କନକ ବ୍ୟୁରୋ: ଏକ ଦେଶ, ଏକ ନିର୍ବାଚନ ବିଲକୁ ଏବେ ଜେପିସିକୁ ପଠାଇ ଦିଆଯାଇଛି । ଲୋକସଭାର ବାଚସ୍ପତି ଏହି ସଂଯୁକ୍ତ ସଂସଦୀୟ ସମିତିର ଗଠନ କରିବେ । ତେବେ କଂଗ୍ରେସ ପକ୍ଷରୁ ଜେପିସିରେ ସାମିଲ ହେବାକୁ ଥିବା ୪ ଜଣ ନେତାଙ୍କ ନାଁ ଏବେ ଫାଇନାଲ୍ ହେଇଯାଇଛି । ଯାହାକୁ କି ଲୋକସଭା ବାଚସ୍ପତିଙ୍କ ପାଖକୁ ପଠାଇବ ଭାରତୀୟ ଜାତୀୟ କଂଗ୍ରେସ ।
ତେବେ ସଂଯୁକ୍ତ ସଂସଦୀୟ ସମିତି ଉଭୟ ରାଜ୍ୟସଭା ଓ ଲୋକସଭା ସଦସ୍ୟଙ୍କୁ ନେଇ ହେବ । ଯିଏକି ଏହି ବିଲ୍ ଉପରେ ଚର୍ଚ୍ଚା କରିବା ସହ ଏହାର ଗୋଟିଏ ରିପୋର୍ଟ ପ୍ରସ୍ତୁତ କରି, ସରକାରକୁ ପ୍ରଦାନ କରିବ । ମିଳିଥିବା ସୂଚନା ମୁତାବକ, କଂଗ୍ରେସ ଏହି କମିଟି ପାଇଁ ନିଜ ଦଳର ୪ ନେତା, ଯଥାକ୍ରମେ- ମନୀଷ ତିଓ୍ୱାରୀ, ପ୍ରିୟଙ୍କା ଗାନ୍ଧୀ, ସୁଖଦେବ ଭଗତ ଏବଂ ରଣଦୀପ ସୁରଜେଓ୍ୱାଲାଙ୍କ ନାଁ ଧାର୍ୟ୍ୟ କରିଛି ।
ଜାଣିରଖିବା ଉଚିତ୍ ଯେ, ମନୀଷ ତିଓ୍ୱାରୀ ଏବଂ ରଣଦୀପ ସୁରଜେଓ୍ୱାଲା ପେଷାରେ ଓକିଲ ଅନ୍ୟପଟେ ସୁଖଦେବ ଭଗତ ଜଣେ ଆଦିବାସୀ ନେତା ଭାବେ ବେଶ ପରିଚିତ । ଖାଲି ସେତିକି ନୁହେଁ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏବେ ବେଶ ଲୋକପ୍ରିୟ । ତେଣୁ ଏହି ୪ ନେତାଙ୍କୁ ଜେପିସିକୁ ପଠାଇବାକୁ ନାଁ ଧାର୍ୟ୍ୟ କରିଛି ଭାରତୀୟ ଜାତୀୟ କଂଗ୍ରେସ ।
ତେବେ ଇଣ୍ଡିଆ ମେଣ୍ଟରେ ସାମିଲ ଥିବା ଡିଏମକେ ଦଳରୁ ମଧ୍ୟ ପି ଓ୍ୱିଲ୍ସନଙ୍କୁ ଜେପିସିରେ ସାମିଲ ହେବାରୁ ସୁଯୋଗ ମିଳିପାରେ । ପେଷାରେ ଜଣେ ଓକିଲ ଥିବା ପି ଓ୍ୱିଲ୍ସନଙ୍କ ନାଁ ଜେପିସିରେ ସାମିଲ ହେଇପାରେ ବୋଲି ଚର୍ଚ୍ଚା ହେଉଛି । ସୂଚନା ମୁତାବକ, ଜେପିସିରେ କେତେ ଜଣ ସଦସ୍ୟ ରହିବେ, ତାହା ବାଚସ୍ପତି ନିର୍ଦ୍ଧାରଣ କରିବେ । ଏହି କମିଟିରେ ଉଭୟ ରାଜ୍ୟସଭା ଓ ଲୋକସଭାର ସାଂସଦ ରହିବେ ।