କନକ ବ୍ୟୁରୋ: ୧୯୯୧ ଜୁନ୍‌ ମାସରେ ଏକ ରାତିରେ ନେଦରଲ୍ୟାଣ୍ଡସରେ ଏକ କନଫରେନ୍ସରୁ ଫେରି ରାତିରେ ଶୋଇ ପଡ଼ିଥାନ୍ତି ମନମୋହନ ସିଂ। ହଠାତ୍‌ ଫୋନ ବାଜିଲା। ଫୋନ୍‌ ଉଠାଇଲେ ମନମୋହନଙ୍କ ଜ୍ୱାଇଁ ବିଜୟ ତନଖା। ଅନ୍ୟପଟରେଥାନ୍ତି ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିହଂ ରାଓଙ୍କ ଏକାନ୍ତ ଅନୁଗତ ପିସି ଆଲେକଜାଣ୍ଡର। ମନମୋହନଙ୍କୁ ନିଦରୁ ଉଠାଇବା ପାଇଁ କହିଲେ। ବାସ୍‌ ସେହି ଗୋଟିଏ ଫୋନ୍‌ କଲ, କେବଳ ମନମୋହନଙ୍କ କ୍ୟାରିୟରକୁ ଭିନ୍ନ ଦିଗ ଦେଇନଥିଲା, ବରଂ ଦେଶର ଭାଗ୍ୟ ବଦଳାଇ ଦେଲା।

Advertisment

ତେବେ କିଛିଘଣ୍ଟା ପୂର୍ବରୁ ମନମୋହନଙ୍କୁ ସାକ୍ଷାତ କରିଥିଲେ ଆଲେକଜାଣ୍ଡର। ତାଙ୍କୁ ନେଇ ନରସିଂହ ରାଓଙ୍କ ଯୋଜନା ବାବଦରେ ଅବଗତ କରାଇଥିଲେ। ହେଲେ ସେପର୍ଯ୍ୟନ୍ତ ରାଜନୀର ଧାର ଧରନଥିବା ମନମୋହନ ସିଂ ଏହାକୁ ଗୁରୁତର ସହ ନେଇନଥିଲେ। ସେତେବେଳେ ସେ ୟୁଜିସିର ଅଧ୍ୟକ୍ଷ ଥିଲେ।

୧୯୯୧ ଜୁନ୍ ୨୧ ତାରିଖରେ ପିଭି ନରସିଂହ ରାଓ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ମନମୋହନ ସିଂ। ଦେଶ ପ୍ରବଳ ଆର୍ଥିତ ଦୁଃସ୍ଥିତି ଦେଇ ଗତି କରୁଥିବା ବେଳେ, ଆକସ୍ମିକ ଭାବେ ମନମୋହନଙ୍କୁ ଦିଆଯାଇଥିଲା ଅର୍ଥମନ୍ତ୍ରୀ ଦାୟିତ୍ୱ। ଏହାପରେ ମନମୋହନ କେମିତି ଦେଶର ଅର୍ଥ ବ୍ୟବସ୍ଥାକୁ ସୁଧାରିଲେ ଜାଣିବା ପୂର୍ବରୁ ପ୍ରଥମେ ସେତେବେଳେ ଦେଶର ଅବସ୍ଥା କଣ ଥିଲା ଜାଣିରଖିବା।

ମନମୋହନ ଦାୟିତ୍ୱ ନେବା ପୂର୍ବରୁ ଦେଶର ଅବସ୍ଥା

  • ମାତ୍ର ୨ ହଜାର ୫୦୦ କୋଟିର ବିଦେଶୀ ମୁଦ୍ରା ମହଜୁଦ ଥିଲା
  • ଯାହା କେବଳ ୨ ସପ୍ତାହର ଆମଦାନୀ ଖର୍ଚ୍ଚ ତୁଲାଇ ପାରିଥାନ୍ତା
  • ସରକାରଙ୍କ ଆୟ ତୁଳନାରେ ଖର୍ଚ୍ଚ ନିରନ୍ତର ବଢ଼ିଚାଲିଥିଲା
  • ଆମଦାନୀ ବଢୁଥିବାରୁ ଖାଲି ହେଉଥିଲା ବିଦେଶୀ ମୁଦ୍ରା ଭଣ୍ଡାର
  • ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଥିଲା

