କନକ ବ୍ୟୁରୋ: ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ଦିଗରେ ଆଉପାଦେ । ରାମନାଥ କୋବିନ୍ଦ ରିପୋର୍ଟକୁ କ୍ୟାବିନେଟ୍‌ ଅନୁମୋଦନ । ଦେଶରେ ଏକକ ନିର୍ବାଚନ କରାଇବାକୁ ମୋଦୀ ସରକାର ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଆଉ ପାଦେ ଆଗେଇଛି । କାରଣ ଏ ସଂପର୍କରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟକୁ ଆଜି କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛି। ପ୍ରସ୍ତାବ ଅନୁସାରେ, 
-ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକାଠି ହେବ
-ଏହାର ୧୦୦ ଦିନ ମଧ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନ କରାଯିବ 

ବିରୋଧୀଙ୍କ ତୀବ୍ର ସମାଲୋଚନା ସତ୍ୱେ ଏହାକୁ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି ମୋଦୀ ସରକାର । ୨୦୧୯ ଓ ୨୦୨୪ ନିର୍ବାଚନୀ ଇସ୍ତାହାରରେ ଏକକ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲା ବିଜେପି । ତେବେ ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ ସମ୍ୱିଧାନ ସଂଶୋଧନର ଆବଶ୍ୟକତା ରହିଛି। 
କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ପରେ ବିଲ ସଂସଦରେ ଆଗତ କରିବେ ମୋଦୀ ସରକାର। ହେଲେ ଆଇନରେ ପରିଣତ କରିବାକୁ ହେଲେ ନଜର ପକାନ୍ତୁ 
ଆଗକୁ କଣ କରିବାକୁ ପଡ଼ିବ 
-ପାର୍ଲାମେଂଟରେ ସରକାରଙ୍କୁ ବିଲ୍‌ ଆଣିବାକୁ ପଡ଼ିବ
-ସମ୍ବିଧାନ ସଂଶୋଧନ ବିଲ୍ ହୋଇଥିବାରୁ ଦୁଇ-ତୃତୀୟାଂଶ ସମର୍ଥନ ଆବଶ୍ୟକ
-ଲୋକସଭାରେ ୩୬୨ ଓ ରାଜ୍ୟସଭାରେ ୧୬୩ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ
-ପାର୍ଲାମେଂଟରେ ପାସ୍‌ ହେବା ପରେ ସର୍ବନିମ୍ନ ୧୫ ରାଜ୍ୟ ବିଧାନସଭାର ଅନୁମୋଦନ ଜରୁରୀ
-ଅର୍ଥାତ ୧୫ ରାଜ୍ୟର ବିଧାନସଭାରେ ବିଲ ପାସ୍‌ ହେବା ଦରକାର
-ରାଷ୍ଟ୍ରପତିଙ୍କ ହସ୍ତାକ୍ଷର ପରେ ବିଲ ଆଇନରେ ପରିଣତ ହେବ

ଏବେ ନଜର ପକାନ୍ତୁ କଣ ରହିଛି ସମସ୍ୟା 
-୧୫ଟି ରାଜନୈତିକ ଦଳ ବିରୋଧ କରୁଛନ୍ତି
-୩୨ଟି ରାଜନୈତିକ ଦଳର ସମର୍ଥନ ରହିଛି
-୧୫ ରାଜନୈତିକ ଦଳ କୌଣସି ଜବାବ ଦେଇନାହାନ୍ତି
-ଏନଡିଏରେ ଜେଡିୟୁ, ଏଲଜେପିର ସମର୍ଥନ ରହିଛି
-ତେଲୁଗୁ ଦେଶମ ପାର୍ଟି ଏଯାଏଁ ଦେଇନି ଜବାବ
-କଂଗ୍ରେସ, ସମାଜବାଦୀ ପାର୍ଟି, ଆପ୍‌, ସିପିଏମ୍ ଓ ବିଏସପିର ବିରୋଧ

ଦେଶ ସ୍ୱାଧୀନ ହେବା ପରେ ୧୯୫୨, ୧୯୫୭, ୧୯୬୨ ଓ ୧୯୬୭ରେ ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡ଼ିକର ନିର୍ବାଚନ ଏକାଠି ହେଉଥିଲା । ୧୯୬୮ ଓ ୧୯୬୯ରେ ଏକାଧିକ ବିଧାନସଭାକୁ ଆଗୁଆ ଭଙ୍ଗ କରିଦିଆଗଲା । ୧୯୭୦ରେ ମଧ୍ୟ ଆଗୁଆ ଲୋକସଭା ଭଙ୍ଗ ହୋଇଥିଲା । ଫଳରେ ଏକାଠି ନିର୍ବାଚନର ପରମ୍ପରା ଭଙ୍ଗ ହୋଇଥିଲା । ଏବେ ପୁଣି ସେହି ପରମ୍ପରା ଫେରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।