କନକ ବ୍ୟୁରୋ: ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍ ଆଇନରେ ପରିଣତ ହେଲେ, ସତରେ କଣ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହେବ? ସତରେ କଣ ଏହି ବିଲ୍ ସମ୍ବିଧାନର ବିରୋଧୀ? ଏଭଳି କିଛି ପ୍ରଶ୍ନ ଆଉ ଚର୍ଚ୍ଚା ଆଲୋଚନା ଭିତରେ ମଙ୍ଗଳବାର ଲୋକସଭାରେ ଆଗତ ହେଇଛି ଏହି ବିଲ୍ । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ୍ ରାମ ମେଘବାଲ ଲୋକସଭାରେ ଏହି ବିଲ୍ ଆଗତ କରିଛନ୍ତି । ତେବେ ଗତ ଡିସେମ୍ବର ୧୨ ତାରିଖରେ ମୋଦୀ କ୍ୟାବିନେଟ୍ ଏହି ବିଧେୟକକୁ ମଞ୍ଜୁରୀ ଦେଇଥିଲା । ଯାହାପରେ ଆଜି ଲୋକସଭାରେ ଏହି ବିଲ୍ ଆଗତ ହେଇଛି ।
ଜାଣିରଖିବା ଉଚିତ୍ ଯେ, ସମ୍ବିଧାନ ସଂଶୋଧନ ପାଇଁ ସଂସଦରେ ଦୁଇ-ତୃତୀୟାଂଶ ସାଂସଦଙ୍କ ସମର୍ଥନ ନିତ୍ୟାନ୍ତ ଆବଶ୍ୟକ । ତେଣୁ ଏହି ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍ ସଂସଦରେ ପାସ୍ ହେବାକୁ ଦୁଇ ତୃତୀୟାଂଶ ସାଂସଦଙ୍କ ସମର୍ଥନ ଆବଶ୍ୟକ ହେବ ।
କମିଟିରେ ଥିଲେ କିଏ କିଏ?
- କେନ୍ଦ୍ର ସରକାର ଦୀର୍ଘ ସମୟ ଧରି ଦାବି କରୁଛନ୍ତି ଯେ, ‘ଏକ ଦେଶ, ଏକ ନିର୍ବାଚନ’ ଆଇନରେ ପରିଣତ ହେଲେ ଦେଶର ନିର୍ବାଚନରେ ଏକ ବଡ ଧରଣର ପରିବର୍ତ୍ତନ ଆସିବ ।
- ଏଥିପାଇଁ ଗତ ସେପ୍ଟେମ୍ବର ମାସରେ ମୋଦୀ ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମିତି ଗଠନ କରିଥିଲେ । ଏହି କମିଟି ଗତ ମାର୍ଚ୍ଚ ମାସରେ ନିଜର ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରିଛି ।
- ଏହି କମିଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ ପୂର୍ବତନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍, ୧୫ ତମ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏନକେ ସିଂହ, ହରିଶ ସାଲଭେ ପ୍ରମୁଖ ରହିଥିଲେ । ଏହାସହ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ମଧ୍ୟ ଏହି କମିଟିର ସଦସ୍ୟ ଥିଲେ ।
- ୧୯୧ ଦିନର ରିସର୍ଚ୍ଚ ପରେ ଏହି କମିଟି ୧୮ ହଜାର ୬୨୬ ପୃଷ୍ଠାର ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଥିଲା । ଯାହାକୁ କି ରାମନାଥ କୋବିନ୍ଦଙ୍କ ଟିମ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରିଛି ।
କଣ ରହିଛି ସୁପାରିଶ?
- ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠନ ହେଇଥିବା ସମିତି ନିଜ ରିପୋର୍ଟରେ ୪୭ଟି ରାଜନୈତିକ ଦଳକୁ ନେଇ ବିଚାର ବିମର୍ଶ କରିବା ସହ ତା ମଧ୍ୟରୁ ୩୨ଟି ଦଳ ଏହି ବିଲକୁ ସମର୍ଥନ କରୁଥିବା ସେ ନିଜ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ତେବେ ୧୫ଟି ଦଳ ଏହି ବିଲକୁ ସମର୍ଥନ କରୁନଥିବା କହିଛନ୍ତି କୋବିନ୍ଦଙ୍କ କମିଟି ।
- ୧୯୫୧ରୁ ୧୯୬୭ ମସିହା ପର୍ୟ୍ୟନ୍ତ ଦେଶରେ ଏକା ସାଙ୍ଗରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ହେଇ ଆସୁଥିଲା । ହେଲେ ଏହାପରଠାରୁ ହିଁ ଏହା ଆଉ ସମ୍ଭବପର ହେଇପାରିନି ।
- ୧୯୯୯ରେ ବିଧି ଆୟୋଗର ୧୭୦ତମ ରିପୋର୍ଟରେ ପ୍ରତି ୫ ବର୍ଷରେ ଥରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରିବାକୁ ପରାମର୍ଶ ଦିଆଯାଇଥିଲା ।
ପରାମର୍ଶ
- ଏକ ଦେଶ ଏକ ନିର୍ବାଚନ ଦୁଇଟି ଚରଣରେ ଲାଗୁ କରିବାକୁ ଯୋଜନା
- ପ୍ରଥମ ପର୍ୟ୍ୟାୟରେ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରାଯିବ
- ସାଧାରଣ ନିର୍ବାଚନର ୧୦୦ ଦିନ ଭିତରେ ପଞ୍ଚାୟତ ଓ ନଗରପାଳିକା ଭଳି ସ୍ଥାନୀୟ ନିର୍ବାଚନ କରାଯିବ
- ସମସ୍ତ ନିର୍ବାଚନ ପାଇଁ ଗୋଟିଏ ହିଁ ଭୋଟର ଲିଷ୍ଟ ବ୍ୟବହାର କରାଯିବ
ଇତିହାସ
- ଭାରତ ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ୧୯୫୧-୫୨ ମସିହାରେ ନିର୍ବାଚନ ହେଇଥିଲା । ସେ ସମୟରେ ୨୨ ରାଜ୍ୟର ବିଧାନସଭା ନିର୍ବାଚନ ସହିତ ଲୋକସଭା ନିର୍ବାଚନ ହେଇଥିଲା । ଏହି ପୂରା ପ୍ରକ୍ରିୟା ପାଇଁ ପାଖାପାଖି ୬ ମାସ ସମୟ ଲାଗିଥିଲା ।
- ପ୍ରଥମ ନିର୍ବାଚନରେ ୪୮୯ ଲୋକସଭା ସିଟ୍ ପାଇଁ ୧୭ କୋଟି ଭୋଟର ଭୋଟ୍ ଦେଇଥିଲେ । ଯାହାକି ଏବେ ଶହେ କୋଟିରୁ ଅଧିକରେ ପହଞ୍ଚିଛି । ୧୯୫୧-୫୨ ପରେ ୧୯୫୭, ୧୯୬୨ ଏବଂ ୧୯୬୭ ମସିହାରେ ରାଜ୍ୟ ବିଧାନସଭା ସହିତ ଲୋକସଭା ନିର୍ବାଚନ ଏକା ସାଙ୍ଗରେ ହେଇଥିଲା ।
- ତେବେ ଏହି ସମୟରେ ମଧ୍ୟ କିଛି ରାଜ୍ୟର ବିଧାନସଭା ନିର୍ବାଚନ ଅଲଗା ହେଇଥିଲା । ୧୯୫୫ରେ ଆନ୍ଦ୍ରପ୍ରଦେଶ, ୧୯୬୦-୬୫ରେ କେରଳ, ୧୯୬୧ରେ ଓଡ଼ିଶାରେ ଅଲଗା ବିଧାନସଭା ନିର୍ବାଚନ ହେଇଥିଲା । ତେବେ ୧୯୬୭ ମସିହା ପରେ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଜଲଦି ହେଇଯାଇଥିଲା । ଯାହା ଫଳରେ ଏକ ଦେଶ, ଏକ ନିର୍ବାଚନ ଫର୍ମୁଲା ଆଉ ଆଗକୁ ବଢିପାରିନଥିଲା ।
- ୧୯୭୨ ମସିହାରେ ଲୋକସଭା ନିର୍ବାଚନ ସମୟ ପୂର୍ବରୁ ହେଇଥିଲା, ଯାହା ଦ୍ୱାରା କି ଲୋକସଭା ଓ ବିଧାନସଭା ନିର୍ବାଚନର ଚକ୍ର ଅଲଗା ହେଇଥିଲା । ତେବେ ୧୯୮୩ରେ କିନ୍ତୁ ଭାରତୀୟ ନିର୍ବାଚନ ଆୟୋଗ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଏକା ସାଙ୍ଗରେ ନିର୍ବାଚନ କରିବାକୁ ପ୍ରସ୍ତାବ ଦେଇଥିଲା, ହେଲେ ତାହା କାର୍ୟ୍ୟକାରୀ ହେଇପାରିନଥିଲା ।
ସରକାରଙ୍କ କହିବା କଥା, ‘ଏକ ଦେଶ, ଏକ ନିର୍ବାଚନ’ ହେବା ଦ୍ୱାରା ନିର୍ବାଚନ ଖର୍ଚ୍ଚ କମ ହେବ ଆଉ ବିକାଶ କାର୍ୟ୍ୟକୁ ଗତି ମିଳିବ । ଏହାବାଦ୍ ସରକାରୀ କର୍ମଚାରୀଙ୍କୁ ମଧ୍ୟ ବାରମ୍ବାର ନିର୍ବାଚନ ଡ୍ୟୁଟିରେ ଯିବାକୁ ପଡିବନି ।