୧୯୯୧ ଜୁଲାଇ ୨୪ରେ ସଂସଦରେ ପ୍ରଥମ ବଜେଟ୍‌ ଉପସ୍ଥାପନ କରିଥିଲେ ମନମୋହନ ସିଂ। ଉଦାରୀକରଣ ସହ ଏକାଧିକ ଆର୍ଥିକ ସଂସ୍କାର ଘୋଷଣା କରି ବୁଡ଼ିଯାଉଥିବା ଦେଶର ଅର୍ଥନୀତିକୁ ଗତି ଦେଇଥିଲେ ଆକସ୍ମିକ ଅର୍ଥମନ୍ତ୍ରୀ। ତେବେ ଦେଶର ଅର୍ଥନୈତିକ ଦୁଃସ୍ଥିତିର କାରଣ ମନମୋହନ ସିଂଙ୍କୁ ବହୁ ପୂର୍ବରୁ ଜଣାଥିଲା। ଏହାର ସମାଧାନ ମଧ୍ୟ ଥିଲା ତାଙ୍କ ପାଖରେ।

ଦାୟିତ୍ୱ ନେବା ପରେ ମନମୋହନଙ୍କ ସଂସ୍କାର

  • ଭାରତୀୟ ଅର୍ଥନୀତିର ଉଦାରୀକରଣ ଥିଲା ମନମୋହନଙ୍କ ସବୁଠାରୁ ବଡ଼ ପଦକ୍ଷେପ
  • ପ୍ରଥମଥର ପ୍ରାୟ ୩୪ଟି ଶିଳ୍ପରେ ବିଦେଶୀ ପୁଞ୍ଜି ନିବେଶ- FDIକୁ ଅନୁମତି ଦିଆଗଲା
  • ଫଳରେ ବିଭିନ୍ନ କ୍ଷେତ୍ରରେ ସରକାରୀ କମ୍ପାନିଗୁଡ଼ିକର ମନମାନି ସମାପ୍ତ ହେଲା
  • ରାଜ୍ୟ ପରିଚାଳିତ ସରକାରୀ କମ୍ପାନିରୁ ଅଂଶଧନ ବିକ୍ରି କରି ପୁଞ୍ଜି ଯୋଗାଡ଼ ହେଲା
  • ଭାରତୀୟ କମ୍ପାନିଗୁଡ଼ିକୁ ପୁଞ୍ଜି ଉଠାଣର ଅନୁମତି ପାଇଁ ଗଠନ ହେଲା ‘ସେବି’
  • ପ୍ରାୟ ୧୮ଟି ଶିଳ୍ପ କ୍ଷେତ୍ରରେ ଲାଇସେନ୍ସ ରାଜକୁ ସମାପ୍ତ କଲେ ମନମୋହନ

ଦୂରଦର୍ଶୀ ମନମୋହନ ସିଂଙ୍କ ପାଇଁ ଭାରତୀୟ ଅର୍ଥନୀତି ଆଜି ବେଶ ସୁଦୃଢ଼ ସ୍ଥିତିରେ ରହିଛି। ୧୯୯୦ ତୁଳନାରେ ଦେଶର ଅଭିବୁଦ୍ଧି ୧୦ ଗୁଣା ହୋଇଛି। ପ୍ରାୟ ୩୦ କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଉଠିପାରିଛନ୍ତି। ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ଲକ୍ଷ୍ୟରେ ଆଗଉଛି ଭାରତ।