କନକ ବ୍ୟୁରୋ: କେରଳ ଉଲ୍ଲିକାଲ ଗାଁରେ ଏକ ଦୃଶ୍ୟ ମନକୁ ଦୋହଲାଇ ଦେବାକୁ ଯଥେଷ୍ଟ । ଗୋଟେ କୁନି ଘରଚଟିଆ ଚଢ଼େଇକୁ ମୁକୁଳାଇବାକୁ ଗାଁ ଲୋକଙ୍କଠାରୁ ଆରମ୍ଭ କରି ବାଟରେ ଯାଉଥିବା ରିକ୍ସାବାଲା , ଦୋକାନୀ , ଜୁଡିସିଆଲ , ଅଧିକାରୀ, ଖୋଦ ଜଜ୍ , ଜିଲ୍ଲାପାଳ ସମସ୍ତେ ଏକାଠି ହେଲେ , ଯାହା ଜାତୀୟ ସ୍ତରରେ ଖବର ସାଉଁଟିଥିଲା ।
ଏଠିକାର ଏକ ଟେକ୍ସଟାଇଲ୍ ସୋ’ରୁମ୍ ଦୀର୍ଘ ବର୍ଷ ଧରି ବନ୍ଦ ରହିଥିଲା । କିଛି ବିବାଦକୁ ନେଇ କିଛି ବର୍ଷ ତଳେ ଏହି ସୋରୁମକୁ ସିଲ କରିବାକୁ କୋର୍ଟ ଆଦେଶ ଦେଇଥିଲେ । ଏହି ସୋ’ରୁମର ଆଗପଟେ କାଚର ଡିସପ୍ଲେ ସ୍ପେସ୍ ରହିଛି । ଲୋକଙ୍କ କହିବା ଅନୁସାରେ , ଏକ କୁନି ଘରଚଟିଆ ଏକ ପାଇପ ପଟେ ଏହା ଭିତରକୁ ପଶିଯାଇଥିଲା କିନ୍ତୁ ଫେରିବାକୁ ବାଟ ଠଉରାଇପାରିନଥିଲା । ବିକଳରେ କାଚ କୋଠରି ଭିତରେ ଘୁରି ବୁଲିଥିଲା । ଏହାକୁ ଦେଖିଥିଲେ ସ୍ଥାନୀୟ ଲୋକେ । ହେଲେ ସୋ’ରୁମ ବନ୍ଦ ଥିବାରୁ ଚଢ଼େଇକୁ ମୁକ୍ତ କରିବା ସମ୍ଭବ ନଥିଲା । ସୋ’ରୁମ ଉପରେ କୋର୍ଟ ଅର୍ଡର ଥିବାରୁ ଏହାକୁ ଖୋଲିବାକୁ ସ୍ଥାନୀୟ ଲୋକେ ପଞ୍ଚାୟତ ଅଧିକାରୀଙ୍କଠାରୁ ଆରମ୍ଭ କରି ବନବିଭାଗ ଅଧିକାରୀ, ରାଜସ୍ବ ଅଧିକାରୀ, ଜିଲ୍ଲାପାଳ ଜିଲ୍ଲା ଜଜ୍ ସମସ୍ତଙ୍କୁ ଜଣାଇଥିଲେ ।
ଜାଣିଲେ ଅଶ୍ଚର୍ଯ୍ୟ ହେବେ, ଜିଲ୍ଲାପାଳ କାଳ ବିଳମ୍ବ ନକରି ଏନେଇ ହାଇକୋର୍ଟଙ୍କ ଅନୁମତି ଆଣିଥିଲେ । ଖୋଦ୍ ଜିଲ୍ଲାପାଳ ୫୦ କିମି ଦୂରରୁ ଘଟଣାସ୍ଥଳରେ ପହଞ୍ଚିଥିଲେ । କୋର୍ଟଙ୍କ ଅନୁମତି କ୍ରମେ ସୋରୁମ ଖୋଲିଥିଲା । ଆଉ କିଛି ଗାଁ ଲୋକ ତା ଭିତରେ ପଶି ଚଢ଼େଇକୁ ଧରି ବାହାରେ ଛାଡ଼ିଥିଲେ । ଚଢ଼େଇଟି ଉଡ଼ିଯିବା ବେଳକୁ ସେଠିକାର ପରିବେଶ କୌଣସି ଉତ୍ସବର ମାହୋଲଠାରୁ କିଛି କମ୍ ନଥିଲା ।