁଇନ୍ଦା ସୂଚନା ଆଧାରରେ ଗୁଡର ଜଙ୍ଗଲରେ ଏକ ସର୍ଚ୍ଚ ଅପରେସନ କରିଥିଲେ । ଏହି ସମୟରେ କିଛି ଆତଙ୍କବାଦୀ ସେନା ଉପରକୁ ଗୁଳି ଚଳାଇଥିଲେ । ଆଉ ଏହାର ଜବାବରେ ଯବାନମାନେ ବି ଗୁଳିଚାଳନା କରିଥିଲେ । ଏହି ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ଜଣେ ଜୁନିଅର କମିସନଡ୍ ଅଫିସର ଆହତ ହୋଇଥିଲେ । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।’